ଖଣ୍ଡଗିରି: ଚଳିତ ମାସ ୭ତାରିଖ ଦିନ ଋଷିକେଶରେ ଇସ୍କନ୍‌ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ୨୮ତମ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅଦିନରେ ଆୟୋଜିତ ହୋଇଥିବା ଏହି ରଥଯାତ୍ରାକୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ କଡ଼ା ନିନ୍ଦା କରିବା ସହ ଦୃଢ଼ ବିରୋଧ କରିଛି। ଗଜପତି ମହାରାଜା ବାରମ୍ବାର କ୍ଷୋଭ ପ୍ରକାଶ କରିବା ସତ୍ତ୍ବେ ଏବଂ ସେପ୍ଟେମ୍ବର ୬ ତାରିଖରେ ଇସ୍କନ୍‌ କର୍ତ୍ତୃପକ୍ଷଙ୍କୁ ଚିଠି କରିବା ପ‌ରେ ବି ରଥଯାତ୍ରା କରାଯାଇଛି। ଇସ୍କନ୍‌ର ଏହି ବେଖାତିର ପଦକ୍ଷେପ ଗଜପତି ମହାରାଜା, ମୁକ୍ତି ମଣ୍ଡପ ସଭା, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ସମସ୍ତ ହିନ୍ଦୁ ସମାଜ ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ କୁଠ‌ାରଘାତ କରିଛି ବୋଲି ପରିଷଦ ଅଭିଯୋଗ କରିଛି।  

Advertisment

ପୂର୍ବରୁ ହରିଆଣାରେ ଇସ୍କନ୍‌ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ପରେ ଆମେରିକା ବୋଷ୍ଟନ୍‌ ସହରରେ ଆୟୋଜିତ ହେବାକୁ ଯାଉଥିବା ରଥଯାତ୍ରାକୁ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ବିରୋଧ କରାଯାଇଥିଲା ଗତ ବର୍ଷ ସେହି ଦୁଇ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ସଞ୍ଚିତା ମହାନ୍ତିଙ୍କ ନେତୃତ୍ବରେ ବରିଷ୍ଠ ସଦସ୍ୟମାନେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ଏଥିପାଇଁ ସେଠାରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ବଦଳ‌ରେ ନିତାଇ ଓ ଗୌରାଙ୍ଗଙ୍କ ମୂର୍ତ୍ତିକୁ ବସାଇ ରଥଯାତ୍ରା କରାଯାଇଥିଲା। ଇସ୍କନ୍‌ର ବହୁ ସଦସ୍ୟ ଖ୍ରୀଷ୍ଟିଆନ ଧର୍ମରୁ ପରିବର୍ତ୍ତିତ ହୋଇଥିବା ହିନ୍ଦୁ। ସନାତନ ଧର୍ମ ଓ ତା’ର ପରମ୍ପରାକୁ ଧ୍ବଂସ କରିବା ପାଇଁ ଏହା ଏକ ଷଡ୍‌ଯନ୍ତ୍ର ବୋଲି ପରିଷଦ ଅଭିଯୋଗ କରିଛି। ତେଣୁ ଋଷିକେଶ ରଥାଯାତ୍ରା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ,  ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଜରିଆରେ ଇସ୍କନକୁ କଡ଼ା ଜବାବ ଦେବା ପାଇଁ ଦାବି କରିଛି। ଗଜପତି ମହାରାଜା, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ମୁକ୍ତି ମଣ୍ଡପ ସଭା ଓ ଶ୍ରୀମନ୍ଦିର ପରିଚଳାନା କମିଟି ପକ୍ଷରୁ ମିଳିତ ଭାବେ ସମସ୍ତ ଶକ୍ତି ପ୍ରୟୋଗ କଲେ, ଇସ୍କନ୍‌ ହେଉ କି ଅନ୍ୟ କୌଣସି ସଂସ୍ଥା ଅଦିନରେ ରଥଯାତ୍ରା କରିବା ପାଇଁ ସାହସ କରିବେ ନାହିଁ। ଆଜି ସାମ୍ବାଦିକ ସମ୍ମିଳନୀରେ ସଭାପତି ସଞ୍ଚିତା ମହାନ୍ତି, ସମ୍ପାଦକ ସନ୍ତୋଷ କୁମାର ଦାଶ, ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ ଓ ମନୋରଞ୍ଜନ ପାଣିଗ୍ରାହୀ, ସହସମ୍ପାଦକ ଅଜୟ ହରିଚନ୍ଦନ, କେଷାଧ୍ୟକ୍ଷ ବଂଶୀଧର ମହାପାତ୍ର, ଉପସଭାପତି ଜୀବନାନନ୍ଦ କର, ସହକୋଷାଧ୍ୟକ୍ଷ ଗୌରାଙ୍ଗ ନାୟକ ଉପସ୍ଥିତ ଥି‌ଲେ। 

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଓଡ଼ିଆ ଅସ୍ମିତା ପରିଷଦ

 ଚଳିତ ମାସ ୭ ତାରିଖ ଦିନ ଶରତ ପୂର୍ଣ୍ଣିମା ଅବସରରେ ଉତ୍ତରାଖଣ୍ଡର ମଧୁବନ ଋଷିକେଶରେ ଇସ୍କନ୍ ପକ୍ଷରୁ ୨୮ତମ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ନିବେଦନକୁ ଏଡ଼ାଇ ଇସ୍କନ୍ କର୍ତ୍ତୃପକ୍ଷ ମଧୁବନ ଋଷିକେଶଠାରେ ଅଦିନିଆ ରଥଯାତ୍ରା କରାଇବା ଓଡ଼ିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତି ପ୍ରତି ଚରମ ଅପମାନ ବୋଲି ‘ଓଡ଼ିଆ ଅସ୍ମିତା ପରିଷଦ’ ଅଭିଯୋଗ କରିଛି।
ପରିଷଦର ଆବାହକ ରବି ବେହେରାଙ୍କ ଅଧ୍ୟକ୍ଷତାରେ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଇସ୍କନ୍‌ର ଏହି ଅଦିନିଆ ରଥଯାତ୍ରା ପ୍ରତିବାଦରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଇସ୍କନ୍‌କୁ ଓଡ଼ିଶାରେ ବ୍ୟାନ୍ କରିବାକୁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି। ଏଥିରେ କୁହାଯାଇଛି, ବାରମ୍ବାର ଅନୁରୋଧ, ନିବେଦନ ସତ୍ତ୍ୱେ ଇସ୍କନ୍ କର୍ତ୍ତୃପକ୍ଷ ଜାଣିଶୁଣି ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରିଚାଲିଛନ୍ତି। ଇସ୍କନ୍‌ର ଅଦିନିଆ ରଥଯାତ୍ରା ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ପ୍ରତି ଚରମ ଆଘାତ ବୋଲି ଏହି ସ୍ମାରକପତ୍ରରେ କୁହାଯାଇଛି। ଇସ୍କନ୍ ପକ୍ଷରୁ ଓଡ଼ିଆ ଜାତିର ଅସ୍ମିତା ପ୍ରତି ଏହି ଯେଉଁ ଆହ୍ୱାନ ସୃଷ୍ଟି ହୋଇଛି ସେଥିପାଇଁ ଇସ୍କନ୍‌କୁ ବ୍ୟାନ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ଏହି ଗଣବିକ୍ଷୋଭରେ ଅସ୍ମିତା ପରିଷଦ ପକ୍ଷରୁ କରୁଣାକର ହୋତା, ନାରାୟଣ ଡାଳୁଆ, ଶଙ୍କର ଭୂୟାଁ, ନାରୀନେତ୍ରୀ ସାବିତ୍ରୀ ବେହେରା, ସୁଷମା ସାହୁ ଓ ଡଲି ମଲ୍ଲିକ ପ୍ରମୁଖ ନେତୃତ୍ୱ ନେଇଥିଲେ। ଆଗାମୀ ଦିନରେ ଇସ୍କନ୍ କର୍ତ୍ତୃପକ୍ଷ ତାଙ୍କର ଭୁଲ୍ ପାଇଁ ଯଦି କ୍ଷମା ନ ମାଗନ୍ତି ଏବଂ ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ନ ଦିଅନ୍ତି, ତା’ହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ଇସ୍କନ୍‌କୁ ରାଜ୍ୟ ସରକାର ଭୁବନେଶ୍ୱରରେ ମନ୍ଦିର ତିଆରି ପାଇଁ ଦେଇଥିବା ଜମି ପ୍ରତ୍ୟାହାର କରିନେବାକୁ ଓଡ଼ିଆ ଅସ୍ମିତା ପରିଷଦ ମୁଖ୍ୟମନ୍ତ୍ରୀଙ୍କ ପାଖେ ଦାବି ରଖିଛି।

ସ୍ପଷ୍ଟୀକରଣ ‌ରଖିଲା ଓଡ଼ିଶା ଇସ୍କନ୍‌

ଋଷିକେଶରେ ଅଦିନରେ ହୋଇଥିବା ରଥଯାତ୍ରା‌ ନେଇ ଓଡ଼ିଶା ଇସ୍କନ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏକ ପ୍ରେସ ବିବୃତିରେ ଇସ୍କନ୍‌ ଓଡ଼ିଶାର କମ୍ୟୁନିକେସନ୍‌ ବିଭାଗ ନିର୍ଦ୍ଦେଶକ ପ୍ରେମାନନ୍ଦ ଦାସ କହିଛନ୍ତି ଯେ, ଋଷିକେଶରେ ଆୟୋଜିତ ହୋଇଥିବା ରଥଯାତ୍ରା ସହ ଇସ୍କନର ନାମ ଯୋଡ଼ା ଯାଇଛି। ଏହି ମାମଲାରେ ଆମେ ସ୍ପଷ୍ଟ ଭାବରେ ଜଣାଉଛୁ ଯେ ଇସ୍କନ୍ ଋଷିକେଶର କୌଣସି ପ୍ରକାର ଭୂମିକା ଏହି ଆୟୋଜନରେ ନଥିଲା। ରଥଯାତ୍ରା ସ୍ୱତନ୍ତ୍ର ଭାବରେ ମଧୁବନ ଆଶ୍ରମ, ମୁନି କି ରେତି ଦ୍ୱାରା ଆୟୋଜିତ ହୋଇଥିଲ। ଏହା ସକାଳ ସାଢ଼େ ୯ରେ ତାଙ୍କ ଆଶ୍ରମରୁ ଆରମ୍ଭ ହୋଇ ତ୍ରିବେଣୀଘାଟ ଚୌକ ମଧ୍ୟ ଦେଇ ଶ୍ରୀ ଗୁରୁ ସିଂହ ସଭା ଗୁରୁଦ୍ୱାରାରେ ସମାପ୍ତ ହୋଇଥିଲା। ଇସ୍କନ୍ ଋଷିକେଶର କୌଣସି ଭକ୍ତ କିମ୍ବା ପ୍ରତିନିଧି ଏହି ରଥଯାତ୍ରାରେ ଅଂଶ ଗ୍ରହଣ କରିନାହାନ୍ତି। ଇସ୍କନ ଋଷିକେଶ ନିଜର ସମସ୍ତ ଧାର୍ମିକ ପର୍ବ ଓ ସାର୍ବଜନୀନ କାର୍ଯ୍ୟକ୍ରମକୁ ଶ୍ରୀଲ ଏ ସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ପ୍ରତିଷ୍ଠିତ ଇସ୍କନଙ୍କ ନିର୍ଦ୍ଦିଷ୍ଟ କ୍ୟାଲେଣ୍ଡର ଓ ନିୟମାବଳୀ ତଥା ପୁରୀ ଗଜପତି ମହାରାଜଙ୍କ ସହ ପାରସ୍ପରିକ ସମ୍ମତ ସମୟ ସାରଣୀ ଅନୁସରଣ ପୂର୍ବକ ପାଳନ କରୁଛି।  ଏହି ସ୍ପଷ୍ଟୀକରଣକୁ ଗ୍ରହଣ କରିବା ସହ କୌଣସି ଭୁଲ ଉଲ୍ଲେଖ କିମ୍ବା ଭ୍ରାନ୍ତ ଯୋଗସୂତ୍ର ପ୍ରଚାର ପ୍ରସାର ନକରିବା ପାଇଁ ସେ ବିନମ୍ର ଅନୁରୋଧ କରିଛନ୍ତି।