ପୁରୀ : ରାତିପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ। ଏବେଠାରୁ ପୁରୀ ବଡ଼ଦାଣ୍ଡରେ ଲାଗି ଗଲାଣି ଭକ୍ତଙ୍କ ଭିଡ଼। ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ଯୋଗୁଁ ବଡ଼ଦାଣ୍ଡ ପାଲଟି ଗଲାଣି ଜନସମୁଦ୍ର। ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ରତ୍ନ ସିଂହାସନ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ତିନି ଠାକୁର। ବର୍ଷକୁ ଥରେ ବଡ଼ ଠାକୁରଙ୍କ ଏହି ବଡ଼ଯାତ୍ରାରେ ସାମିଲ ହେବାକୁ ଲୋକଙ୍କ ମନରେ ରହିଛି ନାହିଁ ନଥିବା ଉତ୍ସାହ। ଜଗତର ନାଥଙ୍କ ଏହି ମାନବୀୟ ଲୀଳା ଦେଖିବା ପାଇଁ ବହୁ ଦୂର ଦୂରାନ୍ତରୁ ଧାଇଁ ଆସୁଛନ୍ତି ଲକ୍ଷ ଲକ୍ଷ ଭକ୍ତ ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ନିଆଯାଇଛି ତିନି ରଥକୁ । ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନିରେ ଉତ୍ସବ ମୁଖର ହୋଇ ଉଠିଛି ବଡ଼ଦାଣ୍ଡ । ତିନି ଠାକୁର ବିଜେ ହେବା ପାଇଁ ସିଂହଦ୍ୱାର ନିକଟରେ ପ୍ରସ୍ତୁତ ହୋଇ ରହିଛନ୍ତି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ।
ଅନ୍ୟପଟେ ନୂଆ ରୂପରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଛି ଶ୍ରୀକ୍ଷେତ୍ରକୁ। ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିରେ ପୂଜାର୍ଚ୍ଚନା କରାଯାଇଛି। ଅଣସର ପିଣ୍ଡିରେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ନବଯୌବନ ପ୍ରାପ୍ତି ହୋଇ ଶ୍ରୀଜିଉ ରତ୍ନବେଦୀରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଲୋକାରଣ୍ୟ ହେବାରେ ଲାଗିଛି ଶ୍ରୀକ୍ଷେତ୍ର। ସ୍ନାନଯାତ୍ରା ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ପଡିଥିଲେ ଶ୍ରୀଜିଉ। ମାନବୀୟ ଲୀଳା ଖେଳା ଭିତରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ୧୪ ଦିନ ଚିକିତ୍ସିତ ହେବା ପରେ ଠାକୁର ସୁସ୍ଥ ହୋଇଛନ୍ତି।
ଅଣସର ପିଣ୍ଡିରେ ଚାଲିଥିବା ପ୍ରସ୍ତୁତି ପର୍ବରେ ଗତକାଲି ମହାପ୍ରଭୁଙ୍କୁ ବନକଲାଗି କରାଯାଇଥିଲା। ବିଳମ୍ବିତ ରାତିରେ ବନକଲାଗି ନୀତି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଥିଲେ। ଜଗମୋହନ ମରାମତି କାର୍ଯ୍ୟ ଶେଷ ହୋଇଥିବାରୁ ଆଜି ଭିତର କାଠରୁ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ସକାଳ ସାଢେ ୭ଟାରୁ ୯ଟା ପର୍ଯ୍ୟନ୍ତ ପାରିମାଣିକ ଦର୍ଶନ ଓ ପରେ ସାଢେ ୧୦ଟା ଯାଏଁ ସାହାଣମେଲା ଦର୍ଶନ ହୋଇଥିଲା। ଦିନ ପ୍ରାୟ ୩ଟା ସମୟରେ ଅନୁଷ୍ଠିତ ହୋଇଥିଲା ନେତ୍ର ଉତ୍ସବ। ସମୟ ଯେତିକି ଗଡୁଛି, ପୁରୀରେ ଭିଡ଼ ସେତିକି ବଢିବାରେ ଲାଗିଛି। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଘୋଷଯାତ୍ରା ପାଇଁ ସମଗ୍ର ପୁରୀ ଚଳଚଞ୍ଚଳ ହୋଇଉଠିଛି।