ଭୁବନେଶ୍ବର: ତିନି ଦିନ ହେଲା ଚାଲିଥିବା ହାଇଡ୍ରାମାର ଅନ୍ତ ଘଟିଛି। ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମରାଯିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ରାତିରେ ଆତ୍ମସମର୍ପଣ କରିଛନ୍ତି। ଏହା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ଉତ୍କ୍ଷିପ୍ତ ହୋଇଛନ୍ତି ଜଗନ୍ନାଥଙ୍କ ସମର୍ଥକ। ରାତି ପ୍ରାୟ ୧୦ଟା ବେଳେ ଭୁବନେଶ୍ବରର ଜନପଥ ଓ ଜାତୀୟ ରାଜପଥ ଅବରୋଧ କରିଥିଲେ। ଅଘଟଣ ଆଶଙ୍କାରେ ରାଜଧାନୀର ବିଭିନ୍ନ ଜାଗାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ଜଗନ୍ନାଥଙ୍କ ଗିରଫ ପରେ ଓଏଏସ୍ ସଂଘ ତା’ର ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛି।
ଏହି ମାଡ଼ ଘଟଣାରେ ରାଜ୍ୟ ସରକାର ଓ ଓଏଏସ୍ ଅଧିକାରୀ ସଂଘ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିଲେ। ଜଗନ୍ନାଥ ପ୍ରଧାନ ମୁଖ୍ୟ ଷଡ଼୍ଯନ୍ତ୍ରକାରୀ ବୋଲି ସଂଘ ଅଭିଯୋଗ କରିବା ସହ ତାଙ୍କର ଗିରଫ ଦାବିରେ ଅଟଳ ରହିଥିଲା। ଫଳରେ ପ୍ରଶାସନିକ ଅଚଳାବସ୍ଥା ତୃତୀୟ ଦିନରେ ପହଞ୍ଚିଥିଲା। ଜିଲ୍ଲା ଓ ବ୍ଲକ୍ ସ୍ତରରେ ଲୋକମାନେ ହଇରାଣ ହୋଇଥିଲେ। ତେବେ ଆଜି ସକାଳୁ ଜଗନ୍ନାଥଙ୍କୁ ଗିରଫ ନିଷ୍ପତ୍ତି ନେବା ମୁଡ୍ରେ ସରକାର ନ ଥିଲେ। ଓଏଏସ୍ ଅଧିକାରୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ରାଜସ୍ବ ମନ୍ତ୍ରୀ ନିବେଦନ କରିଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଓଏଏସ୍ ସଂଘ ତା’ର ଜିଦ୍ରୁ ଓହରି ନଥିଲା। ଏହା ପରେ ବିଜେପି ଓ ସରକାରଙ୍କ ଶୀର୍ଷସ୍ତରରେ ବୈଠକ ବସି ଜଗନ୍ନାଥଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା।
ରାତି ପ୍ରାୟ ସାଢ଼େ ୯ଟା ବେଳକୁ ଡିସିପିଙ୍କ କାର୍ଯ୍ୟାଳୟରେ ଜଗନ୍ନାଥ ପହଞ୍ଚିଥିଲେ। ଏହି ଖବର ଜଣାପଡ଼ିବା ପରେ ତାଙ୍କର ଶହ ଶହ ସମର୍ଥକ ସେଠାରେ ରୁଣ୍ଡ ହୋଇଥିଲେ। ବିଧାୟକ ବାବୁ ସିଂହଙ୍କ ସମେତ ବିଜେପିର କିଛି ବରିଷ୍ଠ ନେତା ବି ସେଠାରେ ପହଞ୍ଚିଥିଲେ। ଡିସିପିଙ୍କ କାର୍ଯ୍ୟାଳୟ ଭିତରକୁ ଯିବା ପୂର୍ବରୁ ଗଣମାଧ୍ୟମକୁ ଜଗନ୍ନାଥ କହିଥିଲେ, ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟଣାରେ ମୋର ସଂପୃକ୍ତି ନାହିଁ। ମୁଁ ଏହି ଘଟଣାକୁ ନିନ୍ଦା କରିଛି। କିନ୍ତୁ ମୋତେ, ମୋ ଦଳ ଓ ସରକାରଙ୍କୁ ବଦନାମ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରାଗଲା। ଓଏଏସ୍ ସଂଘ ମଧ୍ୟ ଏହି ଯୋଜନାର ଶିକାର ହୋଇ ମୋ ଗିରଫ ଦାବି କରି ଆନ୍ଦୋଳନରେ ଅଛନ୍ତି। ଫଳରେ ବନ୍ୟା ଦୁର୍ଗତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ, କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ଆବଣ୍ଟନ ପ୍ରଭାବିତ ହୋଇପାରେ। ବାହୁଡ଼ା ଯାତ୍ରା ଓ ମହାପ୍ରଭୁଙ୍କ ସୁନାବେଶ ମଧ୍ୟ ପ୍ରଭାବିତ ହୋଇପାରେ। ଯଦି ମୋର ଗିରଫଦାରୀ ଏହାର ସମାଧାନର ବାଟ, ତେବେ ସରକାରଙ୍କ ସମ୍ମାନ ଏବଂ ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମୁଁ ତଦନ୍ତରେ ସହଯୋଗ କରିବାକୁ ଆସିଛି।
ଗିରଫ କଲା ପୁଲିସ, କୋର୍ଟ ଚାଲାଣ
ଜନପଥରେ ସମର୍ଥକଙ୍କ ରାସ୍ତାରୋକ
ଗିରଫ ପାଇଁ ଅଡ଼ି ବସିଥିଲା ଓଏଏସ୍ ସଂଘ
