ଜଗମୋହନ ମରାମତି : ସିଲିଂ ପ୍ରସ୍ତୁତ, ଆଜି ଲାଗିବ

ପୁରୀ : ଜଗମୋହନ ମରାମତି ପ୍ରକ୍ରିୟା ଜାରି ରହିଛି। ପୋର୍ଟାଲ ଫ୍ରେମ୍‍ରେ ପଥର କ୍ଲାଡ଼ିଂ କାର୍ଯ୍ୟ ଚାଲିଥିବା ବେଳେ ସିଲିଂ ନିର୍ମାଣ ଶେଷ ହୋଇଛି। ଛାତକୁ ଦିଆଯାଇଥିବା ସପୋର୍ଟ ଆଉ ବାହାରକୁ ନ ଦିଶିବା ପାଇଁ କାଠରେ ଏହି ସିଲିଂ କରାଯାଇଛି। ଶହ ଶହ ବର୍ଷ ମଜବୁତ ରହିବା ପାଇଁ ବର୍ମାରୁ ଆସିଥିବା ମୂଲ୍ୟବାନ ଶାଳ କାଠରେ ଏହାକୁ ନିର୍ମାଣ କରାଯାଇଛି। ପୋର୍ଟାଲ ଫ୍ରେମ୍‍ ସ୍ଥାପନ କରିଥିବା ଦିଲୀପ୍‍ କନ୍‍ଷ୍ଟ୍ରକସନ ଦ୍ୱାରା ନିର୍ମିତ ଏହି ସିଲିଂକୁ ପାଖାପାଖି ୩ ମାସ ଧରି ୧୮ ଜଣ ମିସ୍ତ୍ରି ତିଆରି କରିଛନ୍ତି। ଗତ ନଭେମ୍ବର ମାସରେ ଏହି ଡିଜାଇନ୍‍ ଏଏସ୍‍ଆଇ ଓ ଶ୍ରୀମନ୍ଦିର ପ୍ରଶାସନର ସ୍ୱୀକୃତି ପାଇବା ପରେ ଭୁବନେଶ୍ୱରରେ ଏହାର ନିର୍ମାଣକାର୍ଯ୍ୟ ଚାଲିଥିଲା। ଶେଷ ହେବା ପରେ ଆଜି ସନ୍ଧ୍ୟାରେ ଏହା ପୁରୀରେ ଆସି ପହଂଚିଛି।

୨ ଇଞ୍ଚ ଓସାରରେ ପାଖାପାଖି ୩ଶହ ସିଏଫ୍‍ଟି କାଠ ଲାଗିଛି। ଏଥିରେ ୯ଟି ପ୍ଲେଟରେ ଫୁଲ ଡିଜାଇନ୍‍ ରହିଛି। ୮ଟି ଚାରିପାଖକୁ ଘେରି ରହିଥିବା ବେଳେ ମଝିରେ ବଡ଼ ପାତ୍ର ଭଳି ଡିଜାଇନ ରହିଛି। ମଝି ବଡ଼ ପାତ୍ରଟି ବର୍ଗାକାର ହୋଇଥିବା ବେଳେ ଲମ୍ବ ଓସାର ୧୨ଫୁଟ ଲେଖାଏଁ ରହିଛି। ଅନ୍ୟ ୮ଟି ମଧ୍ୟରୁ ବେହେରଣ ଓ ଭଣ୍ଡାରଘର ପଟକୁ ରହୁଥିବା ଦୁଇଟି ଲେଖାଏଁ ୪ଟି ସାନ ସାନ ପ୍ଲେଟର ମାପ ସମାନ ରହିଛି। ଲମ୍ବା ୧୧ଫୁଟ ହୋଇଥିବା ବେଳେ ଓସାର ୭ ଫୁଟ ରହିଛି। ସେହିଭଳି ନାଟମଣ୍ଡପ ଓ ଗର୍ଭଗୃହ ପଟକୁ ରହୁଥିବା ୨ଟି ଲେଖାଏଁ ୪ଟି ସାନ ପ୍ଲେଟର ମାପ ସମାନ ରହିଛି। ଏହାର ଲମ୍ବା ୧୪ଫୁଟ ୫ ଇଞ୍ଚ ହୋଇଥିବା ବେଳେ ଓସାର ୮ଫୁଟ ୫ଇଞ୍ଚ ରହିଛି। ସମସ୍ତ ୯ଟି ଯାକ ପ୍ଲେଟର ଗଭୀରତା ୧.୫ଫୁଟ ରହିଛି। ଜଗମୋହନ ସିଲିଂରେ ସ୍ଥାପନା ପୂର୍ବରୁ ଏହାକୁ ଏହି ୯ଟି ଯାକ ପ୍ଲେଟକୁ ଖଞ୍ଜାଯାଇ ଯାଞ୍ଚ କରାଯାଇଛି। ଏହା ଖୋଲାଯାଇ ଗୋଟି ଗୋଟି କରି ୯ଟି ଯାକ ପ୍ଲେଟ ଲଗାଯିବାକୁ ସ୍ଥିର ହୋଇଛି। ଏହାକୁ ସ୍ଥାପନ କରିବା ପାଇଁ ପାଖାପାଖି ଦୁଇ ଦିନ ଲାଗିବ ବୋଲି କୁହାଯାଉଛି। ସେହିଭଳି ଚାଙ୍ଗଡ଼ା ଘର ଓ ଭଣ୍ଡାର ଘରର ଡିଜାଇନ୍‍ ପ୍ରସ୍ତୁତ ହେବା ସହ କାଠ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ନିର୍ମାଣକାରୀ ସଂସ୍ଥାର ପ୍ରୋପାଇଟର ଦିଲୀପ ଖଟେଇ କହିଛନ୍ତି। ।

ଅନ୍ୟପଟେ ଦ୍ଵିତୀୟ ଥାକ ଓ ଆର୍ଥିଂ ଯାଞ୍ଚ କରିବା ପାଇଁ ଶ୍ରୀମନ୍ଦିରରେ ଭାରାବନ୍ଧା ଶେଷ ହୋଇଛି। ଶ୍ରୀମନ୍ଦିର ଭିତରେ ଥିବା ଅନ୍ୟାନ୍ୟ ମନ୍ଦିରର ମରାମତି ପାଇଁ ମଧ୍ୟ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକା ହାଇକୋର୍ଟରେ ଦାଖଲ ହେବା ପରେ ସେଗୁଡ଼ିକୁ କ୍ରମାନ୍ଵୟରେ ମରାମତି କରାଯିବା ପାଇଁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର