ସୁସ୍ଥ ହେଲେ ମହାପ୍ରଭୁ : ପିନ୍ଧିଲେ ରକ୍ତବସ୍ତ୍ର, ଲାଗି ହେଲା ଦଶମୂଳ

ପୁରୀ : ମହାପ୍ରଭୁ ନବଯୌବନ ପ୍ରାପ୍ତି ପୂର୍ବରୁ ଅଣସର ପିଣ୍ଡିରେ ଗୋପନ ସେବା ଚାଲିଛି । ମହାପ୍ରଭୁ ଗତକାଲି ଚକା ବିଜେ କରିବା ପରେ ଆଜି ଚକା ଉପରେ ଅଣସର ନୀତି ସଂପନ୍ନ ହୋଇଛି। ଆଜି ଖଳିଲାଗି, ରକ୍ତବସ୍ତ୍ର ଲାଗି, ସର୍ବାଙ୍ଗ ଚନ୍ଦନ ଆଦି ଗୋପନ ନୀତି ସଂପନ୍ନ ହୋଇଛି। ଗତକାଲି ଶ୍ରୀମନ୍ଦିରକୁ ବିଜେ ହୋଇଥିବା ମହୌଷଧି ଦଶମୂଳ ବି ଆଜି ମହାପ୍ରଭୁଙ୍କୁ ଲାଗି କରାଯାଇଛି। ଅଣସର ପିଣ୍ଡିକୁ ଯିବା ଦିନଠାରୁ ଶ୍ରୀଜୀଉମାନେ ଧଳାଫୁଲରେ ପୂଜା ପାଉଥିବାବେଳେ ଆଜି ପ୍ରଥମ କରି ମହାପ୍ରଭୁଙ୍କ ପସନ୍ଦ ତୁଳସୀ ଲାଗି କରାଯାଇଥିଲା। ଆଜି ବିଳମ୍ବିତ ରାତିରେ ଏସବୁ ନୀତି ସମ୍ପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି।

ବରିଷ୍ଠ ଦଇତାପତି ବିଶ୍ୱାବସୁ ବିନାୟକ ଦାସମହାପାତ୍ରଙ୍କ ସୂଚନା ମୁତାବକ, ଆଜି ପ୍ରଥମେ ପଟିଦିଅଁଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ପଟିଦିଅଁଙ୍କ ନିକଟରେ ସଂଧ୍ୟା ଆଳତୀ, ସଂଧ୍ୟା ଧୂପ ପରେ ଅଣସର ଦ୍ଵାର ଫିଟା ଯାଇଥିଲା। ପ୍ରତିଦିନ ଭଳି ଚକଟା ଓ ପଣା ଭୋଗ ହୋଇଥିଲା। ପରେ ସିଂଘାରୀ ସେବକମାନେ ପଟିଦିଅଁଙ୍କୁ ଚନ୍ଦନଲାଗି କରିଥିଲେ। ଏହି ସମୟରେ ଦଇତାପତି ସେବକମାନେ ଅଣସର ଘରେ ଥିବା ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ସଂପନ୍ନ କରିଥିଲେ। ଶ୍ରୀବିଗ୍ରହଙ୍କ ପୂରା ଶରୀରରେ ଚନ୍ଦନର ପ୍ରଲେପ ଦିଆଯାଇଥିଲା। ସର୍ବାଙ୍ଗ ଚନ୍ଦନ ନୀତି ପାଇଁ ୩୦ରୁ ୪୦ କେଜି ଚନ୍ଦନ ପ୍ରସ୍ତୁତ ହୋଇଥିଲା। ଏହି ଚନ୍ଦନ ଶ୍ରୀଜୀଉଙ୍କ ଦେହରେ ବର୍ଷେ ପର୍ଯ୍ୟନ୍ତ ରହିବ। ପୁନର୍ବାର ଆସନ୍ତା ବର୍ଷକୁ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହେବ। ସର୍ବାଙ୍ଗ ଚନ୍ଦନ ନୀତି ପରେ ଶ୍ରୀବିଗ୍ରହଙ୍କ ଖଣ୍ଡୁଆ ବେଶ କରାଯାଇଥିଲା। ଶ୍ରୀଜୀଉ ଆଜି ରକ୍ତବସ୍ତ୍ର ପରିଧାନ କରିଛନ୍ତି। ପରେ ଶ୍ରୀଜୀଉଙ୍କ ନିକଟରେ ଖଇ, ରାଜପ୍ରସାଦ ଭୋଗ ଲାଗି ହୋଇଥିଲା। ବିଳମ୍ବିତ ରାତି ପ୍ରାୟ ୩ଟାରେ ଶ୍ରୀମନ୍ଦିର ବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳ ମହାପ୍ରଭୁଙ୍କ ଉପଚାରରେ ଲାଗି ହୋଇଥିଲା। ସେହିଭଳି ଶୁଦ୍ଧ ସୁଆର ଅଣସର ଘରେ ପ୍ରସ୍ତୁତ କରିଥିବା ଖଳିକୁ(ଓଷ) ମଧ୍ୟ ଶ୍ରୀବିଗ୍ରହଙ୍କୁ ଲାଗି ହୋଇଥିଲା। ଆସନ୍ତାକାଲି ସକାଳ ୮ଟା ସୁଦ୍ଧା ମହାପ୍ରଭୁଙ୍କ ଗୁପ୍ତନୀତି ସରିବା ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଏକ ରୁପା ଥାଳିରେ ପାଟବସ୍ତ୍ର ପକାଇ ମହାପ୍ରଭୁଙ୍କ କରାଳ ଚନ୍ଦନ ରାଜପ୍ରସାଦକୁ ନେବେ। ସେଠାରେ ଗଜପତି ମହାରାଜ ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଗଜପତିଙ୍କୁ ଅବଗତ କରାଇବେ। ରଥଯାତ୍ରା ଓ ଗୁପ୍ତନୀତି ସଂପର୍କରେ ଅବଗତ କରାଇବେ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ଉପରେ ବିସ୍ତୃତ ଆଲୋଚନା କରିବେବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀବିଗ୍ରହଙ୍କ ଉପଚାର ପାଇଁ ଦଶମୂଳ ମହୌଷଧିକୁ ଶ୍ରୀମନ୍ଦିର ବୈଦ୍ୟମାନେ ଗତକାଲି ମନ୍ଦିର ଗାରଦରେ ଦାଖଲ କରିଥିଲେ । ଏହି ସବୁ ମହୌଷଧିକୁ ପ୍ରଭୁଙ୍କ କବିରାଜମାନେ ଶୁଦ୍ଧତାର ସହ ପ୍ରସ୍ତୁତ କରିଥିଲେ। ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ର ବିଧି ଅବଲମ୍ବନରେ ଏହା ପ୍ରସ୍ତୁତ ହୋଇଥିଲା। ଏହା ପୂର୍ବରୁ ଶ୍ରୀଜୀଉଙ୍କୁ ଫୁଲୁରି ତେଲ ଲାଗି ହୋଇ ସାରିଛି । ବିଳମ୍ବିତ ରାତ୍ରିରେ ଘଣାଲାଗି ନୀତି ମଧ୍ୟ ଆରମ୍ଭ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର