ଜଗମୋହନ ରାଠୋର ସ୍ମୃତି ସଂସଦର ସମ୍ମାନ ପ୍ରଦାନ ସମାରୋହ : ‘ରାଜନୀତିଠୁ ଦୂରେଇ ନଯାଇ ବୁଦ୍ଧିଜୀବୀ ଏକାଠି ହୁଅନ୍ତୁ’

କଟକ : ସମାଜରେ ଭଲ ଲୋକଙ୍କ ସଂଖ୍ୟା ସର୍ବଦା ବେଶି। କିନ୍ତୁ ଭଲ ଲୋକମାନେ ସହଜରେ ଏକାଠି ହେଉନଥିବାରୁ ଖରାପ ଲୋକେ ପ୍ରଭାବ ବିସ୍ତାର କରି ଚାଲିଛନ୍ତି। ପ୍ରଫେସର ଜଗମୋହନ ରାଠୋର ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ‘ସମ୍ବାଦ’ର ସଂପାଦକ, ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ଆଜି କଟକ ଶ୍ରୀରାମଚନ୍ଦ୍ରଭବନରେ ସଂସଦ ପକ୍ଷରୁ ଶିକ୍ଷାବିତ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂସଦ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏକାଠି ହେବା ଗଣତନ୍ତ୍ରର ମୂଳନୀତି। ଏକାଠି ନହେଲେ ଗଣତନ୍ତ୍ରରେ କିଛି ବି ହାସଲ କରିବା ସମ୍ଭବ ନୁହେଁ। ରାଜନୀତିକୁ ଘୃଣା କରି ଏହାଠାରୁ ଦୂରେଇ ରହିବା ହିଁ ବିଚାର ବିଭ୍ରାଟ। ରାଜନୀତିଠୁ ଦୂରେଇ ନରହି ବୁଦ୍ଧିଜୀବୀମାନେ ଏକାଠି ହୋଇ ପରିବର୍ତ୍ତନର ବାହକ ସାଜିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ପ୍ରଫେସର ରାଠୋରଙ୍କୁ ଜଣେ ଭଲ ମଣିଷ, ଉତ୍ତମ ବନ୍ଧୁ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ବର୍ଣ୍ଣନା କରିବା ସହିତ ତାଙ୍କ ଜୟନ୍ତୀରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ସେ ସ୍ମୃତି ସଂସଦ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାରସ୍ବତ ସାଧକ ରାଜକିଶୋର ମିଶ୍ର ପ୍ରଫେସର ରାଠୋରଙ୍କୁ ଅବିଚଳିତ ବ୍ୟକ୍ତିତ୍ବ ବୋଲି ଅବିହିତ କରିଥିଲେ। ପ୍ରଫେସର ରାଠୋର ଗୃହସ୍ଥ ହୋଇ ମଧ୍ୟ ସନ୍ଥ ଭଳି ଜୀବନଯାପନ କରୁଥିଲେ। ଅନ୍ୟତମ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ ପ୍ରଫେସର ରାଠୋରଙ୍କୁ ଆଦର୍ଶ ଶିକ୍ଷକ, ଉତ୍ତମ ମଣିଷ ଓ ସଫଳ ସାରସ୍ବତ ସାଧକ ଭାବେ ବର୍ଣ୍ଣନା କରିଥିଲେ। ଇଞ୍ଜିନିୟର ରାଜେନ୍ଦ୍ର ନାରାୟଣ ଦାସ ପ୍ରଫେସର ରାଠୋରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ମୃତି ସଂସଦର ସଭାପତି ବରି‌ଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଶିକ୍ଷାବିତ ସମ୍ମାନ ପ୍ରଦାନ ସମାରୋହରେ ଉଚ୍ଚଶିକ୍ଷା ପାଇଁ ପ୍ରଫେସର ଧରଣୀଧର ପାଣିଗ୍ରାହୀ, ମାଧ୍ୟମିକ ଶିକ୍ଷା ପାଇଁ ରତ୍ନାକର ମହାନ୍ତ ଓ ବିପିନ ବିହାରୀ କର, ପ୍ରାଥମିକ ଶିକ୍ଷା ପାଇଁ କମଳାକାନ୍ତ ଗିରିଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ଜଗମୋହନ ରାଠୋର ଶିକ୍ଷାବିତ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାସହିତ ଡାକ୍ତର ନନ୍ଦଜ୍ୟୋତି ଆଚାର୍ଯ୍ୟଙ୍କୁ ପ୍ରଫେସର ଜଗମୋହନ ରାଠୋର ସ୍ପୁଟୋନାନ୍ମୁଖୀ ସାହିତ୍ୟିକ ସମ୍ମାନ ଓ ହିରେନ୍ଦ୍ର କୁମାର ସିଂହଦେଓଙ୍କୁ ଓଡ଼ିଶା ବିଚ୍ଛିନ୍ନାଞ୍ଚଳ ସାଂସ୍କୃତିକ ସମ୍ମାନ ପ୍ରଦାନ କରାଯାଇଥିଲା।

ସଂସଦର ଆବାହକ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରାରମ୍ଭିକ ସୂଚନା ଦେବା ସହିତ ସମ୍ମାନ ବିଷୟରେ ଆଲୋକପାତ କରିଥିବା ବେଳେ ପ୍ରଫେସର ରାଠୋରଙ୍କ ପୁତ୍ର ଡାକ୍ତର ପ୍ରସନ୍ନ କୁମାର ରାଠୋର ବିବରଣୀ ପାଠ କରିଥିଲେ। ଡ. ହେମନ୍ତ କୁମାର ପରିଡ଼ା, ଡ. ଅମିତାଭ ବେହେରା, ସରୋଜିନୀ ମିଶ୍ର, ମନୋରଞ୍ଜନ ମିଶ୍ର, ରବୀନ୍ଦ୍ର କୁମାର ବେହେରା, ବ୍ରହ୍ମାନନ୍ଦ ବିଶ୍ବାଳ ମାନପତ୍ର ପାଠ କରିଥିବାବେଳେ ଡ. ଲକ୍ଷ୍ମୀନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ ପ୍ରଫେସର ରା‌େଠାରଙ୍କ ପତ୍ନୀ ବିନ୍ଧ୍ୟବାସିନୀ ରାଠୋରଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର