ଜଗନ୍ନାଥଙ୍କ ଜମି ବିକ୍ରି ଓ କୋଠା ନିର୍ମାଣ ଘଟଣା : ମାଟିରେ ମିଶିବ ନିର୍ମାଣାଧୀନ କୋଠା

ଏତଲା ଦେଲେ ତହସିଲଦାର

ରାଜନଗର : ପୁରୀ ଶ୍ରୀ ଜଗନ୍ନାଥଙ୍କ କୋଟିଏ ଟଙ୍କାର ମୂଲ୍ୟବାନ ଜମିକୁ ନକଲି ନୋଟାରି ବଣ୍ତରେ ବିକ୍ରି କରି ଦିଆଯାଇଛି। ଏହି ଜମିରେ କୋଠା ନିର୍ମାଣ ହୋଇଛି। ଏ ନେଇ ‘ସମ୍ବାଦ’ରେ କ୍ରମାଗତ ଭାବେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ରାଜନଗର ତହସିଲଦାର ଦିବ୍ୟେନ୍ଦୁ ଶେଖର ଦାସ ଆଜି ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ଜଗନ୍ନାଥଙ୍କ ଜମିକୁ ଜବର ଦଖଲ କରି କୋଠା ନିର୍ମାଣ କରିଥିବା ଭଦ୍ରକର ପ୍ରଫୁଲ୍ଲ କୁମାର ନାୟକଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ ରହିଛି। ଏଥିସହିତ ନିର୍ମାଣାଧୀନ କୋଠା ମଧ୍ୟ ଭଙ୍ଗାଯିବ ବୋଲି ନିଷ୍ପତ୍ତି ହୋଇଛି।

ରାଜନଗର-ତାଳଚୁଆ ମୁଖ୍ୟରାସ୍ତାର ରାଜନଗର ମୌଜାରେ ପୁରୀ ଶ୍ରୀଜଗନ୍ନାଥଙ୍କ ୩୦ ଡେସିମିଲ ଜମି ରହିଛି। ଏହି ଜମିର ବଜାର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ। ଚଂଚକତା କରି ଜମିର ମାର୍ଫତଦାରଙ୍କ ପରିବାର ଲୋକେ ନୋଟାରି ବଣ୍ଡ୍‌ରେ ମହାପ୍ରଭୁଙ୍କ ଜମିକୁ ଭଦ୍ରକ କଲ୍ୟାଣୀନଗର ଅଂଚଳର ସେବତୀ ନାୟକ ସ୍ବାମୀ-ପ୍ରଫୁଲ୍ଲ ନାୟକଙ୍କୁ ବିକ୍ରି କରିଦେଇଛନ୍ତି। ଯେଉଁ ନୋଟାରି ବଣ୍ଡ୍‌ରେ ମହାପ୍ରଭୁଙ୍କ ଜମି ବିକ୍ରି ହୋଇଛି, ତାହା ନକଲି ବୋଲି ଆଇନଜୀବୀ ଗୋବର୍ଦ୍ଧନ ରାଉତ ଗତ ୨୪ ତାରିଖ ଦିନ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗରେ ଦର୍ଶାଇଥିଲେ ଯେ, ସେ ୨୦୦୪ରୁ ୨୦୧୪ ଯାଏ ନୋଟାରି ଭାବେ କାମ କରୁଥିଲେ। ସେ ଆଉ ନୋଟାରି ନ ଥିବା ବେଳେ ୨୦୧୭ରେ ତାଙ୍କ ଦସ୍ତଖତ ଜାଲ କରି ଓ ଷ୍ଟାମ୍ପ୍‌ ତିଆରି କରି ନକଲି ବଣ୍ଡ୍‌ ତିଆରି କରାଯାଇଛି। ପୁଲିସ ଏହି ଘଟଣାରେ ଠକେଇ ଓ ଜାଲିଆତି ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ ଆଜି ରାଜନଗର ତହସିଲଦାର ଦିବ୍ୟେନ୍ଦୁ ଶେଖର ଦାସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜନଗର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପୁରୀର ଶ୍ରୀ ଜଗନ୍ନାଥଙ୍କ ଜମି ଓ ପାଣିନାଳ ଅବରୋଧ କରି ଭଦ୍ରକର ପ୍ରଫୁଲ୍ଲ କୁମାର ନାୟକ କୋଠା ନିର୍ମାଣ କରୁଛନ୍ତି। ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜଣାଇଛନ୍ତି। ଏହାବାଦ୍‌ ତହସିଲଦାରଙ୍କ ସୂଚନା ମୁତାବକ ଆସନ୍ତାକାଲି ରାଜସ୍ବ ନିରୀକ୍ଷକ ଓ ଅମିନ ଘଟଣାସ୍ଥଳରେ ପହଞ୍ଚି ମହାପ୍ରଭୁଙ୍କ ଜମି ଚିହ୍ନଟ କରିବେ। ଜମି ଚିହ୍ନଟ ପରେ ଜବରଦଖଲକାରୀଙ୍କୁ ନୋଟିସ ଦିଆଯିବ। ଯଦି ଜବରଦଖଲକାରୀ ନିଜେ ନିର୍ମାଣ କରିଥିବା କୋଠା ନ ଭାଙ୍ଗନ୍ତି ଏବଂ ପାଣି ନାଳ ଅବରୋଧ ନ ହଟାନ୍ତି ତେବେ ପ୍ରଶାସନ ପକ୍ଷରୁ ସେଗୁଡ଼ିକୁ ଭଙ୍ଗାଯିବ। ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଭଙ୍ଗାଯିବ ବୋଲି କହିଛନ୍ତି। ଏହାବାଦ୍‌ ଏହି ଜମି ବେବନ୍ଦୋବସ୍ତ ଖାତାରେ ରହିଛି। ଏ ନେଇ ଏକ କେସ୍‌ କରାଯାଇ ଶ୍ରୀଜଗନ୍ନାଥଙ୍କ ନାଁରେ ଜମି କରାଯିବ। ମହାପ୍ରଭୁଙ୍କ ଜମିକୁ ଜବରଦଖଲମୁକ୍ତ କରାଯିବ ଏବଂ ଠାକୁରଙ୍କ ଜମି ଠାକୁରଙ୍କୁ ଫେରାଇ ଦେବାପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର