ଗିରଫ ହେଲେ ୭.୨୧ କୋଟି ଟଙ୍କାର ମାଲିକ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ

ଭୁବନେଶ୍ବର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏଲ୍‌ଆଇଙ୍କ ୯୧ଟି ପ୍ଲଟ ସହ ୭ କୋଟି ୨୧ ଲକ୍ଷ ଟଙ୍କାର ସଂପତ୍ତି କାଲି ଠାବ ହୋଇଥିଲା। ଭିଜିଲାନ୍ସ ବିଭାଗକୁ ସୂଚନା ମିଳିଛି ଯେ, ଶ୍ରୀ ରାଉତଙ୍କ ଆୟ ତୁଳନାରେ ୩୬୫% ଅଧିକ ସମ୍ପତ୍ତି ଆହରଣ କରାଯାଇଛି। ଭିଜିଲାନ୍ସ ବିଭାଗ ଏଲ୍‌ଆଇ ଜଗନ୍ନାଥ ରାଉତଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଭିଜିଲାନ୍ସ ବିଭାଗ ଗତକାଲି କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଶ୍ରୀ ରାଉତଙ୍କର ୭.୨୧ କୋଟିର ସଂପତ୍ତି ଠାବ କରିଥିଲା। ସେହିପରି ୯୧ଟି ପ୍ଲଟ, ୫ଟି କୋଠା, ୨ଟି ଫ୍ଲାଟ, ୩୯ ଲକ୍ଷର ବ୍ୟାଙ୍କ ଜମା, ୫ଶହ ଗ୍ରାମ ସୁନା, ୨୫୦ ଗ୍ରାମ ରୁପା ଓ ଗୋଟିଏ କାର୍ ଠାବ କରିଥିଲା।

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ (ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର) ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ଉ କରିଥିଲା। ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ଉ ହୋଇଥିଲା। କଟକ ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ଉ କରାଯାଇଥିଲା।

ଜଗନ୍ନାଥ ରାଉତଙ୍କର ରଘୁନାଥପୁରରେ ଥିବା ରୟାଲ ଲାଗୁନ୍ ଆପାର୍ଟମେଣ୍ଟରେ ଅବସ୍ଥିତ ଆବାସିକ ଘର, ରଘୁନାଥପୁର ଗ୍ରାମରେ ଅବସ୍ଥିତ ତିନିମହଲା କୋଠା, ଭୁବନେଶ୍ୱର ଗୋବିନ୍ଦା ଭବନର ଗାଁ ରଘୁନାଥପୁର ପଛପଟେ ଅବସ୍ଥିତ ତିନିମହଲା କୋଠା, ରଘୁନାଥପୁରରେ ଅବସ୍ଥିତ ତାଙ୍କର ଦୁଇମହଲା କୋଠା, ରଘୁନାଥପୁରରେ ଅବସ୍ଥିତ ଗାଁ ପୋଖରୀ ନିକଟରେ ଏକମହଲା କୋଠା, ଗ୍ରିନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ଭୁବନେଶ୍ୱରର କଲରାହାଙ୍ଗରେ ଥିବା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ, ରଘୁନାଥପୁରର ରୟାଲ ଆର୍କେଡରେ ଥିବା ଫ୍ଲାଟ୍, ବାଙ୍କିର ଚାରିଘରିଆରେ ଥିବା ଘର ଦେଖି ଭିଜିଲାନ୍ସ ବିଭାଗ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

 

ସମ୍ବନ୍ଧିତ ଖବର