ରଥାରୁଢ ହେଲେ ତିନି ଠାକୁର, ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବ ରଥଟଣା

ପୁରୀ: ପହଣ୍ଡିବିଜେ ନୀତି ସଂପନ୍ନ । ରଥାରୁଢ ହେଲେ ଚତୂର୍ଦ୍ଧାମୂର୍ତ୍ତି । ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ପବିତ୍ର ବାହୁଡା ଯାତ୍ରା । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଆସିଥିବା ବିଶ୍ୱ ନୟନ୍ତା କାଳିଆ ସାଆନ୍ତଙ୍କ ପ୍ରସିଦ୍ଧ ବାହୁଡା ଯାତ୍ରା । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ବାହୁଡା ଯାତ୍ରାରେ ପୁଣି ଗୁଣ୍ଡିଚା ମନ୍ଦିରରୁ ଫେରିଯିବେ ନୀଳକନ୍ଦରକୁ । ନୀତି ଅନୁସାରେ, ଆଜି ବାହୁଡା ଯାତ୍ରାର ସମସ୍ତ ନୀତିକାନ୍ତି ଚାଲିଛି । ପ୍ରଥମେ ତିନି ଠାକୁରଙ୍କ ମଙ୍ଗଳଆଳତୀ ତଥା ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କ ପହଣ୍ଡିବିଜେ ନୀତି ।

ପ୍ରଥମେ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପରେ ପରେ ଆରମ୍ଭ ହୋଇଥିଲା ବଡଭାଇ ତଥା ବଡଠାକୁର ପ୍ରଭୁ ଶ୍ରୀ ବଳଦେବଙ୍କ ପହଣ୍ଡି । ଏହା ପରେ ଧାଡି ପହଣ୍ଡିରେ ଗୁଣ୍ଡିଚା ଘରୁ ରଥ ଅଭିମୁଖେ ବାହାରିଥିଲେ ହଳଦୀମୁହିଁ ଦେବୀ ସୁଭଦ୍ରା । ଏବଂ ପାରମ୍ପରିକ ଭାବେ ସବା ଶେଷରେ ହୋଇଥିବା ଜଗତରନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ନୀତି । ତେବେ ପହଣ୍ଡିବିଜେ ନୀତି ସଂପନ୍ନ ହେବା ପରେ ଏବେ ରଥାରୁଢ ହୋଇଛନ୍ତି ଚତୂର୍ଦ୍ଧାମୂର୍ତ୍ତି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଡାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି । ଏହା ପରେ ରଥାରୁଢ ଶ୍ରୀବିଗ୍ରହଙ୍କ ଆରମ୍ଭ ହେବ ଛେରାପହଁରା ନୀତି ।

ସେହିପରି ଚାରମାଳ ଫିଟା ଓ ଘୋଡ଼ାଲାଗିବା ମଧ୍ୟାହ୍ନ ୧୨ଟାରେ‌ ‌ଶେଷ ‌ହୋଇ ରଥଟଣା ଆରମ୍ଭ ହେବ। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଏ ପଟେ ଜୁଲାଇ ୨ ତାରିଖରେ ସୁନା ବେଶ ପାଇଁ ସିଂହଦ୍ବାରରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ଆଜି ମଧ୍ୟ ବଡ଼ଦାଣ୍ଡକୁ କାହାକୁ ଆସିବାକୁ ଦିଆଯିବ ନାହିଁ। କେବଳ ସେବକମାନେ ରଥ ଟାଣିବେ। ବଡ଼ଦାଣ୍ଡରେ କଡ଼ା ସୁରକ୍ଷା‌ ଭିତରେ ସବୁ କିଛି କରାଯିବ। ସୁରକ୍ଷା ପାଇଁ ୭୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହିତ ଗଳିକନ୍ଦିକୁ ସିଲ୍ କ‌ରାଯାଇଛି।

ସମ୍ବନ୍ଧିତ ଖବର