ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲା: ଏଏସ୍‌ଆଇ ଡିଜିଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି) ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂରକ୍ଷଣ ଓ ମରାମତି କାର୍ଯ୍ୟର ଅଗ୍ରଗତି ନେଇ ଅବଗତ କରିବେ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଏସଆଇ ଡିଜିଙ୍କୁ ଡିସେମ୍ବର ୨୩ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ପୂର୍ବ ନିର୍ଦ୍ଦେଶ ଅନୁସାରେ ଶୁଣାଣି ସମୟରେ ଏଏସ୍‌ଆଇ ଭୁବନେଶ୍ବର ସର୍କଲ ସୁପରିନଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଶ୍ରୀଜଗନ୍ନାଥ ମନ୍ଦିର ସହିତ ପରିସରରେ ଥିବା ପାର୍ଶ୍ବ ଦେବାଦେବୀ, ଅନ୍ୟ ମନ୍ଦିରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସଂପର୍କିତ ସାନି ସ୍ଥିତି ନେଇ ଅବଗତ କରିଥିଲେ। ମରାମତି ଓ ସଂରକ୍ଷଣ କାର୍ଯ୍ୟର ଅଗ୍ରଗତିକୁ ନେଇ ଆମିକସ୍ କ୍ୟୁରୀ ପ୍ରଶ୍ନ ଉଠାଇଥିଲେ। ନାଟମଣ୍ଡପ ଦୁର୍ବଳ ବିମ୍‌ର ମରାମତି ପ୍ରସଂଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ମରାମତି ଓ ସଂରକ୍ଷଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଏଏସ୍‌ଆଇ ଡିଜି ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ସାନି ସ୍ଥିତି ସଂପର୍କରେ ଅବଗତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।
ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ ଏବଂ ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଡିସେମ୍ବର ୧୬ରେ ଏ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଡିସେମ୍ବର ୧୭ରେ ଏଏସଆଇ ଭୁବନେଶ୍ବର ସର୍କଲ ଅଧୀକ୍ଷକଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର