ଖଣ୍ଡପଡ଼ା : ଖଣ୍ଡପଡ଼ା ସହରାଞ୍ଚଳ ବାସିନ୍ଦା ଭିକାରୀ ମହମ୍ମଦ। ମୁସଲମାନ ସମୁଦାୟର ହୋଇଥିଲେ ହେଁ ଜଗନ୍ନାଥ ଜଣାଣ ଓ ଭଜନରେ ଦିନ କଟିଥାଏ। କେବଳ ଖଣ୍ଡପଡ଼ା ନୁହେଁ, ସାରା ଓଡ଼ିଶାରେ ପରିଚିତ ନାଁ’ଟିଏ ଭିକାରୀ ମହମ୍ମଦ। କେହି କେହି ଓଡ଼ିଶାର ଦ୍ବିତୀୟ ସାଲବେଗ ଭାବେ ମଧ୍ୟ ଅଭିହିତ କରିଥାନ୍ତି ତାଙ୍କୁ। ତେବେ ୭୧ ବର୍ଷ ବୟସ୍କ ଏହି ସ୍ବନାମଧନ୍ୟ କଳାକାର ଓ କଣ୍ଠଶିଳ୍ପୀ ବର୍ତ୍ତମାନ ଶଯ୍ୟାଶାୟୀ। କିଛିଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ଗୁରୁତର ଅସୁସ୍ଥ ହୋଇପଡ଼ିବା ସହ କଟକସ୍ଥିତ ଏସ୍ସିବି ମେଡିକାଲ୍ କଲେଜରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ପରିବାର ବର୍ଗଙ୍କଠାରୁ ମିଳିଥିବା ସୂଚନା ମୁତାବକ କିଛି ମାସ ତଳେ ପ୍ରଥମେ ପକ୍ଷାଘାତଗ୍ରସ୍ତ ହେବା ପରେ ସୁସ୍ଥ ହୋଇଥିଲେ ହେଁ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିଲା। ଆଉ ଗତ ବୁଧବାର ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ପ୍ରଥମେ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ୍ରେ ଏହି ବର୍ଷିୟାନ କଳାକାର ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଶେଷ ଖବର ସୁଦ୍ଧା ସେ ଏବେ ସ୍ବତନ୍ତ୍ର କୋଭିଡ୍ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ମହଲରୁ ଶୀଘ୍ର ସୁସ୍ଥତା ନିମନ୍ତେ ପ୍ରାର୍ଥନାର ସୁଅ ଛୁଟିଛି।
/sambad/media/post_attachments/wp-content/uploads/2020/11/jagannath-bhakta-khandapada-300x92.jpg)
ସୂଚନାଯୋଗ୍ୟ ଯେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳରେ ଜନ୍ମିତ ଏହି କଳାକାରଙ୍କ ବାଲ୍ୟ ଜୀବନ ବେଶ୍ ରୋଚକ। ଦୁଇ ଭଉଣୀ ଜନ୍ମ ହେବା ପରେ ମୁସଲମାନ ସମ୍ପ୍ରଦାୟର ହୋଇଥିଲେ ହେଁ ତାଙ୍କ ମା’ ଓଡ଼ିଆ ପରମ୍ପରା ଅନୁଯାୟୀ ଦ୍ବିତୀୟା ଓଷା କରି ଜଗନ୍ନାଥଙ୍କୁ ପୁଅଟିଏ ମାଗିଥିଲେ। ଜଗତର ନାଥ ମନସ୍କାମନା ପୂରଣ କରିଥିବାରୁ ପ୍ରଥମେ ତାଙ୍କ ନାମ ରଖିଥିଲେ ଭିକାରୀ ଏବଂ ମୁସଲମାନ ହେତୁ ଶେଷନାମ ରହିଲା ମହମ୍ମଦ। ପିଲାଟି ଦିନରୁ କାଳିଆ ଠାକୁରଙ୍କ ପ୍ରତି ଭଲ ପାଇବା ଓ ଆକର୍ଷଣ ଯୋଗୁ ଜଗନ୍ନାଥ ଜଣାଣ ଓ ଭଜନ ମୁଖସ୍ଥ କରିଥିଲେ। ଗଡ଼ଜାତ ଶାସନରେ ରାଜା ହରିହର ସିଂଙ୍କ ଦରବାରରେ ସେ ସଙ୍ଗୀତ ପରିବେଷଣ କରୁଥିବା ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳେ। ସାଲବେଗଙ୍କ ଜଣାଣ ଓ ଭଜନ ସୁନ୍ଦର ଭାବେ ପରିବେଷଣ କରିବାରୁ ପୁରୀ ଗଜପତି ମହାରାଜ ତାଙ୍କୁ ପୁରସ୍କୃତ ଓ ସମ୍ମାନିତ ମଧ୍ୟ କରିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ସଙ୍ଗୀତ ପରିବେଷଣ ଶ୍ରୋତାଙ୍କୁ ମୁଗ୍ଧ କରିବା ସହ ଜଗନ୍ନାଥ ଉପାସକ ଭାବେ ସାରା ରାଜ୍ୟରେ ସେ ପରିଚିତି ଲାଭ କରିଥିଲେ।
ନିଜସ୍ବ ପ୍ରତିଭା ପାଇଁ ଓଡ଼ିଶା ସଙ୍ଗୀତ ଏକାଡେମୀ, ରୁଚି ପ୍ରତିଭା ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଭଳି ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି ଏହି ବର୍ଷିୟାନ୍ କଳାକାର। ଭିକାରୀ ବଳ, ପ୍ରଫୁଲ୍ଲ କର, ସିକନ୍ଦର ଆଲମ, ଅକ୍ଷୟ ମହାନ୍ତିଙ୍କ ଭଳି ପ୍ରସିଦ୍ଧ କଣ୍ଠଶିଳ୍ପୀ ତାଙ୍କୁ ନିଜ ମଞ୍ଚରେ ସଙ୍ଗୀତ ପରିବେଷଣର ସୁଯୋଗ ଦେଇଥିବା ଜଣାପଡ଼ିଛି। ପ୍ରତିବର୍ଷ ରଥଯାତ୍ରା ସମୟରେ ପୁରୀ ଯାଇ ଜଗନ୍ନାଥ ଭଜନ ଓ ଜଣାଣକୁ ଲୋକଙ୍କ ନିକଟରେ ପରିବେଷଣ କରିଥାନ୍ତି। ସେହିପରି ରାଜ୍ୟ ସରକାରଙ୍କଠାରୁ ସହାୟତା ହିସାବରେ କେବଳ କଳାକାର ଭତ୍ତାରେ ସୀମିତ ଥିବା ଭିକାରୀ ମହମ୍ମଦଙ୍କର ଚିକିତ୍ସା ବ୍ୟବସ୍ଥା ସରକାର ନିଜ ହାତକୁ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/jagannath-bhakta-khandapada-3.jpg)