ଲକଡାଉନରେ ଜନତାଙ୍କ ସେବାକୁ ଗୁରୁତ୍ବ ଦେଇଛନ୍ତି ନେତା: ବିପଦର ବନ୍ଧୁ ସାଜିଛନ୍ତି ଜଗନ୍ନାଥ, ସୁଧୀର

ରାୟଗଡ଼ା: ଲକଡାଉନରେ ଜନତାଙ୍କ ସେବାକୁ ଗରୁତ୍ବ ଦେଇଛନ୍ତି ନେତା। ବିପଦର ବନ୍ଧୁ ପରି ଛିଡ଼ା ହୋଇଛନ୍ତି ଲୋକଙ୍କ ପାଖରେ। ବାହାର ରାଜ୍ୟରେ ଫସିଥିବା ଶ୍ରମିକଙ୍କ ସହ ନିଜ ଇଲାକାର ଜନସାଧାରଣ ଯେପରି ଏହି ମହାମାରୀରୁ ବର୍ତ୍ତିବେ ସେଥିପାଇଁ ଚାଲିଛି ଉଦ୍ୟମ। ସବୁଠି ଉପସ୍ଥିତ ନ ହୋଇ ପାରିଲେ ମଧ୍ୟ ଫୋନ୍ ମାଧ୍ୟମରେ ଲୋକଙ୍କ ସୁଖଦୁଃଖ ବୁଝି ସହଯୋଗ କରିବାକୁ ଦିନରାତିକୁ ଏକ କରି କାମ କରୁଛନ୍ତି ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ।

ଲକଡାଉନ ଅବଧି ଶେଷ ହେବା ସମୟ ପାଖେଇ ଆସୁଥିବାରୁ ଗାଁ ମୁହାଁ ହେବାକୁ ଥିବା ଶ୍ରମିକଙ୍କୁ ପଞ୍ଜିକରଣ କରି କିପରି ପଞ୍ଚାୟତ ଗୃହରେ କ୍ବାରାଣ୍ଟିନରେ ରଖାଯିବ ତାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ଜଗନ୍ନାଥ। ନିଜ ନିର୍ବାଚନ ମଣ୍ଡଳୀ ବିଷମକଟକର ମୁନିଗୁଡା, ଅମ୍ବାଦଳା, ଚନ୍ଦ୍ରପୁର ଅଞ୍ଚଳର ହଜାର ହଜାର ଶ୍ରମିକ କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ର, ତେଲେଙ୍ଗାନାରେ ଫସି ରହିଛନ୍ତି। ସରପଞ୍ଚ, ଆଶା, ଅଙ୍ଗନବାଡ଼ିଙ୍କ ସହଯୋଗରେ ଫେରନ୍ତା ସମସ୍ତ ଶ୍ରମିକଙ୍କୁ ଶତ ପ୍ରତିଶତ ଭ‌ାବେ କ୍ବାରାଣ୍ଟିନରେ ରଖିବା ଦିଗରେ ଉଦ୍ୟମ ଜାରି ରଖିଛନ୍ତି ମନ୍ତ୍ରୀ ଜଗନ୍ନାଥ। ସକାଳ ୭ରୁ ରାତି ୧୧ଟା ପର୍ଯ୍ୟନ୍ତ ନିର୍ବାଚିତ ଲୋକ ପ୍ରତିନିଧି, ସ୍ବେଚ୍ଛାସେବୀ, ବିଭିନ୍ନ ଗ୍ରାମର ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହ ଏହି ଦିଗରେ ଫୋନ୍ ଯୋଗେ ଆଲୋଚନା କରିଛନ୍ତି ଜଗନ୍ନାଥ। ପ୍ରତି ପଞ୍ଚାୟତରେ ଆବଶ୍ୟକ ସଂଖ୍ୟକ ବେଡ୍ ଉପଲବ୍ଧ ରଖିବାକୁ ଜିଲ୍ଲା ପ୍ରଶାସନ-ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଥିବା ଜଗନ୍ନାଥ କହିଛନ୍ତି।

ଜିଲ୍ଲାର ବିଭିନ୍ନ ଆଶ୍ରମରେ ଥିବା ଛାତ୍ରଛାତ୍ରୀ ଘରକୁ ଫେରି ଯାଇଥିବାରୁ ସୁରକ୍ଷିତ ଭାବେ ରହିବା ପାଇଁ ଫୋନ୍ କରି ଅଭିଭାବକଙ୍କ ଜରିଆରେ ଜଗନ୍ନାଥ କଥା ହେଉଛନ୍ତି। ଅନ୍ୟପକ୍ଷରେ ଡଙ୍ଗରିଆଙ୍କୁ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇବା, ରୋଜଗାର ହରାଇଥିବା ଲୋକଙ୍କୁ ପିଡିଏସ୍ ସାମଗ୍ରୀ, ଆର୍ଥିକ ସହାୟତା ପ୍ରଦାନ ଦିଗରେ କାମ କରୁଛନ୍ତି ଜଗନ୍ନାଥ। ବ୍ୟସ୍ତ ବହୁଳ ଜୀବନରେ ପରିବାର ଲୋକଙ୍କୁ ସମୟ ଦେଇପାରୁନଥିବା ବେଳେ ଏବେ ପରିବାର ସହ ମଧ୍ୟ କିଛି ସମୟ ବିତାଉଛନ୍ତି ଜଗନ୍ନାଥ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ ମଧ୍ୟ ଲୋକଙ୍କ ସେବା ପାଇଁ ଲକଡାଉନରେ ଘରୁ ଗୋଡ଼ କାଢ଼ିଛନ୍ତି। ଗୁଣପୁର ଓ ବିଷମକଟକ ନିର୍ବାଚନ ମଣ୍ଡଳୀକୁ ନିୟମିତ ପରିଦର୍ଶନରେ ଯାଇ ଲୋକଙ୍କ ସୁଖଦଃଖରେ ସାମିଲ୍ ହେଉଛନ୍ତି ସୁଧୀର। କରୋନା ପରିସ୍ଥିତି ଲାଗି ବହୁ ଲୋକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଥିବାରୁ ଘରେ ସ୍ବାସ୍ଥ୍ୟସେବାକୁ ପହଞ୍ଚାଇବା ଦିଗରେ ଉଦ୍ୟମ ଜାରି ରଖିଛନ୍ତି ସୁଧୀର। ମୁନିଗୁଡ଼ା ଟିକରପଡ଼ାରେ ଅଜଣା ରୋଗ ଆତଙ୍କ ଦେଖାଦେବା ନିଜେ ଟିକରପଡ଼ା ପରିଦର୍ଶନରେ ଯାଇ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଗୁରୁତର ଦୁଇ ରୋଗୀଙ୍କୁ କୋରାପୁଟ ଓ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।

ରକ୍ତଭଣ୍ଡାରରେ ଲାଗି ରହିଥିବା ରକ୍ତ ସଙ୍କଟ ଦୂର କରିବା ଦିଗରେ ମଧ୍ୟ ସୁଧୀର ଉଦ୍ୟମ ଜାରି ରଖିଛନ୍ତି। ନିକଟରେ ବିଷମକଟକରେ ରକ୍ତଦାନ ଶିବିର ଆୟୋଜନ ସରିଥିବା ବେଳେ ଆସନ୍ତାକାଲି ଅମ୍ବାଦଳା ଏବଂ ଆସନ୍ତା ସପ୍ତାହରେ ରାମନାଗୁଡା, କଲ୍ୟାଣସିଂହପୁର, ପଦ୍ମପୁରରେ ଶିବିର ଆୟୋଜନ ନେଇ ପ୍ରସ୍ତୁତି ସାରିଛନ୍ତି ସୁଧୀର। ଦିନ ତମାମ ଲୋକଙ୍କ ସୁଖଦୁଃଖ ବୁଝିବା ପରେ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନେଉଛନ୍ତି ସୁଧୀର।

ସମ୍ବନ୍ଧିତ ଖବର