ପୁରୀ : ମହାପ୍ରଭୁଙ୍କ ଜମିକୁ ଜଗି ପାରୁନାହାନ୍ତି ସରକାର, ଶ୍ରୀମନ୍ଦିର ପ୍ରଶାସନ। ରାଜ୍ୟ ଓ ରାଜ୍ୟ ବାହାରେ ମହାପ୍ରଭୁଙ୍କ ନାମରେ ୬୦ ହଜାର ଏକର ଜମି ଥିବା କଥା ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ଜମିର ମାଲିକ ମହାପ୍ରଭୁ ଥିବା ବେଳେ ପ୍ରଜା କିନ୍ତୁ ଏ ଜମିରେ ରଜା ହୋଇ ସାରିଲେଣି। ମହାପ୍ରଭୁଙ୍କ ନାମରେ ଥିବା ହଜାର ହଜାର ଏକର ଜମି ବିଗତ ବର୍ଷମାନଙ୍କରେ ସ୍ଥିତିବାନ ହୋଇଯାଇଛି। ମହାପ୍ରଭୁଙ୍କ ଜମି ଭୋଗ କରୁଥିବା ପ୍ରଜା ଜମିକୁ ଓଏଲଆର ଆକ୍ଟରେ ଫାଇନାଲ୍ ସେଟେଲ୍ମେଣ୍ଟ୍(ବନ୍ଦୋବସ୍ତ) କରାଇ ନିଜ ନାମରେ ସ୍ଥିତିବାନ ପଟ୍ଟା ହାସଲ କରି ନେଇଛନ୍ତି। ଏଭଳି ସ୍ଥିତିରେ ମନ୍ଦିର ପ୍ରଶାସନ କିନ୍ତୁ ମନେ ମନେ ୬୦ ହଜାର ଏକର ଜମି ମହାପ୍ରଭୁଙ୍କ ନାମରେ ଥିବା ନେଇ ଆଶ୍ବସ୍ତ ଥିବା ବେଳେ ଜମି କିନ୍ତୁ ଅନ୍ୟ ହାତକୁ ଯାଇ କିଣାବିକା ହେଉଛି। ଆଇନତଃ ଜମି ସ୍ଥିତିବାନ ଥିବାରୁ ତହସିଲ ମଧ୍ୟ ଏହାକୁ ଘରୋଇ ଜମି କହି ଦଖଲ ଦେବାକୁ ଚିଠି ଲେଖିବାକୁ ବାଧ୍ୟ ହେଉଛି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ସଦର ତହସିଲ ଅନ୍ତର୍ଗତ ସମଙ୍ଗରା ମୌଜାରେ। ଏହି ମୌଜାର ଖାତା ନମ୍ବର ୨୨୨ରେ ଜଗନ୍ନାଥ ମହାପ୍ରଭୁ ବିଜେ, ମାର୍ଫତଦାର ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ନାମରେ ୪୧ ଏକର ଜମି ରହିଛି। ମାତ୍ର ଏ ଜମିରୁ ଏବେ ୨୯ ଏକର ଜମି ସ୍ଥିତିବାନ ହୋଇ ସାରିଛି। ସେଥିରୁ ୨୭ ଏକର ଜମିକୁ ଜଣେ ବଙ୍ଗୀୟ ଜମିଦାର( ଲ୍ୟାଣ୍ଡଲର୍ଡ) ଏହି ଜମିକୁ ପୁରୀର ଦୁଇଜଣ ବ୍ୟକ୍ତିଙ୍କୁ ବିକ୍ରି ପାଇଁ କ୍ଷମତା ହସ୍ତାନ୍ତର( ପାୱାର ଅଫ୍ ଆଟର୍ଣ୍ଣି) ଦେଇଛନ୍ତି। ତହସିଲ ମଧ୍ୟ ଏ ଜମିକୁ ଘରୋଇ ଜମି କହି ଦଖଲ ଦେବାକୁ ଚିଠି ଲେଖୁଛି। ଯଦି ୧୯୭୭ ଫାଇନାଲ୍ ସେଟେଲମେଣ୍ଟ୍ ଓ ଅନ୍ୟ ସମୟରେ ମହାପ୍ରଭୁଙ୍କ ଜମି ସ୍ଥିତିବାନ ହୋଇଥାଏ, ତେବେ ଏ କ୍ଷେତ୍ରରେ ମନ୍ଦିର ପ୍ରଶାସନ ଓ ସରକାର ମହାପ୍ରଭୁଙ୍କ ଜମିକୁ ଆଉ ଫେରାଇ ଆଣିବା ସମ୍ଭବପର ନୁହେଁ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ଥିବା ଜମିକୁ ଶହ ଶହ ବର୍ଷ ଧରି ଦଖଲରେ ଥିବା ଲୋକଙ୍କୁ ସରକାର କାହିଁକି ସ୍ଥିତିବାନ ପଟ୍ଟା ଦେଉନାହାନ୍ତି ଓ ଦଖଲରେ ଥିବା ଜମିକୁ ୟୁନିଫର୍ମ ପଲିସିରେ କିଣିବାକୁ ବାଧ୍ୟ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି।
ପ୍ରକାଶ ଯେ, ପୁରୀ ଜିଲ୍ଲାର ସମଙ୍ଗଗରା ମୌଜାରେ ୪୧ ଏକର ଜମି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ଜମି, ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ଥିଲା। ପୁରୀ ସଦର ତହସିଲ ଅନ୍ତର୍ଗତ ସମଙ୍ଗରା ମୌଜା ଖାତା ନମ୍ବର ୨୨୨ରେ ପ୍ରଜାର ନାମ ପ୍ରଭାବତୀ ଦାସ, ସ୍ବାମୀ ମନି ଗୋପାଳ ଦାସ ପୁତ୍ର ଅଶୋକ କୁମାର ଦାସ, ପ୍ରଣବ କୁମାର ଦାସ, ବାସୁଦେବ ଦାସଙ୍କ ନାମରେ ଭୋଗ ଦଖଲରେ ରହିଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ଏ ଜମିକୁ ଏବେ ପ୍ରଭାବତୀ ଦାସଙ୍କ ପୁଅ ପ୍ରଣବ କୁମାର ଦାସ ପୁରୀର ଦୁଇ ଜଣ ଲୋକଙ୍କୁ ପାୱାର ଆଟର୍ଣ୍ଣିରେ ଦେଇଛନ୍ତି। ଏବେ ଏ ଜମିକୁ ନେଇ ବିକ୍ରି ଖର୍ଦ୍ଦି କରାଯାଉଛି। ଏହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ସ୍ଥାନୀୟ ଲୋକ ଏ ନେଇ ଆପତ୍ତି ଉଠାଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ଏ ଦିଗରେ ନିରବ ରହିଛି। ଏବେ ଏହି ଜମି ସ୍ଥିତିବାନ ହୋଇସାରିଛି। ଖାତା ନମ୍ବର ୨୨୨, ପ୍ଲଟ୍ ନମ୍ବର ୧୬୬୩( ୨ ଏକର ୫୮ ଡେସମିଲି), ପ୍ଲଟ୍ ନମ୍ବର ୧୬୬୧( ୭ ଏକର ୭୪ ଡେସିମିଲ), ପ୍ଲଟ୍ ନମ୍ବର ୧୬୬୦( ୨୭ ଏକର), ୧୬୬୫( ୨ ଏକର ୯୦ ଡେସିମିଲ), ପ୍ଲଟ୍ ନମ୍ବର ୧୬୬୨( ୧ ଏକର ୬୯ ଡେସିମିଲ) ଜମି ମୋଟ ୪୧ ଏକର ୯୧ ଡେସିମିଲ ଜମି ପ୍ରଭାବତୀଙ୍କ ନାମରେ ରହିଥିଲା। ସମଙ୍ଗରା ମୌଜାରେ ଥିବା ମୋଟ ୪୧ ଏକର ୯୧ ଡେସିମିଲ ଜମିରୁ ଏବେ ୨୯ ଏକର ୧୭ ଡେସିମିଲ ଜମି ଓଏଲଆର ଆକ୍ଟ ବଳରେ ସ୍ଥିତିବାନ ହୋଇସାରିଛି। ଖାତା ନମ୍ବର ୨୨୨ର ଅନ୍ୟତମ ଅଂଶିଦାର ଥିବା ପ୍ରଣବ କୁମାର ଦାସ ତାଙ୍କର ଭାଗରେ ଥିବା ସମସ୍ତ ଜମିକୁ ସୁରେଶ ଚନ୍ଦ୍ର ନନ୍ଦ ଓ ଦାମୋଦର ପଣ୍ଡାଙ୍କୁ କ୍ଷମତା ପ୍ରଦାନ ( ପାୱାର ଅଫ୍ ଆଟର୍ଣ୍ଣି) ଦେଇଛନ୍ତି। ତେବେ ମହାପ୍ରଭୁଙ୍କ ନାମରେ ଥିବା ଜମିକୁ ୧୯୭୭ ଫାଇନାଲ୍ ସେଟେଲମେଣ୍ଟ୍ରେ ତାଙ୍କ ନାମରେ ରେକର୍ଡ ହୋଇଥିବା ଚୁକ୍ତିରେ ଉଲ୍ଲେଖ ରହିଛି। ମହାପ୍ରଭୁଙ୍କ ନାମରେ ଥିବା ଏ ଜମି ୧୯୭୭ ପରେ ସ୍ଥିତିବାନ ହୋଇ ପ୍ରଭାବତୀ ଦାସଙ୍କ ନାମରେ ରେକର୍ଡ ହୋଇଥିଲା। ମନିଗୋପାଳ ଦାସଙ୍କ ତିନି ପୁଅ ଅଶୋକ ଦାସ, ପ୍ରଣବ ଦାସ ଓ ବାସୁଦେବ ଦାସଙ୍କ ମଧ୍ୟରୁ ଓଏଲଆର ଆକ୍ଟ ୩୬ ବଳରେ ଏହି ଜମିକୁ ରେକର୍ଡ କରାଯାଇଥିଲା। ଏବେ ପ୍ରଣବ କୁମାର ଦାସ ୨୭ ଏକର ୩୧୭ ଡେସିମିଲ ଜମିରୁ ତାଙ୍କ ଭାଗ ଜମିକୁ ଏହି ଦୁଇଜଣଙ୍କୁ କ୍ଷମତା ଦେଇଛନ୍ତି। ଏ ଜମି ସ୍ଥିତିବାନ ରହିଥିବାରୁ ଶ୍ରୀ ଦାସ ମଧ୍ୟ ଆଇନ ମୁତାବକ ପାୱାର ଅଫ୍ ଆଟର୍ଣ୍ଣି ଦେଇଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି, ମହାପ୍ରଭୁଙ୍କ ନାମରେ ଥିବା ଜମିକୁ କେଉଁ ପରିସ୍ଥିତିରେ ଫାଇନାଲ୍ ସେଟେଲମେଣ୍ଟ୍ରେ ପ୍ରଭାବତୀଙ୍କ ନାମରେ ରେକର୍ଡ କରାଯାଇଥିଲା। ସାବକ ଓ ହାଲ ରେକର୍ଡ ଯାଞ୍ଚ କଲେ ସତ କଥା ପଦାକୁ ଆସିବ। ଯଦି ଏଭଳି ସେଟେଲମେଣ୍ଟ୍ ସମ୍ଭବ ତେବେ ପୁରୀ ସହରର ହଜାର ହଜାର ଲୋକ କାହିଁକି ଜମିଜମାକୁ ନେଇ ଏତେ ଯନ୍ତ୍ରଣା ଭୋଗୁଛନ୍ତି ତାକୁ ନେଇ ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି। ଶହ ଶହ ବର୍ଷ ଧରି ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କୁ କାହିଁକି ପ୍ରଶାସନ ୟୁନିଫର୍ମ ପଲିସିରେ ସେମାନେ ଦଖଲରେ ଥିବା ଜମି କିଣିବାକୁ ବାଧ୍ୟ କରୁଛି ତାକୁ ନେଇ ଆପତ୍ତି ଉଠାଇଛନ୍ତି।