ଆସନ୍ତାକାଲି ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ୨ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଶ୍ରୀଜିଉମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ମହାମହିମ ସକାଳ ୭ଟା ୩୦ରୁ ୮ଟା ୧୫ ପର୍ଯ୍ୟନ୍ତ ପ୍ରାୟ ୪୫ ମିନିଟ ଶ୍ରୀମନ୍ଦିର ପରିସରରେ ରହିବେ। ଏହି ସମୟ ଭିତରେ ସେ ଶ୍ରୀଜିଉମାନଙ୍କୁ ଓ ଶ୍ରଜଗନ୍ନାଥ ମନ୍ଦିର ପରିସରରେ ଥିବା ଅନ୍ୟାନ୍ୟ ମନ୍ଦିର ଗୁଡ଼ିକ ବୁଲିବେ। ଏଥି ପାଇଁ ସାଧାରଣ ଦର୍ଶନ ପ୍ରାୟ ୨ଘଣ୍ଟା ବନ୍ଦ ରହିବ। ମିଳିଥିବା ସୂଚନା ଅନୁସାରେ ସକାଳ ୬ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାମହିମଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି।

ଦୁଇ ଦିନଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ପ୍ରଥମ ଦିନରେ ଶନିବାର କଟକ ତୁଳସୀପୁରସ୍ଥିତ ଆନନ୍ଦ ଭବନ ତଥା ‘ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ର’କୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ଶେଷ କରି ସେ ପୁରୀରେ ପହଞ୍ଚିଛନ୍ତି। କୋବିନ୍ଦ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀର ତାଳବଣିଆ ହେଲିପେଡରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ଜଣାଇ ସର୍କିଟ ହାଉସକୁ ନିଆଯାଇଥିଲା। କୋବିନ୍ଦ ପୁରୀ ସର୍କିଟ ହାଉସରେ ବିଶ୍ରାମ ନେଇଛନ୍ତି।

ମହାମହିମ ରାମନାଥ କୋବନ୍ଦ ପୁରୀରେ ସକାଳ ୧୦ଟା ୪୫ ପର୍ଯ୍ୟନ୍ତ ରହିବେ। ଏହା ପରେ ସେ ଭୁବନେଶ୍ୱର ଅଭିମୁଖେ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଅରୁଗୁଳସ୍ଥିତ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରେ ସେ ଆଇସିଟି-ଆଇଓସି କ୍ୟାମ୍ପସ ଓ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିବେ। ସନ୍ଧ୍ୟା ୫ଟା ୩୦ରେ ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛାଡିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର