ଇସ୍ତଫା ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ

ଭୁବ‌େନଶ୍ବର : ମଙ୍ଗଳବାର ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଜଗନ୍ନାଥ ପ୍ରଧାନ ଆଜି ତାଙ୍କ ଇସ୍ତଫା ପ୍ରତ୍ୟାହାର କରିନେଇଛନ୍ତି। ଜଗନ୍ନାଥ ଯେଉଁମାନଙ୍କ ଉପରେ ଅଭିମାନ କରି ଦଳରୁ ଇସ୍ତଫା ଦେଇଥିଲେ ସେମାନେ ଆଜି ତାଙ୍କ କାର୍ଯ୍ୟାଳୟକୁ ଯାଇ ବୁଝାଇବା ସହ ସମସ୍ତେ ଏକାଠି ଅଛନ୍ତି ବୋଲି କହିଛନ୍ତି।

ଭୁବନେଶ୍ବର ଜିଲ୍ଲା ସଭାପତି ନିଯୁକ୍ତିକୁ ନେଇ ଅ‌ସନ୍ତୋଷ ଥିବା ଜଗନ୍ନାଥ ମଙ୍ଗଳବାର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଇସ୍ତଫା ପତ୍ର ଦେଇଥିଲେ ହେଁ ତାହା ଗ୍ରହଣ ହୋଇନଥିଲା। ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୋନ୍‌ରେ ଜଗନ୍ନାଥଙ୍କ ସହ କଥା ହୋଇଥିଲେ। ଦଳ ନଛାଡ଼ିବା ନେଇ ବୁଝାଇବା ସହ ଯାହା ବି ସମସ୍ୟା ଅଛି ତା’ର ଆପୋଷ ସମାଧାନ କରିବାକୁ କହିଥିଲେ। ଧର୍ମେନ୍ଦ୍ର ମନାଇବା ପରେ ଜଗା ବୁଝିଥିଲେ। ଏହାପରେ ଆଜି ସକାଳୁ ଇସ୍ତଫା ପ୍ରତ୍ୟାହାର କରିନେଇଥିଲେ।

ଆଜି ସକାଳେ ନବନିଯୁକ୍ତ ଜିଲ୍ଲା ସଭାପତି ବାବୁ ସିଂହ ଓ ପୂର୍ବତନ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଜଗନ୍ନାଥ ପ୍ରଧାନଙ୍କ ଝାରପଡ଼ାସ୍ଥିତ କାର୍ଯ୍ୟାଳୟକୁ ଯାଇ ଆଲୋଚନା କରିଥିଲେ। ଏହାପରେ ଜଗନ୍ନାଥ ଇସ୍ତଫା ପ୍ରତ୍ୟାହାର କରୁଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ। ତିନି ବିଜେପି ନେତା ପରସ୍ପରକୁ ଆଲିଙ୍ଗନ କରି ଫଟୋ ଉଠାଇବା ସହ ସେମାନଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ନାହିଁ ବୋଲି ଦେଖାଇଥିଲେ।

ଏହାର କିଛି ସମୟ ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜଗନ୍ନାଥଙ୍କୁ କାର୍ଯ୍ୟାଳୟକୁ ଯାଇ ଆଲୋଚନା କରିବା ସହ ଦଳରେ ମିଶିକି କାମ କରିବାକୁ କହିଥିଲେ। ଏହାପରେ ଜଗନ୍ନାଥ, ବାବୁ ସିଂହ ଓ ଅପରାଜିତା ସେମାନଙ୍କ ସମର୍ଥକଙ୍କ ସହ ଗ୍ରୁପ୍‌ ଫଟୋ ଉଠାଇଥିଲେ।

ସମ୍ବନ୍ଧିତ ଖବର