ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲା : ନୀଳଚକ୍ର ମରାମତି କେବେ ସରିବ ଜଣାଅ

ନିର୍ବାହୀ ଯନ୍ତ୍ରୀଙ୍କୁ ହାଜିରା ପାଇଁ ନିର୍ଦ୍ଦେଶ
୧୫ରେ ପରବର୍ତ୍ତୀ ଶୁଣାଣି

କଟକ : ମରାମତି କାର୍ଯ୍ୟ ପାଇଁ ପ୍ରବେଶ ବନ୍ଦ ଥିବା ଜଗମୋହନ କେବେ ଖୋଲିବ, ସାଧାରଣ ଭକ୍ତମାନେ ସେହି ରାସ୍ତା ଦେଇ କେବେ ଦର୍ଶନ କରିବେ ଓ ଏହା ପରେ ପ୍ରସ୍ତାବିତ ନାଟ ମଣ୍ଡପ ମରାମତି କେବେ ଆରମ୍ଭ ହେବ ସେ ନେଇ ସତ୍ୟପାଠ ମାଧ୍ୟମରେ ଜଣାଇବା ପାଇଁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ନୀଳଚକ୍ରରେ ଆର୍ଥିଂ ପାଇଁ ରହିଥିବା ବ୍ୟବସ୍ଥାର ମରାମତି ଓ ଅନ୍ୟାନ୍ୟ ମରାମତି ସଂପର୍କରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ ତାରିଖରେ କରାଯିବାକୁ ଥିବା ବେଳେ ଏହା ପୂର୍ବରୁ ସତ୍ୟପାଠ ଦାଖଲ କରିବା ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀମନ୍ଦିର ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଏଏସଆଇର ସୁପରିନ୍‌ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏ.ଏଚ୍‌.ନାୟକ ଓ ଶ୍ରୀମନ୍ଦିରର ନିର୍ବାହୀ ଯନ୍ତ୍ରୀ(ସିଭିଲ) ବି. ଆଶିଷ କୁମାର ସୁବୁଦ୍ଧିଙ୍କ ପକ୍ଷରୁ ପୃଥକ ସତ୍ୟପାଠ ଦାଖଲ କରାଯାଇଥିଲା। ଶ୍ରୀମନ୍ଦିର ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଜଗମୋହନର ମୌଳିକ ଢାଞ୍ଚାର ମରାମତି କାର୍ଯ୍ୟ ସରିଥିବା ବେଳେ ଏବେ ସୌନ୍ଦର୍ଯ୍ୟକରଣ ଓ ଆନୁସଙ୍ଗିକ କାର୍ଯ୍ୟ ଚାଲିଛି। କାଠ ସିଲିଂ ଓ ଖାଣ୍ଡେଲାଇଟ୍‌ ପଥର କାମ ସରିଥିବା ବେଳେ ଜଗମୋହନ ଭିତରେ ଥିବା ନିର୍ଦ୍ଧାରିତ ସ୍ଥାନରେ ଫୁଲଚନ୍ଦନ ଘର ଓ ଭଣ୍ଡାର ଘର ପୁନନିର୍ମାଣ କାମ ସରି ଆସିଲାଣି। ଶ୍ରୀଜୀଉଙ୍କ ଗହଣା ଓ ବସ୍ତ୍ର ରଖିବା ପାଇଁ ଥାକ ଓ ଅନ୍ୟ କେତେକ କାମ ଏହି ଦୁଇ ଘର ଭିତରେ ତିଆରି ଚାଲିଛି ଓ ଏହି କାମ ୨୧ ଦିନ ଭିତରେ ସରିବ। ଏଥି ସହିତ ଜଗମୋହନରୁ ସର୍ବ ସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ପ୍ରସଂଗରେ ଛତିଶା ନିଯୋଗ ବୈଠକ ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ଗ୍ରହଣର ବ୍ୟବସ୍ଥା ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠନ ହୋଇ ନାହିଁ।

ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ସଦସ୍ୟଙ୍କ ସଂପର୍କରେ ୨୦୧୪, ଜୁଲାଇ ୨୨ରେ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଇତିମଧ୍ୟରେ ଏହି ସଦସ୍ୟଙ୍କ ୩ ବର୍ଷିଆ କାର୍ଯ୍ୟକାଳ ଗତ ବର୍ଷ ଜୁଲାଇ ୨୧ରୁ ପୂରି ସାରିଛି। ପରିଚାଳନା କମିଟିର ନୂଆ ସଦସ୍ୟଙ୍କୁ ମନୋନୀତ କରାଯାଇ ନାହିଁ। କମିଟି ପୁନର୍ଗଠନ ପରେ ଜଗମୋହନ ଭିତର ଦେଇ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ପ୍ରସଂଗରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ। ଏଥି ସହିତ ଜଗମୋହନ ଭିତରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ପରେ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇ ପାରିବ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ତେବେ ଦାଖଲ ସତ୍ୟପାଠରେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ କେବେ ଜଗମୋହନ ଖୋଲିବ ସେ ସଂପର୍କରେ କିଛି ସ୍ପଷ୍ଟ କରାଯାