କଟକ: ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି କ୍ଷମତା ଶ୍ରୀମନ୍ଦିର ପରିଚାଳନା କମିଟିକୁ ପ୍ରଦାନ ପାଇଁ ଆଇନରେ ସଂଶୋଧନ ପୂର୍ବରୁ କରାଯାଇଥିବା ବେଳେ ଏ ସଂପର୍କିତ ନିୟମାବଳୀ ପ୍ରଣୟନ ପାଇଁ ସରକାର ଅଧିକ ସମୟ ଲୋଡ଼ିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଦିଲ୍ଲୀପ କୁମାର ବରାଳଙ୍କ ଜନସ୍ବାର୍ଥ ଆବେଦନର ଆଜି ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ନିୟମାବଳୀ ପାଇଁ ଚିଠା ପ୍ରସ୍ତୁତ ହୋଇ ସାରିଛି। ଏହା ଚୂଡାନ୍ତ ପାଇଁ ଚାରି ସପ୍ତାହ ପ୍ରଦାନ କରାଯାଉ। ଏହି ସମୟ ଭିତରେ ନିୟମାବଳୀ ପ୍ରଣୟନ କରାଯିବ ବୋଲି ସରକାରଙ୍କ ତରଫରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ହାଇକୋର୍ଟ ସରକାରଙ୍କୁ ମହଲତ ପ୍ରଦାନ କରିବା ସହିତ ଅଗଷ୍ଟ ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମାମଲାରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌,୧୯୫୪ର ସଂଶୋଧିତ ଧାରା ୧୬(୨) ଆଧାରରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ କୌଣସି ଜମି ବିକ୍ରି କରାଯାଇ ନାହିଁ। ସତ୍ୟପାଠରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୪ର ଧାରା ୧୬(୨)ର ସଂଶୋଧନ ପରବର୍ତ୍ତୀ କାରବାର ସମ୍ପର୍କରେ ତଥ୍ୟ ଉଲ୍ଲେଖ କରାଯାଇଥିଲା। ସଂଶୋଧିତ ଧାରା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋଣସି ଜମି ବିକ୍ରି କରାଯାଇ ନାହିଁ କାରଣ ରାଜ୍ୟ ସରକାର ଏହି ସଂଶୋଧିତ ଧାରାରେ ରହିଥିବା ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଅଦ୍ୟାବଧି ନିୟମାବଳୀ ପ୍ରଣୟନ କରି ନାହାଁନ୍ତି ବୋଲି ସତ୍ୟପାଠରେ ସ୍ପଷ୍ଟ କରାଯାଇଥିଲା। ଅନ୍ୟପକ୍ଷରେ ୨୦୨୨, ଜାନୁଆରି ୧ରୁ ୨୦୨୪, ଜାନୁଆରି ୩୧ ମଧ୍ୟରେ ପୁରୀ ଟାଉନ ତହସିଲ ଅନ୍ତର୍ଗତ ୧୫ଟି ଶ୍ରୀମନ୍ଦିର ଜମି (ମୋଟ ୦.୫୪୬ ଏକର ପରିମିତ ଅଞ୍ଚଳ) ବିକ୍ରି ପଞ୍ଜୀକରଣ ୟୁନିଫର୍ମ ପଲିସି-୨୦୨୩ରେ ଥିବା ବ୍ୟବସ୍ଥା ଅନୁସାରେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ସମ୍ପନ୍ନ ହୋଇଥିବା ନେଇ ସତ୍ୟପାଠରେ ଦର୍ଶାଯାଇଥିଲା। ଜୁନ୍ ୨୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ନିୟମାବଳୀ ପ୍ରଣୟନ ପ୍ରସଂଗରେ ସରକାରଙ୍କୁ ଜବାବ ରଖିବାକୁ କହିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନ୍‌ଲାଇନ୍‌ରେ ନିକଟରେ ରାଜ୍ୟ ସରକାର ସଂଶୋଧନ କରିଥିଲେ। ଏପରି ସଂଶୋଧନକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା। ସଂଶୋଧନ ନେଇ ୨୦୨୨, ଜାନୁଆରି ୯ରେ ଅଧ୍ୟାଦେଶ ଜାରି କରାଯାଇଥିଲା। ବିଶେଷକରି ପୂର୍ବରୁ ଥିବା ଆଇନ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା କୋଣସି ଅସ୍ଥାବର ସମ୍ପତ୍ତି ଦଖଲକୁ ନେଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ବିନା ଏହାକୁ ବିକ୍ରି କରିପାରିବ ନାହିଁ, କିମ୍ବା କାହାକୁ ଲିଜ୍ ସୂତ୍ରରେ ଦେଇପାରିବ ନାହିଁ।

ସେହିପରି କୋଣସି ପରିସ୍ଥିତିରେ ସରକାରଙ୍କ ବିନା ଅନୁମତିରେ ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥଙ୍କ ଜମିକୁ ବନ୍ଧକ ରଖି ପାରିବେ ନାହିଁ ବୋଲି ଆଇନରେ ବ୍ୟବସ୍ଥା ଥିଲା। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ଏଭଳି ବ୍ୟବସ୍ଥାରେ ସରକାର ସଂଶୋଧନ ଆଣି ଧାରା ୧୬(୨) ଯୋଡି ଥିଲେ। ଅନ୍‌ଲାଇନରେ ସଂଶୋଧନ ଅଣାଯିବା ଦ୍ୱାରା ସମସ୍ତ କ୍ଷମତା ମନ୍ଦିର ପରିଚାଳନା କମିଟି ହାତକୁ ଯାଇଥିଲା। ଶ୍ରୀଜଗନ୍ନାଥଙ୍କ ସ୍ଥାବର ସଂପତ୍ତି ବିକ୍ରି ବା ଲିଜ୍‌ରେ ଦେବା ପାଇଁ ପରିଚାଳନା କମିଟିକୁ ଆଉ ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ଆବଶ୍ୟକ ନାହିଁ। ଆଇନରେ ସଂଶୋଧନ ଆଣି ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଏପରି କ୍ଷମତା ପ୍ରଦାନ କରିବା ଦ୍ବାରା ଶ୍ରୀଜଗନ୍ନାଥଙ୍କ ସଂପତ୍ତି ପ୍ରତି ବିପଦ ଦେଖା ଦେଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏପରି କ୍ଷମତାର ଅପବ୍ୟବହାର ହେବାର ସମ୍ଭାବନା ରହିଛି। ଏବେ ୩୫ ହଜାର ଏକର ଜମି ଶ୍ରୀଜଗନ୍ନାଥଙ୍କ ନାଁରେ ରେକର୍ଡଭୁକ୍ତ ହୋଇ ରହିଥିବା ବେଳେ ଆଉ ୨୫ ହଜାର ଏକର ଜମି ରେକର୍ଡଭୁକ୍ତ ହୋଇ ପାରି ନାହିଁ। ଶ୍ରୀଜଗନ୍ନାଥଙ୍କ ସଂପତ୍ତିର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇନରେ କରାଯାଇଥିବା ଜାନୁଆରି ୯ର ସଂଶୋଧନକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।