ଦେବଗଡ଼ : ଅବହେଳିତ ଅବସ୍ଥାରେ ପଡ଼ିଛି ତତ୍କାଳୀନ ବାମଣ୍ଡା ରାଜ୍ୟର ଐତିହ୍ୟ ସମ୍ପନ୍ନ ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସ। ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ପୁରାତନ ପ୍ରେସ୍ଟି ଆଜି ପ୍ରାଶାସନିକ ଉପେକ୍ଷା କାରଣରୁ ଅଲୋଡ଼ା ହୋଇ ରହିଯାଇଛି। ମାସେ କି ୨ ମାସ ନୁହେଁ ବର୍ଷ ବର୍ଷ ହେଲା ଦେବଗଡ଼ ସରକାରୀ ଛାପାଖାନାର ବାରଣ୍ଡାରେ ପଡ଼ିଛି ବାମଣ୍ଡାର ଐତିହ୍ୟ। ଓଡ଼ିଆ ଭାଷା ଆନ୍ଦୋଳନର ସ୍ମୃତିକୁ ବହନ କରୁଥିବା ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସର ପୁରୁଣା ଛାପା ମେସିନ୍ ଏଭଳି ଅବସ୍ଥାରେ ପଡ଼ିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ, ବୁଦ୍ଧିଜୀବୀ କି ଜନସାଧାରଣ କେହି ସ୍ବର ଉତ୍ତୋଳନ କରୁ ନାହାନ୍ତି।
ରାଜ୍ୟ ସଂଗ୍ରହାଳୟରେ ସ୍ଥାନିତ କରିବା ପାଇଁ ଦେବଗଡ଼ ସରକାରୀ ଛାପାଖାନାରୁ ୨୦୧୪ ଏପ୍ରିଲ ମାସରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ବାମଣ୍ଡା ସ୍ମୃତିକୁ ବହନ କରୁଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ଏହାର ଦୃଢ଼ ବିରୋଧ କରାଯାଇଥିଲା। ଦେବଗଡକୁ ଏହି ମେସିନ୍କୁ ଫେରାଇ ଅଣାଯାଉ ବୋଲି ଦାବି କରାଯାଇଥିଲା। ଦାବିକୁ ସମ୍ମାନ ଜଣାଇ ମେସିନ୍କୁ ଦେବଗଡ ଫେରାଇ ଅଣାଯାଇଥିଲା। ଫେରି ଆସିଥିବା ମେସିନ୍ ସେହିଦିନଠାରୁ ଅଲୋଡ଼ା ହୋଇ ବାରଣ୍ଡାରେ ପଡ଼ି ରହିଛି। ତାହା ରାଜ୍ୟ ସଂଗ୍ରହାଳୟରେ ସ୍ଥାନିତ ହୋଇପାରିଲାନି କି ଉପଯୁକ୍ତ ରକ୍ଷଣାବେକ୍ଷଣ ହେଲା। ଏବେ କେବଳ ବାରଣ୍ଡାରେ ପଡ଼ି ପଡ଼ି ଖତ ଖାଇବା ହିଁ ସାର ହେଉଛି।
ସୂଚନା ଅନୁଯାୟୀ, ଓଡ଼ିଆ ଭାଷା ଅନ୍ଦୋଳନକୁ ଅଧିକ ତୀବ୍ର କରିବା ଓ ପତ୍ରିକା ପ୍ରକାଶନ ମାଧ୍ୟମରେ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାର ମହତ ଉଦ୍ଦେଶ୍ୟ ନେଇ ତତ୍କାଳୀନ ବାମଣ୍ଡାର ପ୍ରଜାନୁରାଗୀ ରାଜା ସାର ବାସୁଦେବ ସୁଢଳଦେବ ୧୮୮୬ରେ ତାଙ୍କ ରାଜଧାନୀ ଦେବଗଡ଼ର ମଧ୍ୟ ଭାଗରେ ନିର୍ମାଣ କରିଥିଲେ ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସ୍। ଏହି ପ୍ରେସରୁ ୧୮୮୯ରେ ମେ ୩୦ ତାରିଖରେ ଓଡିଆଭାଷା ଆନ୍ଦୋଳନର ବୀଜ ବୁଣିବା ପାଇଁ ନିଳମଣି ବିଦ୍ୟାରତ୍ନଙ୍କ ସଂପାଦନାରେ ପ୍ରକାଶିତ ହୋଇଥିଲା ‘ସମ୍ୱଲପୁର ହିତୈଷିଣୀ’। ତେବେ ଏହି ପତ୍ରିକା କେବଳ ଭାଷା ଆନ୍ଦୋଳନକୁ ତୀବ୍ରତର କରିଥିଲା। ୧୯୨୩ରେ ଏହାର ପ୍ରକାଶନ ବନ୍ଦ ହୋଇଥିଲା। ପରେ ଜଗନ୍ନାଥ ବଲ୍ଲଭ ପ୍ରେସ୍ର ନାମ ପରିବର୍ତ୍ତନ କରାଯାଇ ୧୯୧୨ରେ ଏହାର ନାମ ‘ହିତୈଷିଣୀ ଇଲେକ୍ଟ୍ରିକ ମେସିନ’ ପ୍ରେସ ନାମରେ ନାମିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ‘କଳିକା’ ଏବଂ ପରେ ‘ସୁଢ଼ଳ’ ପ୍ରେସ ନାମରେ ନାମିତ ହୋଇଥିଲା। ୧୮୮୯ରେ ସମ୍ୱଲପୁର ହିତୈଷିଣୀ, ୧୮୯୩ରେ ବିଜୁଳି, ୧୯୦୦ରେ ଆଲୋଚନା, ୧୯୦୦ ଜୁନରେ ଉତ୍କଳ ମଧୁପ, ୧୯୩୪ରେ ଉପହାର ଓ ୧୯୪୫ରେ ବାମଣ୍ଡାର ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବଙ୍କ ସମୟରେ କବି ଡ. ମାୟାଧର ମାନସିଂଙ୍କ ସମ୍ପାଦନାରେ ‘ଶଙ୍ଖ’ ପତ୍ରିକା ପ୍ରକାଶିତ ହୋଇଥିଲା। ତେବେ ରାଜତନ୍ତ୍ରର ଶେଷ ପରେ ଏହି ଐତିହ୍ୟସଂପନ୍ନ ପ୍ରେସକୁ ରାଜ୍ୟ ସରକାର ନିଜ ହାତକୁ ନେଇଥିଲେ। ଏହି ପ୍ରେସ୍ ଏବେ ସରକାରୀ ଶାଖା ଛାପାଖାନା ଭାବେ ଅଦ୍ୟାବଧି କାମ କରୁଛି। ଏବେ ଉକ୍ତ ଛାପାଖାନାରେ କର୍ମଚାରୀ ଅଭାବ ସାଙ୍ଗକୁ ପୁରୁଣା ମେସିନ୍ ସବୁ ଖତ ଖାଉଛି। ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଅବହେଳା କାରଣରୁ ଏହି ପ୍ରେସଟି ବର୍ତ୍ତମାନ ଶ୍ରୀହୀନ ହୋଇପଡିଛି। ରକ୍ଷଣାବେକ୍ଷଣ ଅଭାବରୁ ପୁରାତନ ଯନ୍ତ୍ରପାତି ନଷ୍ଟ ହେବାକୁ ବସିଛି। କୋଠା ଅବସ୍ଥା ମଧ୍ୟ ଦୟନୀୟ ହୋଇ ପଡିଛି।
ସୂଚନାଯୋଗ୍ୟ, ୨୦୦୫ରେ ଏହି ପ୍ରେସରୁ ୨ଟି ପୁରୁଣା ମେସିନ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ପରେ ପୁଣି ୨୦୧୪ରେ ଏକ ପୁରୁଣା ମେସିନକୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଏହା ଜଣାପଡ଼ିବା ପରେ ସେହି ପୁରୁଣା ମେସିନକୁ ପୁଣି ଦେବଗଡ଼ ଫେରାଇ ଆଣିବା ନିମନ୍ତେ ଜିଲ୍ଲାର ବୁଦ୍ଧିଜୀବୀମାନେ ଦାବି କରିଥିଲେ। ଫଳରେ ରାଜ୍ୟ ସଂଗ୍ରହାଳୟରେ ସ୍ଥାନିତ ହେବାକୁ ଯାଇଥିବା ମେସିନ୍ ଦେବଗଡ଼ ସରକାରୀ ଛାପାଖାନାକୁ ଫେରି ଆସିଥିଲା। ଫେରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ତାହା ସେହିଭଳି ବାରଣ୍ଡାରେ ପଡ଼ିଛି। ଏବେ ଉକ୍ତ ମେସିନ୍ ରାଜ୍ୟସଂଗ୍ରହାଳୟରେ ସ୍ଥାନିତ ହୋଇପାରିଲାନି କି ଉପଯୁକ୍ତ ସମ୍ମାନ ମିଳିଲାନି। ବାମଣ୍ଡାର ଅନ୍ୟାନ୍ୟ ଐତିହ୍ୟ ସଂପନ୍ନ ସ୍ମୃତି ପରି ଅସୁରକ୍ଷିତ ଭାବେ ମାଟିରେ ମିଶିବାକୁ ବସିଛି। ପରବର୍ତ୍ତୀ ପିଢ଼ି ପାଇଁ ଏହି ମେସିନ୍କୁ ସଂଗ୍ରହାଳୟରେ ସାଇତି ରଖିବା ଏବଂ ପୁରାତନ ଐତିହ୍ୟକୁ ଉପଯୁକ୍ତ ସମ୍ମାନ ଦେବାକୁ ଦାବି ହେଉଛି।