ଜଗନ୍ନାଥପ୍ରସାଦ ବନାଞ୍ଚଳ ହାତୀଙ୍କ ପାଇଁ ସୁରକ୍ଷିତ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବନାଞ୍ଚଳ ଏବେ ବନ୍ୟଜନ୍ତୁଙ୍କ ପାଇଁ ସୁରକ୍ଷିତ ବିଚରଣସ୍ଥଳୀ। ବିଶେଷ କରି ଗଜରାଜଙ୍କ ପାଇଁ ଏହି ବନାଞ୍ଚଳ ଏବେ ସୁରକ୍ଷିତ ସ୍ଥାନ ପାଲଟିଛି। ଫଳରେ ସ୍ଥାନୀୟ ଆକୁଲକୁମ୍ପା, ବନ୍ତା, ସଳୁଆପୋଲ୍ଲୀ, କ୍ଷେତମୁଣ୍ଡଳୀ, କନ୍ଧବନ୍ତା ଓ ଲୁଣ୍ଡୁରୁପଦର ଜଙ୍ଗଲ ତଥା ପାହାଡ଼ିଆ ଅଞ୍ଚଳରେ ହାତୀ ବର୍ଷତମାମ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳୁଛି। ସେହିପରି ଗେରେଡ଼ା, ଦୁବ, ଉମାସାହି, କଟକଟି ଓ କନ୍ଧଗାଲେରୀ ଅଞ୍ଚଳରେ ସନ୍ଧ୍ୟାହେଲେ ହାତୀ ମାନେ ଦଳ ଦଳ ହୋଇ ବୁଲୁଛନ୍ତି। ବୁଧବାର ଗୋଟିଏ ପଲରେ୧୪ଟି ମାଈ ହାତୀ, ୪ଟି ଛୁଆ ଓ ଗୋଟିଏ ଦନ୍ତା ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଥିଲା। ସେମାନେ ଉମାସାହି ସ୍ଥିତ ୱାଟର୍ ବଡ଼ିରେ ବହୁସମୟ ଧରି ଜଳକ୍ରୀଡ଼ା କରିଥିଲେ।

ସେମାନଙ୍କ ଉପରେ ବନବିଭାଗ କଡ଼ା ନଜର ରଖିବା ସହ ଗଛ ଉପରୁ ସେମାନଙ୍କ ଫଟୋ ଉତ୍ତୋଳନ କରିଥିବା ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ କହିଛନ୍ତି। ବିଶେଷ କରି ବନ୍ୟଜନ୍ତୁଙ୍କ ପାଇଁ ବିଭିନ୍ନ ଜାଗାରେ ଜଳାଶୟ ଖନନ ଦ୍ୱାରା ହାତୀ ମାନେ ସେଠାରେ ରାତ୍ରୀରେ ଜଳକ୍ରୀଡ଼ା କରୁଛନ୍ତି। ଦିନରେ ସେମାନଙ୍କ ଖାଦ୍ୟ ପାଇଁ ଉତ୍ତର ବନଖଣ୍ଡ ଅଧୀନସ୍ଥ ଏହି ବନାଞ୍ଚଳରେ ବହୁ ପରିମାଣର ପତ୍ର ଜଙ୍ଗଲ ସୃଷ୍ଟି କରାଯାଇଛି। ତେଣୁ ସେମାନେ ଗାଁ ମୁହାଁ ହେଉ ନାହାନ୍ତି। ସେହିପରି ସ୍ଥାନୀୟ ବନସୁରକ୍ଷା ସମିତିର ସଭ୍ୟଙ୍କ ସହ ଏଲିଫ୍ୟାଣ୍ଟ୍ ସ୍କ୍ବାଡ଼ ମିଳିତ ଭାବେ ରାତିରେ ପାଟ୍ରୋଲିଂ କରି ହାତୀଙ୍କ ଗତିବିଧି ଉପରେ ନଜର ରଖୁଛି।

ଅନ୍ୟ ପକ୍ଷରେ ହାତୀ ବିଚରଣ କରୁଥିବା ଜଙ୍ଗଲ ପାଖ ଗ୍ରାମଗୁଡ଼ିକରେ ଦରକାର ସମୟରେ ବିଦ୍ୟୁତ୍ କାଟ୍ କରା ଯାଉଥିବା ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼କଥା ହେଉଛି, ବିଭାଗୀୟ କର୍ମଚାରୀଙ୍କ ସହ ବନ ସରଂକ୍ଷଣ ସମିତିର ଉଦ୍ୟମ ପାଇଁ ସ୍ଥାନୀୟ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ବହୁ ମାତ୍ରାରେ କମିଯାଇଥିବା ଶ୍ରୀ ଦାସ କହିଥିଲେ। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ଫାୟାର୍‌ ସ୍କ୍ବାଡ଼ ସଜାଗ ରହିଛି। ତେବେ ଉକ୍ତ ଅଞ୍ଚଳ ଆଦିବାସୀପ୍ରବଣ ଅଞ୍ଚଳ ହୋଇଥିବାରୁ ଆହୁରି ସଚେତନତାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର