ପୁରୀ : ବୁଡ଼ିଯିବ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କାର ଜମା ପାଣ୍ଠି! ୟେସ୍‌ ବ୍ୟାଙ୍କର ଦେବାଳିଆସ୍ଥିତି ପରେ ଏପରି କିଛି ଆଶଙ୍କା ଜଗନ୍ନାଥପ୍ରେମୀଙ୍କୁ ଚିନ୍ତାରେ ପକାଇଛି। ଏତେ ପରିମାଣର ଜମା ଟଙ୍କା ଏହି ବ୍ୟାଙ୍କ ପାଖରୁ କିପରି ଫେରସ୍ତ ଆସିବ, ତାକୁ ନେଇ ସମସ୍ତେ ଚିନ୍ତାପ୍ରକଟ କରିଛନ୍ତି। ଏଭଳି ସ୍ଥିତିରେ ଯେଉଁମାନେ ଚଞ୍ଚକତା ପୂର୍ବକ ଏତେ ପରିମାଣର ଟଙ୍କା ଏହି ଘରୋଇ ବ୍ୟାଙ୍କରେ ଜମା ଦେଇଥିଲେ, ସେମାନଙ୍କୁ ଏଥି ପାଇଁ ଟଣାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି।

Advertisment

ମହାପ୍ରଭୁଙ୍କ ଏହି ଜମାଟଙ୍କାରୁ ମନ୍ଦିର ଚଳେ। ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ, ସମସ୍ତେ ଦରମା ନିଅନ୍ତି। ଯଦି ଉପରୋକ୍ତ ଟଙ୍କା ବୁଡ଼ିଯାଏ, ତେବେ ଶ୍ରୀମନ୍ଦିର ପରିଚାଳନାରେ ମହାବିଭ୍ରାଟ ଉପୁଜିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଗତ ଫେବ୍ରୁଆରି ୨୦ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୟେସ୍‌ ବ୍ୟାଙ୍କକୁ ନେଇ ତୁମ୍ବିତୋଫାନ ହୋଇଥିଲା। ଜାତୀୟକରଣ ବ୍ୟାଙ୍କକୁ ଅଣଦେଖା କରି କାହିଁକି ଏକ ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଜମା ରଖାଗଲା ବୋଲି ପରିଚାଳନା କମିଟି ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ପରିଚାଳନା କମିଟି ସଦସ୍ୟମାନେ ଅଭିଯୋଗ କରିଥିଲେ, ପୂର୍ବରୁ ଜାତୀୟକରଣ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠିକୁ ଜମା ରଖା ଯାଉଥିଲା। ମାତ୍ର କେଉଁ ପରିସ୍ଥିତିରେ ୟେସ୍‌ ବ୍ୟାଙ୍କ ନାମକ ଏକ ଘରୋଇ ବ୍ୟାଙ୍କକୁ ମହାପ୍ରଭୁଙ୍କ ପାଣ୍ଠି ଜମା ଆକାରରେ ଦିଆଗଲା, ତାହାର ତଦନ୍ତ କରାଯାଉ ବୋଲି ପରିଚାଳନା କମିଟି ସଦସ୍ୟମାନେ ଦାବି କରିଥିଲେ। ଏଥିପାଇଁ ପରିଚାଳନା କମିଟିର ଅନୁମୋଦନ କାହିଁକି ନିଆଗଲା ନାହିଁ ବୋଲି ସମସ୍ତେ ପ୍ରଶ୍ନ ଉଠାଇଥିଲେ।

ଏହାର ଟେଣ୍ଡର ପ୍ରକ୍ରିୟା ଉପରେ ବି ପରିଚାଳନା କମିଟି ସଦସ୍ୟମାନେ ପ୍ରଶ୍ନ ଉଠାଇଥିଲେ। ପରେ ପରେ ବିଭିନ୍ନ ସଂଗଠନ ବି ଏହା ଉପରେ ଆପତ୍ତି ଉଠାଇଥିଲେ। ଶେଷରେ ସରକାର ଏ ଦିଗରେ ମୁହଁ ଖୋଲିଥିଲେ। ଫେବ୍ରୁଆରି ୨୬ରେ ବିଧାନସଭାରେ ଉଠିଥିବା ଏହି ପ୍ରସଙ୍ଗର ଉତ୍ତର ଦେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ମାର୍ଚ ୧୯ରୁ ୩୦ ତାରିଖ ଭିତରେ ଏହି ଜମା ଅର୍ଥ ଉଠାଇ ଦିଆଯିବ ବୋଲି କହିଥିଲେ। କିନ୍ତୁ ଏବେ ୟେସ୍‌ ବ୍ୟାଙ୍କର ଯେଉଁ ସ୍ଥିତି ମନ୍ତ୍ରୀଙ୍କ ଘୋଣଣା କାର୍ଯ୍ୟକାରୀ ହେବା ନେଇ ଆଶଙ୍କା ଜାତ ହୋଇଛି। କାରଣ ଦେବାଳିଆ ସ୍ଥିତି ପରେ ୟେସ ବ୍ୟାଙ୍କ ଏବେ ଉଠାଣରେ ୩୦ ଦିନିଆ କଟକଣା ଲଗାଇଛି। ଜଣେ ‌ଗ୍ରାହକ ଆସନ୍ତା ୩୦ ଦିନ ମଧ୍ୟରେ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇ ପାରିବ ବୋଲି ନିୟମ ଲାଗୁ କରିଛି। ଏଭଳି ସ୍ଥିତିରେ ମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ, ତାହା କେତେ ଦୂର କାର୍ଯ୍ୟକାରୀ ହୋଇପାରିବ, ତାହା ଦେଖିବାକୁ ବାକି ରହିଛି।