ଶ୍ରୀଜିଉଙ୍କ ରଥ ଟାଣିବେ ସେବାୟତ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ରଥଯାତ୍ରା ଆଗାମୀ ୧୨ ତାରିଖରେ ଅନୁଷ୍ଠିତ ହେବ । କେବଳ ପୁରୀରେ ହିଁ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ରାଜ୍ୟ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏଥର କେବଳ ସେବାୟତମାନେ ହିଁ ରଥ ଟାଣିପାରିବେ । ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, କୋଭିଡ-୧୯ କଟକଣା ମଧ୍ୟରେ ରଥଯାତ୍ରାର ଆୟୋଜନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଚଳିତ ଥର ସେବାୟତମାନେ ହିଁ ରଥକୁ ଟାଣିବେ । ରଥଯାତ୍ରାରେ ଯାହା ହେବ, ସେବାୟତଙ୍କ ଦ୍ୱାରା ହିଁ ହେବ । ରଥଯାତ୍ରାରେ ନିୟୋଜିତ ହେବାକୁ ସମସ୍ତ ଅଧିକାରୀ ଓ ସେବାୟତମାନଙ୍କର କୋଭିଡ ପରୀକ୍ଷା ହେବ । ସେମାନଙ୍କର ଟିକାକରଣ ହୋଇସାରିଛି । ରଥଯାତ୍ରା ପାଇଁ ସାନିଟାଇଜର ବ୍ୟବସ୍ଥା ହୋଇଛି । ଯିଏ ରଥଯାତ୍ରାରେ ସାମିଲ ହେବେ, ତାଙ୍କୁ ମାସ୍କ ଓ ଗାମୁଛା ଦିଆଯିବ । ଗୁଣ୍ଡିଚା ମନ୍ଦିରରେ ବସିବା ପାଇଁ ବ୍ୟବସ୍ଥା ହେବ । ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯିବ ।

ସୂଚନାଯୋଗ୍ୟ, ଆଜି ଶ୍ରୀଜିଉଙ୍କ ରଥଯାତ୍ରା ପ୍ରସଙ୍ଗରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଅଧ୍ୟଡ଼ତା କରିଥିଲେ । ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ସମସ୍ତ ସେବାୟତ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର