କାନ୍ଧ ଦେବାକୁ କେହି ଆସିଲେନି : ୩ ଘଣ୍ଟା ବାରଣ୍ଡାରେ ପଡ଼ି ରହିଲା ଶବ

ଜଗନ୍ନାଥପ୍ରସାଦ : ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଭାବସର ଗ୍ରାମରେ ଅଭି ସେଠୀ ନାମକ ଜଣେ ଯୁବକଙ୍କୁ ଲୋକେ ସଂଘବଦ୍ଧ ହୋଇ ପିଟି ପିଟି ହତ୍ୟା କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ହୋଇ ଫେରିଲା ଗାଁକୁ। ହେଲେ ଘର ବାରଣ୍ଡାରେ ପଡ଼ି ରହିଲା ଶବ।  ଜଣେ କେହି ସମବେଦନା ଜଣାଇବା ଦୂର କଥା, ଶବକୁ କାନ୍ଧ ଦେବାକୁ ଗ୍ରାମବାସୀ କି ଜ୍ଞାତିକୁଟୁମ୍ବ କେହି ଆସି ନଥିଲେ। ନିରୁପାୟ ମା’ ଘରକୁ ଘର ବୁଲି ସଭିଙ୍କୁ ଡାକି ଥକିଗଲେ। ଶେଷରେ ପୁଲିସ ସହାୟତାରେ ପାଖ ଗାଁ ରାଉତିର ଯୁବକ ସଂଘ କର୍ମକର୍ତା ମାନେ ଅନ୍ତିମ ସଂସ୍କାର କରିିବାକୁ ଆସିଥିଲେ। ଏଣେ ଅଭିଙ୍କୁ ହତ୍ୟା ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ବ୍ୟବହୃତ ଶାବଳ ଜବତ କରିଛି।

ଭାବସର ଗ୍ରାମରେ ଅଭିଙ୍କ ବିଶୃଙ୍ଖଳା ଓ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ରହିଥିଲେ ଲୋକେ। ଅଭିଙ୍କୁ ୮ଜଣ ଯୁବକ ପିଟି ପିଟି ହତ୍ୟା କରିଥିଲେ। ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ୧୫ରେ ଶବ ଭଂଜନଗର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ ହୋଇ ଭାବସର ଗ୍ରାମରେ ପହଞ୍ଚିଥିଲା। ହେଲେ ଅଭିଙ୍କ  ବିଧବା ମା’ ଓ ପତ୍ନୀ, ଦଶ ମାସର ଶିଶୁ କନ୍ୟା ଛଡ଼ା ଆଉ କେହିବି ଘରେ ନଥିଲେ। ଖବର ପାଇ ବି କୌଣସି ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଆସି ନଥିଲେ।

ସମ୍ବନ୍ଧିତ ଖବର