ମା’ ଛାଡିଦେଲା, ସାବତ ମା’ କଷ୍ଟ ବି ବଳିଗଲା: ଉଦ୍ଧାର ହେଲେ ଜଗନ୍ନାଥ, ବାସୁଦେବ

ସରକାରୀ ତନାଘନାରୁ ଆସିଲା ସାଂଘାତିକ ସତ, ଘରକୁ ଫେରିବାକୁ ମନା କରିଦେଲେ ଦୁଇ ଶିଶୁ

ଭୁବନେଶ୍ବର: କାହା କୋଳରେ ସନ୍ତାନଟିଏ ନାହିଁ ବୋଲି କେତେ ଡାକ୍ତର, ବୈଦ୍ୟ, ପୂଜାପାଠ କରୁଛି। ଆଉ କିଏ ନିଜ ସୁଖ ପାଇଁ ଜଣେ ନୁହେଁ, ନିଜର ଦୁଇ ଦୁଇଟି ଶିଶୁ (ଜଗନ୍ନାଥ (୧୦) ଓ ବାସୁଦେବ (୮)ଙ୍କ ଭାଗ୍ୟକୁ ନର୍କ ଭିତରକୁ ଠେଲିଦେବାକୁ ପଛଘୁଞ୍ଚା ଦେଉନାହିଁ। କଳିକାଳ ଏମିତି ଗ୍ରାସିଛି ଯେ ସାବତ ମା’ର ବିଷ ଆଖି ବି ଏହି ଶିଶୁଙ୍କୁ ଘରର ଏରୁଣ୍ଡି ବାହାରକୁ ଠେଲି ଦେଇଛି। ସେପଟେ ଅସହାୟ ବାପା ଏହାର ପ୍ରତିରୋଧ କରିବ କଣ, ପିଲା ଦୁଇଟିକୁ ପାଖ ସଂପର୍କୀୟଙ୍କ ହାତରେ ଟେକି ଦେଇଥିଲେ। ହେଲେ ପରିସ୍ଥିତିର ସୁଯୋଗ ଦେଖି ଦୁଇଟି ନାବାଳକ ଛୁଆଙ୍କୁ ନିର୍ଯାତନା ଦେବାକୁ ପଛଘୁଞ୍ଚା ଦେଲେ ନାହିଁ। ଏହା କୌଣସି ଗପର ବିଷୟ ବସ୍ତୁ ନୁହେଁ, ବରଂ ‘‘ନିଜ ସୁଖ ପାଇଁ ପୁଅକୁ ବିକିଦେଲେ ଦମ୍ପତି’’ ଶୀର୍ଷକରେ ସୋମବାର ‘ସମ୍ବାଦ’ରେ ମାଲକାନଗିରି ଜିଲ୍ଲାର ଗୋଟିଏ ଘଟଣା ସଂପର୍କରେ ପ୍ରକାଶ ପାଇଥିବା ରିପୋର୍ଟ ପଛର ସତ। ଖୋଦ୍ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ନିର୍ଦେଶରେ ଗତକାଲିଠାରୁ ଆରମ୍ଭ ହୋଇଥିବା ପ୍ରଶାସନିକ ତନାଘନାରୁ ଏଭଳି ଚା଼ଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଉଭୟ ଶିଶୁଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛନ୍ତି।

