ପୁରୀ: ଅଧୁରା ରହିଗଲା ଓଡ଼ିଆ ଭାଗବତକାର ଅତିବଡ଼ୀଙ୍କ ସାଧନା ପୀଠର ରୁପେଲି ପରିକଳ୍ପନା। କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା, କିନ୍ତୁ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେଇପାରିଲା ନାହିଁ। ମଠ ପରିସରରେ ଭାଗବତ ଆଲୋଚନା କେନ୍ଦ୍ର ସ୍ଥାପନ ହୋଇ ସବୁଦିନ ଭାଗବତ ଆଲୋଚନା ଓ ପଠନ ହେବା ନେଇ ଯୋଜନା ହେଲା। ତାହା ବି ସ୍ବପ୍ନରେ ରହିଗଲା। ମଠକୁ ଦଖଲ ନ କରିବାକୁ ସରକାର ନିର୍ଦ୍ଦେଶ ଦେଲେ, କିନ୍ତୁ ନିଜେ ଦଖଲ କରି ତା’ ଭିତରେ ଆର୍ଆଇ କାର୍ଯ୍ୟାଳୟ ସ୍ଥାପନ କଲେ। ସତେ ଯେମିତି, ଆର୍ଆଇ ଅଫିସ ପାଇଁ ଆଉ ସହରରେ ଜାଗା ନଥିଲା। ଏଣେ ସୁରକ୍ଷାରେ ଥିବା ଅତିବଡ଼ୀ ଜଗନ୍ନାଥ ଦାସ ସ୍ମୃତିରକ୍ଷା କମିଟି ଅଚଳ ହେଲାଣି। ଅଥଚ ନା କମିଟି ଗଠନ ହେଉଛି, ନା ବୈଠକ ବସୁଛି।
ଅତିବଡ଼ୀଙ୍କ ସାଧନା ପୀଠ ଉପରେ ଲୋଲୁପ ଦୃଷ୍ଟି
ମଠରେ ସରକାରୀ ଅଫିସ, ଭାଙ୍ଗିଲାଣି ଅଧଗଢ଼ା ପ୍ରକଳ୍ପ
ଅତିବଡ଼ୀଙ୍କର ଶେଷ ସାଧନା ପୀଠ ଓ ସମାଧି ପୀଠ ହୋଇଥିବାରୁ ମହାପୁରୁଷଙ୍କ ସ୍ମୃତି ପାଇଁ ମଠ ପ୍ରସାରିତ ହୋଇଥିଲା। ପ୍ରାରମ୍ଭରେ ଏହି ମଠର ପରିସର ପ୍ରାୟ ୭ ଏକର ଜମିକୁ ପରିବ୍ୟାପ୍ତ ହୋଇଥିଲା। ଏବେ ଏହା ୩ ଏକରକୁ ସଙ୍କୁଚିତ ହୋଇଗଲାଣି। ମହାପୁରୁଷଙ୍କ ଏହି ଆଧ୍ୟାତ୍ମିକ ସ୍ମୃତିସ୍ଥଳକୁ ବିପଣି ଶାଳାରେ ପରିଣତ କରିଦେବା ଲାଗି ବାରମ୍ବାର ଚାପ ପଡ଼ିଛି। ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଏ ବାବଦରେ ୨୦୦୯ ମସିହାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାର ଏହାର ବିକାଶ ଲାଗି ଉଦ୍ୟମ ବି ଆରମ୍ଭ କରିଥିଲେ। ସାତଲହଡ଼ି ମଠକୁ ଆକର୍ଷଣୀୟ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ୨୦୧୫ରେ ଅର୍ଥ ମଞ୍ଜୁର ହୋଇ କାମ ମଧ୍ୟ ଆରମ୍ଭ ହୋଇଥିଲା। ପ୍ରାର୍ଥନା କକ୍ଷ ନିର୍ମାଣ ସହ ୧୨ଟି କୁଞ୍ଜ ତଥା ପିଣ୍ଡି ନିର୍ମାଣ ହେଲା। କିନ୍ତୁ ଏ ସବୁ ଅଧାପନ୍ତରିଆ ରହିଗଲା। ୧୨ଟି କୁଞ୍ଜରେ ଅତିବଡ଼ୀଙ୍କ ଜୀବନଧାରା ବର୍ଣ୍ଣନା ହେବା ନେଇ ପରିକଳ୍ପନା ହୋଇଥିଲା। ଇତିମଧ୍ୟରେ ପ୍ରକଳ୍ପ ନିର୍ମାଣକୁ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା, ସେମିତି ଅଧଗଢ଼ା ଅବସ୍ଥାରେ ରହିଛି। ଏପରିକି ଏତେ ବଡ଼ ଐତିହ୍ୟ ମଠକୁ ଚିହ୍ନେଇବା ପାଇଁ ସାଇନ୍ବୋର୍ଡଟିଏ ମଧ୍ୟ ଲଗାଯାଇନାହିଁ।
ସ୍ଥାଣୁ ପାଲଟିଛି ସ୍ମୃତିରକ୍ଷା କମିଟି
