ଭକ୍ତ କିଣିପାରିବେ ମହାପ୍ରଭୁଙ୍କ ଦାନବସ୍ତ୍ର : ନିଲାମ୍‌ ପାଇଁ ଗଠନ ହେଲା ୪ ଜଣିଆ କମିଟି, ସରିଲା ବସ୍ତ୍ର ଅଲଗା କାମ

ପୁରୀ : ନିଲାମ ହେବ ମହାପ୍ରଭୁଙ୍କ ଦାନବସ୍ତ୍ର। ଭକ୍ତ କିଣିପାରିବେ ଏହି ବସ୍ତ୍ର। ହୁଣ୍ଡିରୁ ଦାନସୂତ୍ରରେ ମିଳୁଥିବା ଏହି ବସ୍ତ୍ର ରଖିବାକୁ ଶ୍ରୀମନ୍ଦିର ସ୍ୱତନ୍ତ୍ର ଗୃହରେ ସ୍ଥାନାଭାବ ପରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଏ ନେଇ ୪ ଜଣିଆ କମିଟି ଗଠନ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ କହିଛନ୍ତି, ଭକ୍ତମାନେ ଦୈନିକ ହୁଣ୍ଡିରେ ଦାନସୂତ୍ରରେ ଅନେକ ମୂଲ୍ୟବାନ ବସ୍ତ୍ର ଦେଉଛନ୍ତି। କିଏ ଖଣ୍ଡୁଆ ପାଟ ତ କିଏ ଅନ୍ୟ କିଛି ଲୁଗା ଦାନ ସୂତ୍ରରେ ଦେଉଛନ୍ତି। ଏଥିରୁ କିଛି ମହାପ୍ରଭୁଙ୍କୁ ଲାଗି ହେଉଥିବା ବେଳେ ବାକି ବସ୍ତ୍ର ସ୍ୱତନ୍ତ୍ର ଗୃହରେ ଗଚ୍ଛିତ ରଖାଯାଉଛି। ଏହାବାଦ୍‌ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ପରେ କଢ଼ାଯାଉଥିବା ବସ୍ତ୍ର ବି ଏହି ଗୃହରେ ଗଚ୍ଛିତ ରଖାଯାଉଛି। ବର୍ଷ ବର୍ଷ ଧରି ଦାନବସ୍ତ୍ର ଓ ଶ୍ରୀଅଙ୍ଗ ଲାଗି ବସ୍ତ୍ର ଗୃହରେ ଗଚ୍ଛିତ ରହିବାରୁ ସ୍ଥାନାଭାବ ସମସ୍ୟା ଦେଖାଦେଇଛି। ଏହାକୁ ଏଡାଇବା ଲାଗି ଶ୍ରୀମନ୍ଦିର ପ୍ରଶାସନ ହୁଣ୍ଡି ଦାନବସ୍ତ୍ର ନିଲାମ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ଦାଶ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଓଏସ୍‌ଡି ସରୋଜ କୁମାର ରାୟ କହିଛନ୍ତି, ଭକ୍ତମାନେ ହୁଣ୍ଡିରେ ଦାନସୂତ୍ରରେ ଗାମୁଛା, ଟାୱେଲ୍‌, ସାର୍ଟପ୍ୟାଣ୍ଟ, ଶାଲ୍‌ ଆଦି ଦେଉଛନ୍ତି। ଏସବୁ ବର୍ଷ ବର୍ଷ ଧରି ଗଚ୍ଛିତ ରହିବା ଫଳରେ ଗୃହରେ ସ୍ଥାନାଭାବ ଦେଖାଦେଇଛି। ଶ୍ରୀଅଙ୍ଗଲାଗି ବସ୍ତ୍ର କ୍ଷେତ୍ରରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏଣୁ ପ୍ରାଥମିକ ପର୍ଯ୍ୟାୟରେ ହୁଣ୍ଡିଦାନ ବସ୍ତ୍ରକୁ ନିଲାମ ପାଇଁ ନିଷ୍ପତ୍ତି ନିଆଯାଇଛି। ଉଚ୍ଚସ୍ତରୀୟ ବୈଠକ ପରେ ଏ ନେଇ ୪ ଜଣିଆ କମିଟି ଗଠନ କରାଯାଇଛି। ଅଫିସର୍‌ ଇନ୍‌ଚାର୍ଜ (ନୀତି), ଓଏସ୍‌ଡି, ଡେପୁଟି ଆଡ୍‌ମିନିଷ୍ଟ୍ରେସନ୍‌ (ଫାଇନାନ୍‌ସ), ସହକାରୀ ସେଟେଲ୍‌ମେଣ୍ଟ ଅଧିକାରୀ ଏହି କମିଟିରେ ସଦସ୍ୟ ରହିଛନ୍ତି। ଦାନସୂତ୍ରରେ ମିଳିଥିବା ଏହି ବସ୍ତ୍ରଗୁଡ଼ିକୁ ଗତକାଲି ଅଲଗା କରାଯାଇଛି। ନିଲାମ ପାଇଁ ବୟନଶିଳ୍ପ ସହକାରୀ ନିର୍ଦେଶକଙ୍କୁ ଚିଠି କରାଯାଇଛି। ତାଙ୍କ ଉପସ୍ଥିତିରେ ନିଲାମ ନିଷ୍ପତ୍ତି ନିଆଯିବ। ନିଲାମ ଦର ଧାର୍ଯ୍ୟ ପରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ରାୟ କହିଛନ୍ତି।

ସମ୍ବନ୍ଧିତ ଖବର