୩ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହୃତ
ଡିସିପିଙ୍କ କାର୍ଯ୍ୟାଳୟରେ ଜଗନ୍ନାଥ ଥିଲା ବେଳେ ବାହାରେ ତାଙ୍କ ସମର୍ଥକମାନେ ହୋହଲ୍ଲା ଆରମ୍ଭ କରି ଦେଇଥିଲେ। ସେମାନେ ରାସ୍ତାରୋକ କରି ନିଜର ଅସନ୍ତୋଷ ଜଣାଇଥିଲେ। ପୁଲିସ ଓ ବିଜେପିର ବରିଷ୍ଠ ନେତାମାନେ ସମର୍ଥକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା। ରାତି ପ୍ରାୟ ୧୦ଟା ବେଳକୁ ଜଗନ୍ନାଥଙ୍କୁ ଗିରଫ କରାଯାଇଥିବା ନେଇ ପୁଲିସ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଥିଲା। ଗିରଫ ପରେ ତାଙ୍କୁ ମେଡିକାଲ୍ ଯାଞ୍ଚ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ସେଠାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ରାତିରେ ଝାରପଡ଼ା ଜେଲ୍କୁ ପଠାଯାଇଥିଲା। ଜଗନ୍ନାଥଙ୍କ ଗିରଫ ପରିପ୍ରେକ୍ଷୀରେ ଡିସିପି କାର୍ଯ୍ୟାଳୟ, କ୍ୟାପିଟାଲ୍ ହସ୍ପିଟାଲ, ଭୁବନେଶ୍ବର କୋର୍ଟ ଓ ଝାରପଡ଼ା ଜେଲ୍ ନିକଟରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।
ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି ନେଇ ଓଏଏସ୍ ଅଧିକାରୀଙ୍କ ଆନ୍ଦୋଳନ ଆଜି ବି ଜାରି ରହିଥିଲା। ଜିଲ୍ଲା ସ୍ତରରେ ତିନି ଦିନ ହେଲା କାର୍ଯ୍ୟ ବନ୍ଦ ହୋଇଥିଲା ବେଳେ ଭୁବନେଶ୍ବରରେ ଦୁଇ ଦିନ ହେଲା ଓଏଏସ୍ ଅଧିକାରୀମାନେ ସମୂହ ଛୁଟିରେ ରହିଛନ୍ତି। ଫଳରେ ଲୋକସେବା ଭବନ, ବିଭାଗୀୟ ମୁଖ୍ୟ ଦପ୍ତର ସମେତ ଭୁବନେଶ୍ବରର ବିଭିନ୍ନ ସରକାରୀ ଅଫିସରେ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଲୋକସେବା ଭବନକୁ ଓଏଏସ୍ ଅଧିକାରୀମାନେ ନିଜ କାର୍ଯ୍ୟାଳୟକୁ ଆସି ବିଭାଗୀୟ ସଚିବଙ୍କୁ ଦେଖା କରି ଛୁଟିରେ ପଳାଇଥିଲେ। ଓଏଏସ୍ ସଂଘ କାର୍ଯ୍ୟାଳୟରେ ଅଧିକାରୀମାନେ ଏକାଠି ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ ଆଜି ସମସ୍ତ ଓଏଏସ୍ ଅଧିକାରୀ ସଂଘର ଏହି ନିଷ୍ପତ୍ତିକୁ ମାନି ନ ଥିଲେ। ଲୋକସେବା ଭବନ ଓ ଖାରବେଳ ଭବନରେ କିଛି ଅଧିକାରୀ ସ୍ବାଭାବିକ ଭାବେ କାମ କରୁଥିବା ଦେଖିବାକୁ ମିଳିଥିଲା। ଫଳରେ ସଂଘର ରାଜ୍ୟ କମିଟିରେ କେଁ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଗଣମାଧ୍ୟମକୁ କହିଥିଲେ, ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ମାରିବା ଘଟଣା ସମ୍ପୂର୍ଣ୍ଣ ନିନ୍ଦନୀୟ। ଓଏଏସ୍ ସଂଘର ଭାବାବେଗ ପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି। ମାଡ଼ ମାରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଇଛି। ଏହି ଆକ୍ରମଣ ପଛରେ କିଏ ଅଛନ୍ତି, ତାହା ତଦନ୍ତ କରି ଦୋଷୀଙ୍କୁ ଧରିବାକୁ ସମୟ ଲାଗିବ। ଆଇନ ଅନୁଯାୟୀ ସବୁ କରାଯିବ, କାହା କଥାରେ କିଛି ହେବନି। ଓଏଏସ୍ ଅଧିକାରୀମାନେ ଆନ୍ଦୋଳନରୁ ଓହରି କାମରେ ଯୋଗ ଦିଅନ୍ତୁ। ଶ୍ରୀ ପୂଜାରୀ ପରୋକ୍ଷ ଚେତାବନୀ ବି ଦେଇଥିଲେ। ସରକାରଙ୍କର ପ୍ଲାନ୍ ୧, ୨ ଓ ୩ ଅଛି ବୋଲି କହିଥିଲେ। କିନ୍ତୁ ଏହି ପ୍ଲାନ୍ କ’ଣ ତାହା ସ୍ପଷ୍ଟ କରି ନଥିଲେ। ତେବେ ରାଜସ୍ବ ମନ୍ତ୍ରୀଙ୍କ ପରୋକ୍ଷ ଚେତାବନୀ ଓ ନିବେଦନ କିଛି କାମ ଦେଇ ନଥିଲା। ଜଗନ୍ନାଥଙ୍କୁ ଗିରଫ ଦାବିରେ ସେମାନେ ଅଡ଼ି ବସିଥିଲେ। ଶେଷରେ ସେମାନଙ୍କ ଜିଦ୍ ରହିଲା।