ଶ୍ରୀମନ୍ଦିର ଦ୍ୱାରରେ ରୁପା ଛାଉଣି ନେଇ ବୈଠକ

ବାଇଶି ପାହାଚ ଅନୁଧ୍ୟାନ କଲେ ପ୍ରତ୍ନତତ୍ତ୍ୱ ଟିମ୍‌

ପୁରୀ: ଶ୍ରୀମନ୍ଦିର ଦ୍ୱାରର ରୁପା ଛାଉଣି ପ୍ରସଙ୍ଗ ନେଇ ପୁରୀରେ ମଙ୍ଗଳବାର ବୈଠକ ହୋଇଛି। ନୀଳାଚଳ ଭକ୍ତ ନିବାସରେ ଏହି ବୈଠକ ବସିଛି। ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୈଠକରେ ଯୋଗ ଦେଇଛନ୍ତି। ଏଥି ସହିତ ବୈଠକରେ ବିଭିନ୍ନ ନିଯୋଗର ପ୍ରତିନିଧି ମଧ୍ୟ ସାମିଲ ଅଛନ୍ତି। କଳାହାଟ, ଜୟବିଜୟ, ବେହରଣ ଦ୍ୱାର ନେଇ ଆଲୋଚନା ଚାଲିଛି। ସେହିପରି ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କ ଗର୍ଭଦ୍ୱାର ନେଇ ଆଲୋଚନା ହୋଇଛି। ଦ୍ୱାର ଗୁଡ଼ିକର ଡିଜାଇନ, ମରାମତି ଓ ତତ୍ତ୍ୱାବଧାନ ନେଇ ଆଲୋଚନା ହୋଇଛି।

ଆଜି ପ୍ରତ୍ନତତ୍ତ୍ୱ ବିଭାଗ ଟିମ୍‌ ଶ୍ରୀମନ୍ଦିରର ବାଇଶି ପାହାଚର ଅନୁଧ୍ୟାନ କରିଛନ୍ତି। ଏହି ଟିମ୍‌ ପାହାଚ ଗୁଡ଼ିକର ମାପଚୁପ ସହ ଦୁର୍ବଳ ପଥରକୁ ଚିହ୍ନଟ କରିଛନ୍ତି। ଦରକାର ପଡ଼ିଲେ ବାଇଶି ପାହାଚରୁ ଦୁର୍ବଳ ପଥର ଗୁଡ଼ିକ କଢ଼ା ଯାଇ, ସେଠାରେ ଅନ୍ୟ ପଥର ଲଗାଯିବ। ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ୱାର ପଟ ପାହାଚର ମରାମତି ହୋଇଥିଲା। ଏଏସ୍‌ଆଇ ଟିମ୍‌ ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିର ମଧ୍ୟ ଅନୁଧ୍ୟାନ କରିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଆଠ ଦ୍ୱାରରେ ଲାଗିବ ରୁପା ଚାଦର। ପ୍ରଥମେ ୩ଟି ଦ୍ବାର କଥା କୁହାଯାଉ ଥିବା ବେଳେ ଏବେ ଆଉ ୫ଟି ଦ୍ବାର ଏଥିରେ ସାମିଲ ହୋଇଛି। ପୁରୁଣା ହୋଇଯାଇଥିବା ଏହି ଆଠଟି ଦ୍ବାରକୁ ବିଦେଶରୁ ମଗାଯାଉଥିବା ବର୍ମା ଟିକ୍‌ରେ ସଂପୂର୍ଣ୍ଣ ନୂଆ ଗଢ଼ାଯିବ। ପରେ ଏହା ଉପରେ ସ୍ବତନ୍ତ୍ର ଶୈଳୀରେ ସୌନ୍ଦର୍ଯ୍ୟପୂର୍ଣ୍ଣ କାରୁକାର୍ଯ୍ୟ ପୂର୍ବକ ୨୪୧୩ କେଜିର ରୁପା ଚାଦର ବ୍ୟବହାର କରାଯାଇ ପୁରୁଣା ଦ୍ବାର ବଦଳରେ ନୂଆ ଦ୍ବାର ଲଗାଯିବ। ମୁମ୍ବାଇର ଜନୈକ ଭକ୍ତ ଏହି ରୁପା ଦାନସୂତ୍ରରେ ଦେଉଛନ୍ତି। ଦାନରେ ମିଳିଥିବା ଏହି ରୁପାର ମୂଲ୍ୟ ପ୍ରାୟ ୧୫ କୋଟି ୩୨ ଲକ୍ଷ ଟଙ୍କା। ଆଠଟି ଦ୍ବାରର କାଠ କାମ ଶେଷ ହେବା ପର୍ଯ୍ୟନ୍ତ ୨୪୧୩ କେଜି ରୁପା ଷ୍ଟ୍ରଙ୍ଗ୍‌ ରୁମ୍‌ରେ ରଖାଯିବ।

ସମ୍ବନ୍ଧିତ ଖବର