ଅତିବଡ଼ୀଙ୍କ ସମାଧି ପୀଠ ସାତଲହଡ଼ି ମଠର ସୁରକ୍ଷା ପାଇଁ ୧୯୯୬ ମସିହାରୁ ଅତିବଡ଼ୀ ଜଗନ୍ନାଥ ଦାସ ସ୍ମୃତି ରକ୍ଷା କମିଟି ଗଠନ ହୋଇଛି। ଖୋଦ ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ଅଛନ୍ତି। ମାତ୍ର ସ୍ଥାଣୁ ପାଲଟି ଯାଇଛି ଏହି କମିଟି। ୬ ବର୍ଷ ହେଲା ବୈଠକ ବସିନାହିଁ କି ଏହାର ଅଧୁରା କାମକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଆଲୋଚନା ହୋଇନାହିଁ। ୨୦୧୯ ସେପ୍ଟେମ୍ବରରେ ଶେଷ ଥର ପାଇଁ ପୁନରୁଦ୍ଧାର ପାଇଁ ବୈଠକ ବସିଥିଲା। ବଲୱନ୍ତ ସିଂହ ଜିଲ୍ଲାପାଳ ଥିବା ସମୟରେ ଏହି କାମ ଅପୂର୍ଣ୍ଣ ରହିବ ନାହିଁ ବୋଲି ସମସ୍ତେ ଭାବି ନେଇଥିଲେ। କିନ୍ତୁ ସ୍ଥିତି ବଦଳିଲା ନାହିଁ।
କମିଟିର ପୂର୍ବତନ ସଦସ୍ୟ ତଥା ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଟିକାୟତରାୟ କହିଛନ୍ତି, କମିଟି ଆଉ ମଠ ପରିଚାଳନା ନେଇ କାମ କରୁନାହିଁ। ଆମେ କେବଳ ମଠ କେମିତି ପରିଚାଳନା ହେବ ସେ ଦିଗରେ ଧ୍ୟାନ ଦେଉଛୁ। ମଠକୁ ଆର୍ଥିକ ସହଯୋଗ ପାଇଁ ୭ଟି ଦୋକାନ ଘର ନିର୍ମିତ ହୋଇଥିଲା, ତାହା ପୂର୍ଣ୍ଣାଙ୍ଗ ହୋଇପାରିଲା ନାହିଁ ବୋଲି ସେ କହିଛନ୍ତି। ଭାଗବତ ଭାଷ୍ୟକାର ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ବଦ୍ରି ମିଶ୍ର କହିଛନ୍ତି, ମଠର ସୁରକ୍ଷା ସ୍ମୃତି କମିଟିରେ ଅଧ୍ୟକ୍ଷ ଭାବେ ଖୋଦ ଜିଲ୍ଲାପାଳ ଅଛନ୍ତି। କିନ୍ତୁ ଏହା ମଧ୍ୟରେ ଜାଗା ଅକ୍ତିଆର କରି ଆରଆଇ ଅଫିସ ନିର୍ମିତ ହୋଇଗଲା। ଏହାକୁ ବାରମ୍ବାର ବିରୋଧ କରିଛି, କିନ୍ତୁ କେହି କର୍ଣ୍ଣପାତ କରିନାହାନ୍ତି। କମିଟି ଅଚଳ ହୋଇଯାଇଥିବାରୁ ୬ ବର୍ଷ ହେଲା ବୈଠକ ବସିନାହିଁ। ଏହା ଉପରେ ବି କାହାର ନଜର ନାହିଁ। ଦିନଟିଏ ଉତ୍ସବ ପାଳନ କରିଦେଇ ଯିଏ ଯାହା ବାଟରେ ଚାଲି ଯାଉଛନ୍ତି। ମଠ ଜମି ସୁରକ୍ଷିତ ରଖିବା ପାଇଁ ଟାଣୁଆ ବ୍ୟକ୍ତବିଶେଷଙ୍କୁ ନେଇ କମିଟି ସହ ବାରମ୍ବାର ଏ ପ୍ରସଙ୍ଗ ଉତ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସ୍ମୃତିରକ୍ଷା କମିଟିର ସମ୍ପାଦକ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା କହିଛନ୍ତି, ମଠର ଅଧୁରା କାମକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗକୁ ଦାୟିତ୍ବ ଦିଆଯାଇଛି। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଡିପିଆର୍ ପ୍ରସ୍ତୁତ ସରିଥିବାରୁ ଖୁବଶୀଘ୍ର ଅନୁମୋଦନ ହୋଇ କାମ ଆରମ୍ଭ ହେବ।