ଶିଶୁଗୃହରେ ରହିବେ, ନିର୍ଯାତନାର ତଦନ୍ତ ନିର୍ଦେଶ
‘ସମ୍ବାଦ’କୁ ପ୍ରଶଂସା କଲେ ମୁଖ୍ୟଶାସନ ସଚିବ

ଅନ୍ୟପକ୍ଷରେ ସେମାନଙ୍କୁ କ୍ରୀତଦାସ ଗୋତିଶ୍ରମିକ ପରି ଦିନରାତି ଖଟାଇବା ସଂପର୍କରେ ଯେଉଁ ଅଭିଯୋଗ ଆଣିଥିଲେ, ତାର ଅନୁଧ୍ୟାନ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଶ୍ରୀ ତ୍ରିପାଠୀ ମାଲକାନଗିରି ଜିଲ୍ଲା ପୁଲିସକୁ ନିର୍ଦେଶ ଦେଇଛନ୍ତି। ସୋମବାର ଦିନ ‘ସମ୍ବାଦ’ରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଉଭୟ ବାପା ଓ ମାଆ ନିଜ ସୁଖ ପାଇଁ ଅନ୍ୟତ୍ର ବାହା ହୋଇଯିବା ସହିତ ଜନ୍ମିତ ପୁଅକୁ ବିକ୍ରି କରିଦେଇଥିଲେ ଓ ପରେ ଶିଶୁଟି ନିର୍ଯାତିତ ହୋଇ ଲୁଚି ପଳାଇଆସିବା ସହିତ ଅଙ୍ଗନବାଡ଼ି ଦିଦି ଜୟନ୍ତୀଙ୍କୁ ନିଜ ନିର୍ଯାତନା ସଂପର୍କରେ ବଖାଣିଥିଲେ। ତାକୁ କିଭଳି କଷ୍ଟ ଦିଆଯାଇଛି ଓ ତା ସହିତ ଘଟିଥିବା ଘଟଣା ସଂପର୍କରେ ଏଥିରେ କୁହାଯାଇଥିଲା। ରିପୋର୍ଟ ଉପରେ ମୁଖ୍ୟସଚିବ ଶ୍ରୀ ତ୍ରିପାଠୀ ତଦନ୍ତ ନିର୍ଦେଶ ଦେବା ସହିତ ପିଲାଟିର ଉଦ୍ଧାର, ସୁରକ୍ଷା, ଶିକ୍ଷା ଆଦିର ଉପଯୁକ୍ତ ବ୍ୟବସ୍ଥା କରିବା ଲାଗି ଜିଲ୍ଲାପାଳଙ୍କୁ କହିଥିଲେ। ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଵାଲଙ୍କ ନିର୍ଦେଶ କ୍ରମେ ମାଥିଲି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚାଇଲ୍ଡ ଲାଇନ୍ ସଦସ୍ୟଙ୍କୁ ନେଇ କିଆଙ୍ଗ ପଞ୍ଚାୟତର ତେଲକାବେଚ୍ଛା ଗାଁକୁ ଯାଇ ସ୍ଥିତିର ପୂର୍ଣ୍ଣ ଅନୁଧ୍ୟାନ କରିଥିଲେ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଦେଖାଗଲା ଯେ ଶୁକ୍ରା ଭୂମିଆର ଗୋଟିଏ ନୁହେଁ, ଦୁଇଟି ପୁଅ ଥିଲେ। କୌଣସି କାରଣରୁ ସେ ଜେଲରେ ଥିଲା। ସେହି ସମୟରେ ତାର ସ୍ତ୍ରୀ ଅନ୍ୟତ୍ର ବିବାହ କରି ଚାଲିଗଲା। ଏତେ ନିର୍ଦୟ ଯେ ନିଜର ଦୁଇ ନାବାଳକ ପୁଅଙ୍କ ସଂପର୍କରେ ଥରୁଟିଏ ବି ଚିନ୍ତା କଲାନାହିଁ। ଶୁକ୍ରା ଜେଲରୁ ଫେରିବା ପରେ ଆଉ ପାଦେ ଆଗକୁ ଯାଇ ନିଜେ ଦ୍ବିତୀୟ ବିବାହ କରିଥିଲା। ହେଲେ ଏଥର ପିଲାମାନଙ୍କ ଉପରେ ସାବତ ମା’ର କୋପଦୃଷ୍ଟି ପଡ଼ିଲା। ନାହିଁ ନ ଥିବା କଷ୍ଟ ପାଇଲେ ଉଭୟ ଶିଶୁ। ପରେ ଶୁକ୍ରା ଦୁଇ ପିଲାଙ୍କୁ ଯଥାକ୍ରମେ ପାନଗାମ ପଞ୍ଚାୟତ ଅନ୍ତର୍ଗତ ଏବଂ ସିରାଗୁଡା ଶାଳପଦାରେ ରହୁଥିବା ନିଜର ସଂପର୍କୀୟ ଭାଇଙ୍କ ଘରେ ଛାଡ଼ି ଦେଇଥିଲା। ଗ୍ରାମବାସୀ କହିଛନ୍ତି, ଶୁକ୍ରା ସେମାନଙ୍କୁ ବିକ୍ରି କରିନଥିଲା। ହେଲେ ଦୁଇଜଣ ଶିଶୁଙ୍କୁ ସଂପର୍କୀୟଙ୍କ ଘରେ ଉପଯୁକ୍ତ ବ୍ୟବହାର ଦୂରେ ଥାଉ; ତାଙ୍କର କେହି ଯତ୍ନ ନେଇନଥିଲେ।

ଆଜି ଚାଇଲ୍ଡ ଲାଇନର ସଦସ୍ୟମାନେ ଉଭୟଙ୍କୁ ଉଦ୍ଧାର କରି ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ଉଦ୍‌ବେଗର ବିଷୟ ହେଲା, ଉଭୟ ଶିଶୁଙ୍କ ନିଜ ମା’ ଖୁସି ପାଇଁ ସେମାନଙ୍କୁ ବିପଜ୍ଜନକ ସ୍ଥିତିକୁ କେବଳ ଠେଲି ଦେଇ ଚାଲିଗଲା ତା ନୁହେଁ, ସାବତ ମା’ ଏତେ କ୍ରୁର ଆଚରଣ କରିଛନ୍ତି ଯେ ଉଭୟ ଶିଶୁ ଆଉ ସେମାନଙ୍କ ପରିବାରକୁ ଫେରିବା ଲାଗି ଆଗ୍ରହ ଦେଖାଇନଥିଲେ। ସିଧା ସିଧା ଜିଲ୍ଲା ପ୍ରଶାସନକୁ ମନା କରିଦେଇଥିଲେ ଯେ ସେମାନେ ଆଉ ନିଜ ଘରକୁ ଫେରିବେ ନାହିଁ। ଫଳରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି ନିଷ୍ପତ୍ତି ଅନୁସାରେ ସେମାନଙ୍କୁ ଶିଶୁ ଗୃହକୁ ନିଆଯାଇଛି ଓ ସେଠାରେ ରହିବା, ଖାଇବା, ସ୍ବାସ୍ଥ୍ୟ, ଶିକ୍ଷା ଓ ବିକାଶ ଲାଗି ଆବଶ୍ୟକ ପ୍ରଶାସନ ନେଇଛନ୍ତି। ଏହି ଘଟଣାରେ ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ ‘ସମ୍ବାଦ’କୁ ସାଧୁବାଦ ଜଣାଇବା ସହିତ ଜିଲ୍ଲାପାଳ, ବ୍ଲକ ପ୍ରଶାସନ, ଶିଶୁ ମଙ୍ଗଳ କମିଟି, ଗ୍ରାମବାସୀଙ୍କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର