ନିଯୋଗରେ ବାଜିଲା ଶ୍ରୀମନ୍ଦିର ପ୍ରଶାସନ ଛାଟ

ଧମକାଇଲେ ମୁଖ୍ୟ ପ୍ରଶାସକ, କର୍ମକର୍ତା ବଦଳାଅ, ଅନ୍ୟଥା ପାଳିଆ ପୁରସ୍କାର ଦିଆଯିବନି, ନିଯୋଗ ନାରାଜ, କହିଲେ ସମୟ ପୂର୍ବରୁ ସମ୍ଭବ ନୁହେଁ

ପୁରୀ : ନବକଳେବର ବ୍ରହ୍ମ ବିଭ୍ରାଟକୁ ନେଇ କିଛି ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ପରେ ଦଇତା ନିଯୋଗର ସଂପାଦକ ଓ ମା’ ସୁଭଦ୍ରାଙ୍କ ମୁଖ୍ୟ ମହାରଣା ଗଣମାଧ୍ୟମ ଆଗରେ ବିଷ ଓଗାଳିଥିଲେ। ତେବେ ମହାପ୍ରଭୁଙ୍କ ଗୁପ୍ତ ତଥ୍ୟ ସାର୍ବଜନୀନ କରିବା ଆଦୌ ସମୀଚୀନ ନୁହେଁ ଦର୍ଶାଇ ଶ୍ରୀ ମନ୍ଦିର ପ୍ରଶାସନ ଦଇତା ନିଯୋଗକୁ କଡ଼ା ଭାଷାରେ ଚିଠି କରିଛି। ଖାଲି ଦଇତା ନିଯୋଗ ନୁହେଁ, ଅନ୍ୟ ନିଯୋଗମାନଙ୍କୁ ମଧ୍ୟ ଏ ପ୍ରକାର ଚିଠି କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ରୋକଠୋକ୍ ଜଣାଇଛି, ନୂଆ କର୍ମକର୍ତା ଚୟନ କର, ନଚେତ୍ ପାଳିଆ ପୁରସ୍କାର ମିଳିବନାହିଁ। ପ୍ରଶାସନର ଏଭଳି ଆଭିମୁଖ୍ୟ ଏବେ ବିଭିନ୍ନ ନିେଯାଗକୁ କ୍ଷୁବ୍ଧ କରିଛି। କିଛି ନିଯୋଗ ଆଜି ପର୍ଯ୍ୟନ୍ତ ଚିଠିର ଉତ୍ତର ରଖିନାହାନ୍ତି। ଯେଉଁମାନେ ଉତ୍ତର ଦେଇଛନ୍ତି ସେମାନେ ନିଯୋଗର ଚୟନ ସମୟସୀମା ସଂପର୍କରେ ତଥ୍ୟ ରଖି ଏହାକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସିଧା ସିଧା ମନା କରିଛନ୍ତି। ନିଯୋଗର କର୍ମକର୍ତା ଚୟନ ୫ ବର୍ଷ ପାଇଁ ହୋଇଥାଏ। ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଗଲାଣି। ତେଣୁ ନୂଆ କର୍ମକର୍ତା ଚୟନ ବର୍ତମାନ ସମ୍ଭବ ନୁହେଁ ବୋଲି ଦଇତା ନିେଯାଗ କହିଛି।

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୪ରେ ଶ୍ରୀମନ୍ଦିର ପ୍ରଶାସନ ନବକଳେବର ବ୍ରହ୍ମ ବିଭ୍ରାଟ ପାଇଁ ୧୧ ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା।

ନୋଟିସ୍‌ ପାଇବାର ୧୫ ଦିନ ଭିତରେ ଜବାବ ରଖିବାକୁ କୁହାଯାଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଦଇତା ନିଯୋଗରେ ଝଡ଼ ସୃଷ୍ଟି ହୋଇଥିଲା। କାରଣ ଶ୍ରୀମନ୍ଦିର ପ୍ରଶାସନ ନବ କଳେବର ବ୍ରହ୍ମ ବିଭ୍ରାଟ ପାଇଁ ସିଧାସଳଖ ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କୁ ଦାୟୀ କରାଯାଇଥିଲା। ଦଇତା ନିଯୋଗ ସଂପାଦକ ଜିଦ୍ କରି ଅନ୍ୟ ଦଇତାପତିମାନଙ୍କୁ ବ୍ରହ୍ମ ଦର୍ଶନ କରାଇଥିଲେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କ ଚିଠିରେ ‌ଉଲ୍ଲେଖ କରିଥିଲେ।

ଇତିମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଦଇତା ନିଯୋଗ ସହ ଅନ୍ୟ ନିଯୋଗକୁ ଏକ ଚିଠି କରିଥିବା ଜଣାପଡ଼ିଛି। କର୍ମକର୍ତା ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଥିବାରୁ ମନମାନି ଚଳାଇଛନ୍ତି େବାଲି ଅଭିଯୋଗ ଆଣି ଶ୍ରୀମନ୍ଦିର ସେବା, ଗୁପ୍ତ ନୀତି ଆଦି ପରିଚାଳନାରେ ଏହା ଅନ୍ତରାୟ ସୃଷ୍ଟି କରୁଛି େବାଲି ପ୍ରଶାସନ କହିଛି।

ଏଣୁ ତୁରନ୍ତ ସମସ୍ତ ନିଯୋଗର ନୂଆ କର୍ମକର୍ତା ଚୟନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଦ୍ବାରା ଜଣାଇ ଦେଇଛି। କଥା ନମାନିଲେ ପାଳିଆ ପୁରସ୍କାରରୁ ବଞ୍ଚିତ ରଖାଯିବ ବୋଲି ମଧ୍ୟ ଚେତାବନୀ ଦେଇଛି।

ନିର୍ଦିଷ୍ଟ ସମୟ ଅବଧି ପୂର୍ବରୁ କର୍ମକର୍ତା ପରିବର୍ତନ ପ୍ରସଙ୍ଗକୁ ସେବାୟତ ବିେରାଧ କରିଥିଲେ େହଁ, ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ଏହାକୁ ମାନିବାକୁ ନାରାଜ। ଏଣୁ ବିଭିନ୍ନ ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି।

ଏହା ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଏ ସଂପର୍କିତ ଦ୍ବିତୀୟ ଚିଠି କରି ସାରିଥିବା ଶୁଣିବାକୁ ମିଳିଛି। ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର କହିଛନ୍ତି, ମନ୍ଦିର ପ୍ରଶାସନ ଏଭଳି ଚିଠି କରିବା ସତ। କିନ୍ତୁ ୫ ବର୍ଷ ପୂର୍ବରୁ ନୂଆ କର୍ମକର୍ତା ଚୟନ ଅସମ୍ଭବ। ଦଇତା ନିଯୋଗ ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଉତ୍ତର ରଖିସାରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର