ବଲ୍ଲଭ ଭୋଗରେ ପଡ଼ିଲା ମାଙ୍କଡ଼ ମଳ, ଶ୍ରୀମନ୍ଦିରରେ ନୀତି ଘଣ୍ଟାଏ ବିଳମ୍ବ

ପୁରୀ : ଆଜି ଶ୍ରୀମନ୍ଦିରରେ ଅଘଟଣ ଘଟିଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ପାଇଁ ବଲ୍ଲଭ ଭୋଗ ଆସିବା ବେଳେ ମାଙ୍କଡ଼ ମଳତ୍ୟାଗ କରି ଦେଇଥିଲା। ଫଳରେ ଭୋଗ ମାରା ହୋଇଥିଲା। ଶାସ୍ତ୍ର ବିଧି ଅନୁସାରେଭୋଗ ପୋତା ହୋଇଥିଲା। ପୁନର୍ବାର ବଲ୍ଲଭ ଭୋଗ ପ୍ରସ୍ତୁତ ହୋଇ ପୂଜା ହେଲା। ଫଳରେ ଠାକୁରଙ୍କ ନୀତି ଏକ ଘଣ୍ଟାରୁ ଅଧିକ କାଳ ବିଳମ୍ବ ହୋଇଥିଲା।

ଆଜି ଶ୍ରୀମନ୍ଦିରରେ ଠିକ୍‌ ସମୟରେ ଦ୍ବାରଫିଟା ହୋଇ ଠାକୁରଙ୍କ ମଙ୍ଗଳ ଆଳତୀ ହୋଇଥିଲା। ସକାଳ ୬ଟା ୪୦ରେ ଅବକାଶ ପୂଜା ବସିଥିଲା। ଅବକାଶ ପରେ ଠାକୁରଙ୍କ ବେଶ ଶେଷ ହୋଇଥିଲା। ଏହା ପରେ ରୋଷ ହୋମ ହୋଇ ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା ହେଲା। ଏହି ନୀତି ପରେ ଠାକୁରଙ୍କ ଦ୍ବାର ବନ୍ଦ ହୋଇ ବଲ୍ଳଭ ଭୋଗ ଡକାଯାଇିଥଲା। ବାଇଶି ପାହାଚ ଶେଷରେ ରୋଷଘରକୁ ଲାଗିଥିବା ବଲ୍ଲଭ ଘରୁ ରୋଷଘର ଦେଇ ବଲ୍ଲଭ ନେଉଥିଲେ ସେବକ। ରୋଷ ଘର ଦେଇ ଯିବା ବେଳେ ହଠାତ୍‌ ଉପରୁ ଏକ ମାଙ୍କଡ଼ ମଳତ୍ୟାଗ କରି ଦେଇଥିଲା। ମଳ ଆସି ସିଧା ଭୋଗରେ ପଡ଼ିଥିଲା। ମାରା ହେବାରୁ ସେହି ଭୋଗ ଆଉ ଠାକୁରଙ୍କୁ ମଣୋହୀ କରାଯାଇ ପାରିବ ନାହିଁ। ଭିତରଚ୍ଛ ଓ ଗାରଦ ସହ ଆଲୋଚନା କରି ସେହି ଭୋଗକୁ ପୋତା ଯାଇଥିଲା। ଏହାପରେ ନୂଆ ଭୋଗ ପ୍ରସ୍ତୁତ ହୋଇ ଦିନ ୯ଟା ୧୦ରେ ଠାକୁରଙ୍କୁ ଲାଗି କରାଗଲା। ଏହି ପ୍ରକ୍ରିୟାରେ ମହାପ୍ରଭୁଙ୍କ ନୀତି ପ୍ରାୟ ୧ ଘଣ୍ଟା ୧୫ ମିନିଟ୍ ବିଳମ୍ବ ହୋଇଥିଲା।

ସମ୍ବନ୍ଧିତ ଖବର