ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଲୋକଙ୍କ ଭିଡ଼କୁ ନେଇ ଜଗନ୍ନାଥ ସେନାର ଏତଲା, ମନ୍ତ୍ରୀ ଓ ବିଧାୟକଙ୍କ ଯୋଗଦାନକୁ ନେଇ ଉଠାଇଲା ପ୍ରଶ୍ନ

ମନ୍ତ୍ରୀ କହିଲେ, କୋଭିଡ ନିୟମ ଉଲ୍ଲଙ୍ଘନ କରିନି

ପୁରୀ: ଗତକାଲି ପୁରୀର ସ୍ୱର୍ଗଦ୍ୱାରରେ ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଶହ ଶହ ଲୋକଙ୍କ ଭିଡ଼ ନେଇ ପୁରୀରେ ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ପୁରୀ ସମୁଦ୍ର କୂଳ ଥାନାରେ ଏନେଇ ଏତଲା ଦେଇଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।
ଏହି ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେଇ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବିଧାୟକ ଉମା ସାମନ୍ତରାୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସଂକ୍ରମିତ ବ୍ୟକ୍ତି କିପରି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଅଭିଯୋଗ ଆଣି ପ୍ରଶ୍ନ ଉଠାଇଛି ଜଗନ୍ନାଥ ସେନା ।
ସେନା ଅଭିଯୋଗ କରିଛି ଯେ ବିଧାୟକ ଉମା ସାମନ୍ତରାୟ ନିକଟରେ କରୋନା ସଂକ୍ରମିତ ହୋଇଥିଲେ । ମନ୍ତ୍ରୀ ସମୀର ଦାଶଙ୍କର ମଧ୍ୟ ପଜିଟିଭ୍ ଆସିଥିଲା ବୋଲି ଅଭିଯୋଗ କରିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ । ସରକାର କରୋନା କାଳରେ ଅନ୍ତିମ ସଂସ୍କାର ପାଇଁ ସୀମିତ ଲୋକଙ୍କ ସମାଗମ ନେଇ ନିୟମ ରଖିଛନ୍ତି । ଏହା ପରେ ବି କିପରି ଏତେ ସଂଖ୍ୟାରେ ଜନଗହଳି ହେଲା ଓ ପ୍ରଶାସନ ନୀରବ ରହିଲା ସେନା ଏ ନେଇ ଅଭିଯୋଗ କରିଛି । କରୋନା କାଳରେ ଅନ୍ତିମ ସଂସ୍କାରରେ ସୀମିତ ଲୋକଙ୍କ ସାମିଲ ହେବା ନେଇ ସରକାର ନିୟମ କରିଛନ୍ତି । ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ କରିବାକୁ ଦାବି କରିଛି ଜଗନ୍ନାଥ ସେନା ।
ସେପଟେ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ‘ମୁଁ ସରକାରଙ୍କ କୋଭିଡ ନିୟମ ଉଲଂଘନ କରିନାହିଁ । ଗତ ୧୪ ତାରିଖରେ ତାଙ୍କର ପଜିଟିଭ୍ ଆସିଥିଲା । ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ସେ ୨୧ ତାରିଖରେ ଡିସଚାର୍ଜ ହୋଇଥିଲି । ବିଧାନସଭା ଆଗରୁ ଗତ ୨୭ ତାରିଖରେ ମୋର ଟେଷ୍ଟରେ କମ୍ ସଂକ୍ରମଣ ଥିବା ଜଣାପଡ଼ିଥିଲା । ନିୟମ ଅନୁସାରେ ୨୧ ଦିନ ବିତିଯାଇଥିବାରୁ ମୁଁ ପ୍ରଦୀପ ମହାରଥୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲି।’

ସମ୍ବନ୍ଧିତ ଖବର