ଟେକ୍ସାସ୍‌‌ରେ ପ୍ଲାନୋ ସହରରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା

ଭୁବନେଶ୍ବର : ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍‌ ଅନ୍ତର୍ଗତ ପ୍ଲାନୋ ସହରର ରଘୁନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଭକ୍ତି ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏଥିରେ ପୁରୀ ଗଜପତି ମହାରାଜା ଦିବ୍ୟସି˚ହଦେବ ଓ ମହାରାଣୀ ଲୀଳାବତୀ ଦେବୀ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ବର୍ଷେ ପୂର୍ବରୁ ପ୍ଲାନୋ ଓ ଫ୍ରିସ୍କୋ ସହରରେ ରହୁଥିବା ଓଡ଼ିଆ ପରିବାରଗଣ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ଏନେଇ ପୁରୀ ଗଜପତିଙ୍କ ଅନୁମୋଦନ ପରେ ଯୋଜନା ଆରମ୍ଭ ହୋଇଥିଲା। ‘ଜଗନ୍ନାଥ ସୋସାଇଟି ଅଫ୍‌ ନର୍ଥ ଆମେରିକା’ ତରଫରୁ ସୁର ରଥ, ହରି ପାତ୍ର, ତପନ ପାଢ଼ୀ, ସବ୍ୟସାଚୀ ନାୟକ, ଦେବହୁତି ମିଶ୍ର, ଦୀପକ ପାତ୍ର ଓ ଶୁଭାଶିଷ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାାଜସଜ୍ଜାରେ ଇତି ରାଉତ ଓ ସନ୍ତୋଷ ପାଢ଼ୀ, ସା˚ସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ବକଳ୍ପନା ବିଶ୍ବାଳ ଓ ମହାପ୍ରସାଦ ଦାୟିତ୍ବରେ ସୁଧାମୟୀ ପଣ୍ଡା ସହଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ୧୨ ଫେବ୍ରୁଆରିରୁ ୧୩ ମାର୍ଚ ପର୍ଯ୍ୟନ୍ତ ସପରିବାରେ ଆମେରିକା ଯାଇଥିବା ଗଜପତି ମହାରାଜ ସାଉଥ୍‌ ଡାକୋଟାର ସିଓକ୍ସ ଫଲ୍ସଠାରେ ମଧ୍ୟ ମହାପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। ଏହାବ୍ୟତୀତ ନେବ୍ରାସ୍କା, ମିନେସୋଟା, କାଲିଫର୍ଣ୍ଣିଆ ଓ ଫିନିକ୍ସ ଭଳି ରାଜ୍ୟରେ ଥିବା ଜଗନ୍ନାଥ ମନ୍ଦିରରେ ହୋଇଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ। କିଛି ବର୍ଷ ତଳେ ଏହି ସବୁ ମନ୍ଦିରରେ ମହାପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଥିଲା। ‌‌ତେବେ ମହାମାରୀ ‘କରୋନା’ ଯୋଗୁଁ ମାର୍ଚ ଶେଷ ଆଡ଼କୁ ହ୍ୟୁଷ୍ଟନ୍‌ ଏବଂ ଫ୍ଲୋରିଡାରେ ହେବାକୁ ଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ‌କୁ ଗଜପତି ବାତିଲ୍‌ କରି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସମ୍ବନ୍ଧିତ ଖବର