ପରଲୋକରେ ଜଗନ୍ନାଥ ଭକ୍ତ ଭିକାରୀ ମହମ୍ମଦ

ନିରବୀ ଗଲା ଅନ୍ୟତମ ସାଲବେଗଙ୍କ ସ୍ବର, ଖଣ୍ଡପଡ଼ା ଜଣେ ବିଶିଷ୍ଟ କଳାକାରଙ୍କୁ ହରାଇଲା: ସୌମ୍ୟରଂଜନ

ଖଣ୍ଡପଡା : ଆଉ ଶୁଣିବାକୁ ମିଳିବନି ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ ଭିକାରୀ ମହମ୍ମଦଙ୍କ ଭଜନ ଓ ଜଣାଣ। ଦ୍ୱିତୀୟ ସାଲବେଗ ଭାବେ ପରିଚିତ ଖଣ୍ଡପଡ଼ା ସହରାଞ୍ଚଳ ୨ନଂ ୱାର୍ଡ ଅନ୍ତର୍ଗତ ତଳସାହି ବାସିନ୍ଦା ଭିକାରୀ ମହମ୍ମଦଙ୍କର ବୁଧବାର ରାତି ୧୧.୪୫ରେ ପରଲୋକ ଘଟିଛି। ଗତ ମାସ ୨୮ ତାରିଖରୁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବା ସହ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜର ସ୍ଵତନ୍ତ୍ର କୋଭିଡ୍‌ ୱାର୍ଡରେ ଚିକିତ୍ସିତ ହେଉଥିଲେ। ଅନ୍ୟପକ୍ଷରେ, ଗୁରୁବାର ଅପରାହ୍ଣରେ କଟକ ସତୀଚଉରାସ୍ଥିତ ଶ୍ମଶାନରେ କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ପରିବାର ସୂତ୍ରରୁ ସୂଚନା ମିଳିଛି।

ମୁସଲମାନ ସମ୍ପ୍ରଦାୟର ହୋଇଥିଲେ ହେଁ ପିଲାଟି ଦିନରୁ ସେ ଥିଲେ କାଳିଆ ଠାକୁରଙ୍କ ପରମ ଭକ୍ତ। କେବଳ ଖଣ୍ଡପଡ଼ା ନୁହେଁ, ସାରାରାଜ୍ୟରେ ଜଗନ୍ନାଥ ଉପାସକ ଭାବେ ଭିକାରୀ ମହମ୍ମଦ ପରିଚିତ ନାଁ’ଟିଏ। ଆଜୀବନ ଅବିବାହିତ ଥିବା ଭିକାରୀ ମହମ୍ମଦଙ୍କ ଜନ୍ମ ଅତ୍ୟନ୍ତ ରୋଚକ। ଦୁଇ ଭଉଣୀଙ୍କ ପରେ ପୁଅଟିଏ ପାଇଁ ସବୁ ଆଡ଼ୁ ନିରାଶ ହେବା ପରେ ଭିନ୍ନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ତାଙ୍କ ମା’ ଓଡ଼ିଆ ଜାତି ଓ ସଂସ୍କୃତିର ଆରାଧ୍ୟ ଠାକୁରଙ୍କ ନିକଟରେ ପୁଅଟିଏ ପାଇଁ ପ୍ରାର୍ଥନା କରିବା ସହିତ ଦ୍ଵିତୀୟା ଓଷା ବ୍ରତ ରଖିଥିଲେ। ଆଉ ପୁତ୍ର ଜନ୍ମ ପରେ ତାଙ୍କ ନାଁ’ ରଖିଥିଲେ ଭିକାରୀ ଏବଂ ମୁସଲିମ ହେତୁ ଶେଷ ନାଁ ରହିଲା ମହମ୍ମଦ।

