ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି: ଭକ୍ତ ଦର୍ଶନ କରିବେ ନା ପର୍ସର ଯତ୍ନ ନେବେ? ହୁଣ୍ଡି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ଶୀର୍ଷ ଅଦାଲତ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ଆସନ୍ତା ଶୁକ୍ରବାର ଦିନ ଆଦେଶ ଶୁଣାଇବେ। ଆଜି ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୭୫ ମିଟର ପରିଧିରେ ଉଚ୍ଛେଦ ପ୍ରସଙ୍ଗ ଶୁଣାଣି କରିବା ସମୟରେ ଏହା କହିଛନ୍ତି। ଆହୁରି ମଧ୍ୟ ବାହାରର ସୌନ୍ଦର୍ଯ୍ୟକରଣ ପୂର୍ବରୁ ମନ୍ଦିର ଭିତରର ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନକୁ ଶୃଙ୍ଖଳିତ ଦର୍ଶନ ସମ୍ପର୍କରେ ପ୍ରସ୍ତାବ ଦେବା ପାଇଁ ସୁପ୍ରିମକୋର୍ଟ କହିବା ସହିତ ଆବଶ୍ୟକ ହେଲେ ଏହାର ତଦାରଖ ପାଇଁ କମିଟି ଗଠନ କରିବା ଉପରେ ସୁପ୍ରିମକୋର୍ଟ ବିଚାର କରିପାରନ୍ତି ବୋଲି ଖଣ୍ଡପୀଠ ସୂଚନା ଦେଇଛନ୍ତି।

ଆଜି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଥିବା ଅତିରିକ୍ତ ସତ୍ୟପାଠ/ ଷ୍ଟାଟସ ରିପୋର୍ଟ ଉପରେ ଶୁଣାଣି ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଉଚ୍ଛେଦ ପରର ସ୍ଥିତି ତଥା କ୍ଷତିପୂରଣ ସମ୍ପର୍କରେ ଷ୍ଟାଟସ୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ, ରାଜ୍ୟ ସରକାରଙ୍କର ଷ୍ଟାଟସ ରପୋର୍ଟକୁ ନେଇ କୌଣସି ପକ୍ଷଙ୍କ ଦ୍ବାରା ଆପତ୍ତି ଉଠାଯାଇନଥିଲା। ଅପରପକ୍ଷେ, ମାମଲାରେ ପକ୍ଷଭୁକ୍ତ ଥିବା କଣ୍ଟିନେଣ୍ଟାଲ ଆସୋସିଏସନ ଅଫ୍ ଲୟରର ଅଧ୍ୟକ୍ଷ ଦେବାଶିଷ ମିଶ୍ର ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ଷ୍ଟାଟସ ରିପୋର୍ଟ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ। ପୁନଃବିକାଶ କାର୍ଯ୍ୟ ତ୍ବରାନ୍ବିତ ହେବାରେ ତିନି ବର୍ଷ ଲାଗିବା ସମ୍ଭାବନା ଥିବା ଯୋଗୁଁ ଏହାକୁ କମିଟି ଗଠନ କରି ତଦାରଖ କରିବା ପାଇଁ ସେ କୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜି ବି ପଟ୍ଟନାୟକ ଓ ପୁରୀର ଗଜପତିଙ୍କୁ ନେଇ କମିଟି ଗଠନ କରାଯାଉ। ଏହା ଉପରେ ଖଣ୍ଡପୀଠ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜି ବି ପଟ୍ଟନାୟକଙ୍କ ମତାମତ ନେବା ପାଇଁ ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କୁ କହିଥିଲେ।

