କଟକ: ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କିତ ମାମଲାରେ ସତ୍ୟପାଠ ମାଧ୍ୟମରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ)ର ଭୁବନେଶ୍ବର ସର୍କଲ ସୁପରିନଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ ସଂରକ୍ଷଣ ଓ ମରାମତି କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଏସ୍ଆଇ ଭୁବନେଶ୍ବର ସର୍କଲ ଅଧୀକ୍ଷକ/ ସୁପରିନଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କୁ ମଙ୍ଗଳବାର ଦିନ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଚାଲିଥିବା ମରାମତି ଓ ସଂରକ୍ଷଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରି ଏନ.କେ.ମହାନ୍ତି ମରାମତି କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ବୋଲି ଦର୍ଶାଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଏହି ପ୍ରସଂଗରେ ତ୍ବରିତ ପଦକ୍ଷେପ ଗ୍ରହଣ ଆବଶ୍ୟକ।
ମାମଲାର ଶୁଣାଣି ସମୟରେ ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ, ନାଟ ମଣ୍ଡପ ସ୍ଥିତି ଅନୁଧ୍ୟାନ ପାଇଁ ବସା ଯାଇଥିବା ମିଟର ମଧ୍ୟରୁ ଗୋଟିକରେ ସମସ୍ୟା ଥିବାବେଳେ ତାହା ମାଡ୍ରାସ ଆଇଆଇଟି ସହଯୋଗରେ ସଂଶୋଧନ କରାଯାଇଥିବା ନେଇ ପୂର୍ବରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। କ୍ରାକ୍ ମିଟରରୁ ମିଳିଥିବା ରେକର୍ଡିଂକୁ ଆଇଆଇଟି ମାଡ୍ରାସ ଅନୁଧ୍ୟାନ କରି ମତାମତ ଦେଇଥିବାବେଳେ ଏହା ଉତ୍ସାହଜନକ। ନାଟମଣ୍ଡପ ଛାତର ଟ୍ରିଟମେଣ୍ଟ କାମ ହାତକୁ ନିଆଯାଇଛି। କାର୍ଯ୍ୟାଦେଶ ପ୍ରଦାନ ପାଇଁ ସର୍ବନିମ୍ନ ଔପଚାରିକତା ଶେଷ ହୋଇଥିବା ବେଳେ ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ। ଜଗମୋହନ ଷ୍ଟିଲ ପୋର୍ଟାଲ ଫ୍ରେମରେ ଲଗାଯାଇଥିବା ଲୋଡ୍ ସେଲ ଠିକ୍ ଭାବେ କାମ କରୁନଥିବା ବେଳେ ରଥଯାତ୍ରା ବେଳେ ଏହାକୁ ସଂଶୋଧନ କରାଯାଇଥିଲା। ଏବେ ଲୋଡ୍ ସେଲ ଗୁଡ଼ିକ ଠିକ ଭାବେ କାମ କରୁଛି ବୋଲି ସିବିଆରଆଇ ସୂଚନା ଦେଇଛି। ଲୋଡ ସେଲ୍ ଡାଟାକୁ ଅନୁଧ୍ୟାନ କରାଯାଉଛି। ୨୦୧୯, ଜୁଲାଇ ୨୦ରୁ ନଭେମ୍ବର ୧୮ ପର୍ଯ୍ୟନ୍ତ ମିଳିଥିବା ଡାଟାରୁ କିଛି ସମସ୍ୟା ନଥିବା ଜଣାପଡ଼ିଛି। ପଶ୍ଚିମ ଦ୍ବାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ ଯିବା ଆସିବା ଲାଗି ବ୍ୟବସ୍ଥା କରାଯାଇଛି। ଆନନ୍ଦବଜାର ଦେଇ ଭିତର ବେଢା ପର୍ଯ୍ୟନ୍ତ ରୢାମ୍ପ ବ୍ୟବସ୍ଥା କରାଯାଇଛି। ସୂର୍ଯ୍ୟମନ୍ଦିର ଚଟାଣ କାମ, ବେହେରଣ ଦ୍ବାର ରଙ୍ଗକାମ, ଅରୁଣ ସ୍ତମ୍ଭ ସଫେଇ କାର୍ଯ୍ୟ ଏଏସ୍ଆଇ ଶେଷ କରିଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ ଏବଂ ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Odisha-High-Court.jpg)