କାର୍ଟୁନିଷ୍ଟ ତଥା କଟାକ୍ଷ କିଶୋର ଭାବେ ପରିଚିତ କିଶୋର ରଥଙ୍କ କହିବା ଅନୁଯାୟୀ, ହରିହର ସିଂହ ମର୍ଦ୍ଦରାଜ, ନରସିଂହ ସିଂହ ସାମନ୍ତ, ବୈଦ୍ୟନାଥ ଷଡ଼ଙ୍ଗୀ, ରାଧାମୋହନ ପଟ୍ଟନାୟକ, ଜାନକୀବଲ୍ଲଭ ପଟ୍ଟନାୟକ, ରାଜକିଶୋର ମିଶ୍ର, ଶଶିଭୂଷଣ ରଥ, କାଳନ୍ଦୀ ଚରଣ ରଥ, ଲିଙ୍ଗରାଜ ରଥ, ତ୍ରିଲୋଚନ ମିଶ୍ର, ଗଙ୍ଗାଧର ଦାଶ, ଗଙ୍ଗାଧର ପାତ୍ର, ଗୋବିନ୍ଦଚରଣ ପଟ୍ଟନାୟକ, ବିମ୍ବାଧର ପଣ୍ଡା, ସୁରେଶ ଚନ୍ଦ୍ର ମହାପାତ୍ର ଆଦି ଖଣ୍ଡପଡ଼ା ଢୁମ୍ପା ସଂଗୀତର ବରିଷ୍ଠ କଳାକାରବୃନ୍ଦ ଯେଉଁ ସମୟରେ ବଣଭୋଜି ସହିତ ଢୁମ୍ପାସଂଗୀତ ଆସର କରିବାକୁ ଯାଉଥିଲେ ସେହି ସମୟରେ ଭିକାରୀ ମହମ୍ମଦ ତାଙ୍କ ପିତା ଅମିର ମହମ୍ମଦଙ୍କ ସହ ସେଠାକୁ ଯାଉଥିଲେ ଏବଂ ବାଲ୍ୟକାଳରେ ପ୍ରଥମେ ତାଙ୍କର ସଙ୍ଗୀତ ପ୍ରତିଭାର ପରିଚୟ ମିଳିଥିଲା। ହିନ୍ଦୁ ରୀତିନୀତି ଓ ପାର୍ବଣ ଅନୁଯାୟୀ ସଂକ୍ରାନ୍ତି, ମହାଶିବରାତ୍ରିରେ ସେ ଉପବାସ ରଖିବା ସହ ଖଣ୍ଡପଡ଼ା ଜଗନ୍ନାଥଙ୍କ ମୁକ୍ତି ମଣ୍ଡପରେ ଭଜନ ଓ ଜଣାଣ ପରିବେଷଣ କରିଆସୁଥିଲେ। ସାରା ଓଡ଼ିଶାର ବିଭିନ୍ନ ମଞ୍ଚରେ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ଭିକାରୀ ବଳ ଆଦି ସ୍ଵନାମଧନ୍ୟ କଳାକାରଙ୍କ ମଞ୍ଚରେ ଜଗନ୍ନାଥ ଭଜନ ସହ ଚମ୍ପୁ, ଛାନ୍ଦ, ଢୁମ୍ପା, ଚଉପଦୀ ପରିବେଷଣ କରି ଶ୍ରୋତାମଣ୍ଡଳୀକୁ ମନ୍ତ୍ରମୁଗ୍ଧ କରୁଥିଲେ। ଏ ଯୁଗର ସାଲବେଗ ତଥା ଭଲ କଳାକାର ଭାବେ ଖ୍ୟାତି ଅର୍ଜନ କରିଥିଲେ ହେଁ ଅର୍ଥପ୍ରତି ସେ ଲାଳାୟିତ ନଥିବା ସ୍ଵର୍ଗତ ମହମ୍ମଦଙ୍କ ନିଆରା ଓ ସରଳ ଜୀବନଶୈଳୀକୁ ଦେଖିଲେ ଜଣାପଡ଼େ। ଅବିବାହିତ ଥିବା ଏହି ବର୍ଷୀୟାନ କଳାକାରଙ୍କ ପରିବାର କହିଲେ ଦୁଇ ଭାଇ ଓ ଦୁଇ ଭଉଣୀ ଏବଂ ଖଣ୍ଡପଡ଼ା ସହରାଞ୍ଚଳ ୨ନଂ ୱାର୍ଡ ଅନ୍ତର୍ଗତ ତଳସାହିରେ ଟାଇଲ ଛପର ଘର, ଯେଉଁଠି ତାଙ୍କ ଶେଷ ଜୀବନ କଟୁଥିଲା।।

ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଭିକାରୀ ମହମ୍ମଦଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଏଥିସହିତ ଶ୍ରୀ ପଟ୍ଟନାୟକ ତାଙ୍କ ବିୟୋଗରେ ଖଣ୍ଡପଡ଼ା ଜଣେ ବିଶିଷ୍ଟ କଳାକାର ତଥା ଦ୍ୱିତୀୟ ସାଲବେଗଙ୍କୁ ହରାଇଥିବା ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର