ପୁରୀ: ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ରତ୍ନ ଆକଳନକୁ ନେଇ ଲାଗିଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାରର ରତ୍ନ ଆକଳନ କରିବ। ନିୟମ ମୁତାବକ, ପ୍ରତି ତିନି ବର୍ଷରେ ଥରେ ରତ୍ନ ଭଣ୍ଡାର ଆକଳନ ପାଇଁ ରହିଥିବା ଆଇନ କାର୍ଯ୍ୟକାରୀ ହେବ। ୧୯୭୮ରେ ପ୍ରକାଶ ପାଇଥିବା ରତ୍ନ ଭଣ୍ଡାର ତାଲିକା ପୁସ୍ତିକାକୁ ମେଳ କରାଯିବ। ଗତ ଏପ୍ରିଲ ୪ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଳମ୍ବରେ ହେଲେ ବି ବିବରଣୀ ପଦାକୁ ଆସିଛି। ତେବେ ରତ୍ନ ଭଣ୍ଡାର ଚାବି କିନ୍ତୁ ଏ ଯାଏ ମିଳିନି। ଚାବି ଅଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ। ଚାବି ନ ଥିଲେ ରତ୍ନ ଭଣ୍ଡାରରେ ପଡିଥିବା ତାଲାକୁ ଭାଂଗିବାକୁ ମନ୍ଦିର ପରିଚାଳନା କମିଟି ଅନୁମତି ଦେବାକୁ ବୈଠକରେ ନିବେଦନ କରାଯାଇଛି। ଗତ ଏପ୍ରିଲ ୪ ତାରିଖ ଦିନ ରତ୍ନ ଭଣ୍ଡାର ଖୋଲିବା ଦିନ ଚାବି ନମିଳିବାରୁ ରତ୍ନ ଭଣ୍ଡାର ଖୋଲାଯାଇନଥିବା କଥା ବୈଠକରେ ବିବରଣୀରେ ସ୍ପଷ୍ଟ କରାଯାଇଛି। ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ନମିଳିବା ଘଟଣାକୁ ଗଜପତି ମହାରାଜ ମୁହଁ ମୋଡିଛନ୍ତି। ଚାବି ହଜିବା ପ୍ରସଙ୍ଗକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ବିଶ୍ୱାସକୁ ନେଇନଥିବା ମଧ୍ୟ ବିବରଣୀରେ ଉଲ୍ଲେଖ ହୋଇଛି।

Advertisment

ନିଷ୍ପତ୍ତି ନେଲା ପରିଚାଳନା କମିଟି
ଏ ଯାଏ ମିଳିନି ଚାବି, ଭଙ୍ଗାଯିବ ତାଲା
ଚାବି ହଜିବାକୁ ବିଶ୍ୱାସ କରୁନାହାନ୍ତି ଗଜପତି

ବୈଠକର ବିବରଣୀ ମୁତାବକ, ରତ୍ନ ଭଣ୍ଡାର ଖୋଲିବା ଦିନ ଚାବି ନମିଳିବା ପ୍ରସଙ୍ଗରେ ଭୁବନେଶ୍ୱର ସର୍କିଟ ହାଉସ୍‌ ଠାରେ ଅନୁଷ୍ଠିତ ବୈଠକରେ ରତ୍ନ ଭଣ୍ଡାରକୁ ନେଇ ସରଗମର ଆଲୋଚନା ହୋଇଥିଲା। ଭିତର ଭଣ୍ଡାର ଘରର ଚାବି ଜିଲ୍ଲା ଟ୍ରେଜେରୀରେ ନ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଗଛିତ ଥିବା ପୁରୁଣା ଚାବି କାଠି ନେଇ ରତ୍ନ ଭଣ୍ଡାର ଯାଞ୍ଚ କମିଟି ସଭ୍ୟମାନେ ମନ୍ଦିର ଭିତରକୁ ଯାଇଥିଲେ। ଭଣ୍ଡାର ଘର ଗ୍ରିଲରେ ତିନୋଟି ତାଲା ପଡିଥିଲା। ଗୋଟିଏ ତାଲା ଜଉମୁଦ ଦିଆଯାଇଥିଲା। ଅନ୍ୟ ଦୁଇଟି ତାଲା ବିନା ଜଉମୁଦରେ ରଖାଯାଇଥିଲା। ଯାଞ୍ଚ ପାଇଁ ଯାଇଥିବା ସଭ୍ୟମାନେ ପଡିଥିବା ତାଲାର ନେଇଥିବା ଚାବି ଗୁଡିକ ନୁହେଁ ବୋଲି ଅନୁଭବ କରିଥିଲେ। ଗ୍ରିଲ ଦ୍ଵାର ବାଟେ ସର୍ଚ୍ଚ ଲାଇଟରେ ଭଣ୍ଡାର ଯାଞ୍ଚ୍‌ କରିଥିଲେ। ଚାବି ମିଳିନଥିବାରୁ ପରିଚାଳନା କମିଟିର ବିନା ଅନୁମତିରେ ଚାବି ଭାଂଗିବା ଠିକ୍‌ ନ ଥିଲା ବୋଲି ଭଣ୍ଡାର ଖୋଲିବା ସମୟରେ ସମସ୍ତ ସଭ୍ୟ ମତ ରଖି ଫେରି ଆସିଥିବା ମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ କହିଥିଲେ। ଚାବି ନମିଳିଲେ ଭିତର ଭଣ୍ଡାର ଚାବି ଭାଂଗିବାକୁ ଅନୁମତି ଦେବାକୁ କହିଥିଲେ। ତେବେ ଗଜପତି ମହାରାଜ ଚାବି ହଜିବା ପ୍ରସଙ୍ଗକୁ ବିଶ୍ୱାସଯୋଗ୍ୟ କଥା ନୁହେଁ ବୋଲି କହିଥିଲେ। ଚାବି ଜିଲ୍ଲାପାଳଙ୍କ ପାଖରେ ରହିଥାଏ ବୋଲି କହିଥିଲେ। ଗଜପତିଙ୍କ ପ୍ରଶ୍ନର ଉତ୍ତରରେ ଜିଲ୍ଲାପାଳ ଟ୍ରେଜେରିରେ ଥିବା ସମସ୍ତ ଚାବି ପୁଙ୍ଖାନୁପୁଙ୍ଖ ଖୋଜିଥିବା କହିଥିଲେ। ଏପରିକି ଗତ ୧୯୭୦ ମସିହାରୁ ଆଜି ପର୍ଯ୍ୟନ୍ତ ଭିତର ଭଣ୍ଡାର ଘର ଚାବି ଜମା ରହିବା ଓ ଚାବି ଅଣାଯିବାର କୌଣସି ପ୍ରମାଣ ନଥିବା କଥା ଜିଲ୍ଲାପାଳ ସେ ଦିନ ବୈଠକରେ ସ୍ପଷ୍ଟ କରିଥିଲେ। ତେବେ ଗଜପତି ମହାରାଜ କେଉଁ ଆଇନରେ ରତ୍ନ ଭଣ୍ଡାର ଆକଳନ କରାଯିବ ବୋଲି ପଚାରିବା ପରେ ଜଣେ ସଭ୍ୟ ଗତ ୧୯୦୫ ମୁକୁନ୍ଦ ଦେବ ଓ ୧୯୨୬ରେ ରାମଚନ୍ଦ୍ର ଦେବଙ୍କ ସମୟରେ ଉଭୟ ରତ୍ନଭଣ୍ଡାର ରତ୍ନ ତାଲିକା କରାଯାଇଥିବା କଥା କହିଥିଲେ। ଗତ ୧୯୨୬ ମସିହାରେ ତାଲିକା ରେକର୍ଡ ରୁମ୍‌ରେ ରଖାଯାଇଥିଲା। ୧୯୭୩ ମସିହାରେ ଭିତର ଭଣ୍ଡାରରୁ ୪୦୦ ଭରି ସୁନା ବାହାର କରାଯାଇ ଶ୍ରୀ ଦେବୀଙ୍କର ଏକ ମୂର୍ତ୍ତିି ନିର୍ମାଣ କରାଯାଇଥିଲା। ଶ୍ରୀମନ୍ଦିର ଆଇନରେ ପ୍ରତି ତିନି ବର୍ଷରେ ଥରେ ରତ୍ନ ଭଣ୍ଡାର ଆକଳନ କରିବାର ନିୟମ ଥିବାରୁ ଏହାକୁ ଆକଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।