ଖୁବ୍‌ଶୀଘ୍ର ଖୋଲିପାରେ ଶ୍ରୀମନ୍ଦିର, ସେବାୟତ ଓ ଅନ୍ୟମାନଙ୍କ ସହ ପ୍ରଶାସନର ଆଲୋଚନା

ପରିଚାଳନା କମିଟି ବୈଠକରେ ଚୂଡ଼ାନ୍ତ ହେବ ତାରିଖ

ପୁରୀ: ଡିସେମ୍ବର ମାସ ତୃତୀୟ ସପ୍ତାହରୁ ଖୋଲିପାରେ ଶ୍ରୀମନ୍ଦିର। ନାଗାର୍ଜୁନ ବେଶ ପୂର୍ବରୁ ଅନୁଷ୍ଠିତ ଶେଷ ପରିଚାଳନା କମିଟି ବୈଠକରେ ଏହି ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର। ସେହି ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି। ଶ୍ରୀମନ୍ଦିର ସେବାୟତ ଓ ଅନ୍ୟାନ୍ୟ ଲୋକଙ୍କୁ ଡାକି ବିଚାରବିମର୍ଶ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଖୋଲିଲେ କ’ଣ ଅସୁବିଧା ହେବ ଓ ଏହାର କ’ଣ ପ୍ରତିକାର କରାଯାଇ ପାରିବ, ତାର ତର୍ଜମା କରାଯାଉଛି। ସମସ୍ତଙ୍କ ମତାମତ ବି ନିଆଯାଉଛି। କିଭଳି ଓ କେଉଁ କେଉଁ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବ, ତାର ନକ୍ସା ପ୍ରସ୍ତୁତି ଚାଲିଛି।

ଗତ ଶୁକ୍ରବାର ଏ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ନିଜେ ଏହି ବୈଠକ ଡାକିଥିଲେ। ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକଙ୍କ ସମେତ ବରିଷ୍ଠ ସେବାୟତ, ମନ୍ଦିର ସହ ସମ୍ପୃକ୍ତ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ଖୁବଶୀଘ୍ର ଖୋଲିବାକୁ ଯାଉଥିବାବେଳେ ସମସ୍ତେ ଏଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ରାଜ୍ୟ ବାହାରର ଅନ୍ୟ ଦେବାବେଦୀ ମନ୍ଦିର ପ୍ରସଙ୍ଗରେ ବି ଆଲୋଚନା ହୋଇଥିଲା। ରାଜ୍ୟ ବାହାରେ ଯେଉଁ ଦେବାଦେବୀ ମନ୍ଦିର ଖୋଲାଯାଇଛି, ତାହା କେଉଁଭଳି ଚାଲିଛି, ସେ ଉପରେ ସମୀକ୍ଷା କରାଯାଇଥିଲା। କ’ଣ ସବୁ କଟକଣା ଲଗାଯାଇଛି, ତା’ର ବିବରଣୀ ବି ପ୍ରସ୍ତୁତ ହୋଇଥିଲା। ସେହି ଆଧାରରେ ଶ୍ରୀମନ୍ଦିର ଖୋଲିପାରିବ କି ନାହିଁ ସେନେଇ ମତ ସଂଗ୍ରହ କରାଯାଇଥିଲା। ତଥାପି କରୋନା ସଂକ୍ରମଣକୁ ରୋକିବା ଦିଗରେ ଯଥେଷ୍ଟ ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଥିଲା। ଖୁବଶୀଘ୍ର ଆଉ ଏକ ବୈଠକ ଡାକିବାକୁ ନିଷ୍ପତ୍ତି ହୋଇଛି। ସେବାୟତ ଓ ଅନ୍ୟମାନଙ୍କ ସହ ପର୍ଯ୍ୟାପ୍ତ ଆଲୋଚନା ଓ ବିଚାରବିମର୍ଶ ପରେ କେତେ ତାରିଖରୁ ଶ୍ରୀମନ୍ଦିର ଖୋଲିଲେ ଠିକ୍‌ ହେବ ସେ ଉପରେ ସମ୍ଭାବ୍ୟ ତାରିଖ ଧାର୍ଯ୍ୟ ହେବ। ସେହି ଅନୁଯାୟୀ ଜିଲ୍ଲା ପ୍ରଶାସନ ଜୋରସୋର‌ରେ ପ୍ରସ୍ତୁତି ଜାରି ରଖିଛି। ସମ୍ଭାବ୍ୟ ତାରିଖ ଧାର୍ଯ୍ୟ ହେବା ପରେ ଏହା ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ପଡ଼ିବ। ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଚୂଡ଼ାନ୍ତ ତାରିଖ ଧାର୍ଯ୍ୟ ହେବ।

ସମ୍ବନ୍ଧିତ ଖବର