କେଶବ ପାଣି
ଭୁବନେଶ୍ବର: ‘ଜଗନ୍ନାଥ’। ଏହି ନାଁ ଟି ହିଁ ଓଡ଼ିଶାର ପରିଚୟ। ଭକ୍ତର ଭକ୍ତି ଓ ଭାରତୀୟଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥ। ବିଶ୍ବର କୋଣ ଅନୁକୋଣକୁ ଜଗନ୍ନାଥ ସଂସ୍କୃତି ପରିବ୍ୟାପ୍ତ। ବିଭିନ୍ନ ଦେଶରେ ମହାପ୍ରଭୁଙ୍କ ମନ୍ଦିର ହେଲାଣି। ରଥଯାତ୍ରା ବି ଅନୁଷ୍ଠିତ ହେଉଛି। ଆମେରିକା, ଇଂଲଣ୍ଡଠାରୁ ଆରମ୍ଭ କରି ଜାପାନ, ଜର୍ମାନୀ, ଋଷ ପର୍ଯ୍ୟନ୍ତ, ସବୁଠି ଜଗନ୍ନାଥଙ୍କୁ ନେଇ ବଡ଼ ଉତ୍ସବର ଆୟୋଜନ ହେଉଛି। ଅନୁରୂପ ଭାବେ ମହାପ୍ରଭୁଙ୍କ ସହିତ ଆତ୍ମୀୟତା ଏତେ ଯେ ଲୋକମାନେ ନିଜ ପିଲା ଛୁଆ, ସଂସ୍ଥାର ନାମ ମଧ୍ୟ ଜଗନ୍ନାଥଙ୍କ ନାମରେ ରଖିଥାନ୍ତି। ସେହିପରି ଓଡ଼ିଶାରେ ଅନେକ ଗାଁ, ଅଞ୍ଚଳ, କଲୋନି, ପଡ଼ା ରହିଛି, ଯାହା ଜଗନ୍ନାଥଙ୍କ ନାମରେ ନାମିତ। ଆଉ ପାଦେ ଆଗକୁ ଯାଇ କହିଲେ, ଓଡ଼ିଶାର ପ୍ରତି ଜିଲ୍ଲା, ବ୍ଲକରେ ଜଗନ୍ନାଥଙ୍କ ନାମ ଅନୁଯାୟୀ ଅଞ୍ଚଳ ରହିଛି। ସେ ଜଗନ୍ନାଥପ୍ରସାଦ ହେଉ ଅଥବା ଜଗନ୍ନାଥପୁର। ଜଗନ୍ନାଥପାଟଣା, ଜଗନ୍ନାଥପ୍ରସାଦ ଶାସନ, ଜଗନ୍ନାଥପାଲ୍ଲି, ଜଗନ୍ନାଥପଡ଼ା, ଜଗନ୍ନାଥ ଖୁଣ୍ଟା ପରି ଅଞ୍ଚଳ ସାରା ଓଡ଼ିଶାରେ ରହିଛି। ହେଲେ ପାଠକମାନେ ଜାଣି ଖୁସି ହେବେ ଯେ ଓଡ଼ିଶା ଭିତରେ ଏହା ସୀମିତ ନାହିଁ। ବରଂ ଦେଶ ବିଦେଶରେ ମଧ୍ୟ ଜଗନ୍ନାଥଙ୍କ ନାମକୁ ଯୋଡ଼ି ଏକାଧିକ ସ୍ଥାନ ରହିଛି। ଭାରତ ଉପମହାଦେଶରେ ଜଗନ୍ନାଥ ପ୍ରାକ୍ ପ୍ରତ୍ୟୟଯୁକ୍ତ ଅନେକ ସ୍ଥାନ ରହିଥିବା ନେଇ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଏକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତି କାହିଁ କେଉଁ କାଳରୁ ଭାରତ ଓ ଭାରତ ବାହାରେ ବି ପରିବ୍ୟାପ୍ତ ହୋଇଛି।
ଭାରତର ୧୮ ରାଜ୍ୟରେ ଜଗନ୍ନାଥ ନାମଧାରୀ ୩୬୮ ଅଞ୍ଚଳ ରହିଛି
ଓଡ଼ିଶାରେ ସର୍ବାଧିକ ୧୬୮, ପଶ୍ଚିମବଙ୍ଗରେ ୭୯, ଉତ୍ତରପ୍ରଦେଶରେ ୭୦
ଶ୍ରୀଲଙ୍କା, ଭୁଟାନ, ମାଲେସିଆ, ଥାଇଲାଣ୍ଡ, ଇଣ୍ଡୋନେସିଆରେ ବି
ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପାକିସ୍ଥାନ ଓ ବାଂଲାଦେଶରେ ମଧ୍ୟ ଜଗନ୍ନାଥ ନାମଧାରୀ ଏକାଧିକ ଅଞ୍ଚଳ ରହିଥିବା ଜଣାପଡ଼ିଛି। ବାଲାଂଦେଶରେ ୨୬ଟି ସ୍ଥାନ ଜଗନ୍ନାଥଙ୍କ ନାମ ସହ ଯୋଡ଼ି ହୋଇ ରହିଛି। ଜଗନ୍ନାଥପୁର ଭାବେ ନାମରେ ଅଧିକ ଅଞ୍ଚଳ ରହିଥିବା ବେଳେ ଜଗନ୍ନାଥଗଞ୍ଜ, ଜଗନ୍ନାଥହାଟ, ଜଗନ୍ନାଥକାଣ୍ଡିମଠ, ଜଗନ୍ନାଥଡି ପରି ଅଞ୍ଚଳ ବାଂଲାଦେଶରେ ରହିଛି। ଜମ୍ମୁ ଓ କାଶ୍ମୀର ସୀମାଠାରୁ ପାଖାପାଖି ୩୦୦ କିମି ଦୂରରେ ପାକିସ୍ଥାନର ଏକ ଅଞ୍ଚଳର ନାମ ଜଗନ୍ନାଥ ରଖାଯାଇଛି। ସ୍ବାଧୀନତା ପୂର୍ବରୁ ସେଠାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ରହିଥିବା ଜଣାପଡ଼ିଛି। ନେପାଳରେ ଜଗନ୍ନାଥଙ୍କର ଏକ ପୁରାତନ ମନ୍ଦିର ରହିବା ସହ ଏକାଧିକ ସ୍ଥାନର ନାମ ଜଗନ୍ନାଥଙ୍କ ନାମ ଅନୁଯାୟୀ ହୋଇଛି। ଶ୍ରୀଲଙ୍କା, ଭୁଟାନ, ମାଲେସିଆ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ ପରି ଦେଶରେ ଜଗନ୍ନାଥ ନାମରେ ଅଞ୍ଚଳ ଗଢ଼ି ଉଠିଛି। ଯଦି କାଗଜପତ୍ରକୁ ହିସାବକୁ ନିଆଯାଏ ତେବେ କେବଳ ଭାରତର ୧୮ଟି ରାଜ୍ୟରେ ଜଗନ୍ନାଥ ନାମଧାରୀ ୩୬୮ଟି ଅଞ୍ଚଳ ରହିଛି। ଓଡ଼ିଶାରେ ୧୬୮ଟି ଅଞ୍ଚଳ ରହିଥିବା ବେଳେ ପଶ୍ଚିମବଙ୍ଗରେ ୭୯, ଉତ୍ତର ପ୍ରଦେଶରେ ୭୦, ଝାଡ଼ଖଣ୍ଡରେ ୧୬, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁରେ ୪, ଉତ୍ତରାଖଣ୍ଡ, ଗୁଜୁରାଟ, ତ୍ରିପୁରା, ଛତିଶଗଡ଼ରେ ୨, ମହାରାଷ୍ଟ୍ର, ସିକିମ୍, ଆସାମ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାରରେ ଗୋଟିଏ ଲେଖାଏ ଅଞ୍ଚଳର ନାମ ଜଗନ୍ନାଥଙ୍କ ସହ ଯୋଡ଼ି ହୋଇଛି। ତେବେ ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ପରେ ବାଂଲାଦେଶରେ ଅଧିକାଂଶ ଅଞ୍ଚଳର ନାମ ଜଗନ୍ନାଥ ନାମ ସହ ଯୋଡ଼ି ହୋଇରହିଛି।