Odisha Sun Times

ଶୁଣାଣି ସମୟରେ ଖଣ୍ଡପୀଠ ଶ୍ରୀମନ୍ଦିର ବାହ୍ୟ ସୌନ୍ଦର୍ଯ୍ୟକରଣ ସହିତ ଶ୍ରୀମନ୍ଦିର ଭିତରେ ମଧ୍ୟ ସମସ୍ତ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ମତବ୍ୟକ୍ତ କରିଥିଲେ। ଖଣ୍ଡପୀଠ କହିଥିଲେ, ଅନେକ ସମୟରେ ଭକ୍ତମାନଙ୍କର ଶୋଷଣ ହେଉଥିବାର ଅଭିଯୋଗ ଆସୁଛି। ବୈଷ୍ଣବଦେବୀ ଓ ତିରୁପତି ମନ୍ଦିରରେ ଦର୍ଶନ ସମୟରେ ଠେଲାପେଲା ହେଉନଥିବାବେଳେ ଶ୍ରୀମନ୍ଦିରରେ ଦର୍ଶନ ସମୟରେ ପୂଜକ ନିଜର ପର୍ସକୁ ନିଜର ଯତ୍ନରେ ନେବା ପାଇଁ ଦର୍ଶନାର୍ଥୀଙ୍କୁ କହିଥାନ୍ତି। ଦର୍ଶନାର୍ଥୀ ପର୍ସକୁ ଯତ୍ନ ନେବା ନା ଦର୍ଶନ କରିବେ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀରେ କହିବା ସହିତ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଶ୍ରୀମନ୍ଦିରରେ ହୁଣ୍ଡି ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ଖଣ୍ଡପୀଠ। ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପୂଜା ଥାଳିରେ ଦାନ ବ୍ୟବସ୍ଥାକୁ ପସନ୍ଦ କରିନଥିଲେ। ସୁପ୍ରିମକୋର୍ଟ ନିଯୁକ୍ତ ଆମିକସ୍‌ କ୍ୟୁରୀ ରଣଜିତ କୁମାର ତାଙ୍କ ଦ୍ବାରା ଶ୍ରୀମନ୍ଦିର ସଂସ୍କାରକୁ ନେଇ ଚଳତ ମାର୍ଚ୍ଚ ମାସରେ କୋର୍ଟଙ୍କ ନିକଟରେ ଦାଖଲ କରାଯାଇଥିବା ଏକାଧିକ ସୁପାରିଶ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଆମିକସ କ୍ୟୁରୀ କହିଥିଲେ, ଯାହାସବୁ ସୁବିଧା ଓ ଅସୁବିଧା ରହିଛି ସେ ସମ୍ପର୍କରେ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେ ପୁଣି କହିଥିଲେ ତାଙ୍କ ଗସ୍ତ ସମୟରେ, ଶଙ୍କରାର୍ଯ୍ୟଙ୍କ ଦ୍ବାରା ଯେଉଁସବୁ ରୀତିନୀତିକୁ ନେଇ ପରାମର୍ଶ ଦିଆଯାଇଥିଲା ସେ ସମ୍ପର୍କରେ ମଧ୍ୟ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ରୀତିନୀତି ପାଇଁ ସେବାୟତଙ୍କ ଆବଶ୍ୟକତା ସମ୍ପର୍କରେ ମଧ୍ୟ ରିପୋର୍ଟରେ ଦର୍ଶାଇଥିଲେ ବୋଲି ଆମିକସ କ୍ୟୁରି ଖଣ୍ଡପୀଠଙ୍କୁ ଶୁଣାଣି ସମୟରେ କହିଥିଲେ।

ଏ ସମ୍ପର୍କରେ ଖଣ୍ଡପୀଠ କହିଥିଲେ ଯେହେତୁ ଅନେକ ରୀତିନୀତି ସାମିଲ ରହିଛି, କୋର୍ଟ କିମ୍ବା ସରକାର ସିଧାସଳଖ ହସ୍ତକ୍ଷପ କରିପାରିବେ ନାହିଁ। ଏଥିସହିତ, ଆମିକସ୍‌ କ୍ୟୁରିଙ୍କ ପ୍ରସ୍ତାବ ଉପରେ ସହମତି ରହିଛି କି ନାହିଁ ଖଣ୍ଡପୀଠ ମନ୍ଦିର ପ୍ରଶାସନକୁ ପ୍ରଶ୍ନ କରିଥିଲେ। ତେବେ, ମନ୍ଦିର ପ୍ରଶାସନ ଦ୍ବାରା ସହମତି ଥିବାର ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା। ଖଣ୍ଡପୀଠଙ୍କ ଦ୍ବାରା କୋର୍ଟଙ୍କ ପୂର୍ବ ଆଦେଶ ଅନୁସାରେ ଶୃଙ୍ଖଳିତ ଦର୍ଶନ ପାଇଁ ଯେଉଁସବୁ ବ୍ୟବସ୍ଥା କରାଯାଇଛି, ଆଗକୁ କଣ କରାଯାଇ ପାରିବ ଓ କଣ କରାଯିବାର ଆବଶ୍ୟକତା ରହିଛି, ସେନେଇ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେବା ପାଇଁ କୁହାଯାଇଥିଲା। ଅନ୍ୟପକ୍ଷରେ, ଶ୍ରୀମନ୍ଦିରରେ ନିୟୋଜିତ ସେବାୟତମାନେ କିଭଳି ଠିକ୍ ଭାବେ କାର୍ଯ୍ୟ ନିର୍ବାହ କରିପାରିବେ ଓ ଆମିକସ କ୍ୟୁରୀ ଦେଇଥିବା ରିପୋର୍ଟ ସଠିକ ଭାବେ କିଭଳି କାର୍ଯ୍ୟକାରୀ କରାଯାଇ ପାରିବ, ସେନେଇ ଆଜି ସୁପ୍ରିମକୋର୍ଟ ଶୁଣାଣି ସମୟରେ ଗୁରୁତ୍ବ ଦେଇଥିଲେ। ଏଥିସହିତ, ଶ୍ରୀମନ୍ଦିର ସଂସ୍କାର ମାମଲାରେ ଶୁକ୍ରବାର ଦିନ ଆଦେଶ ଶୁଣାଇବା ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର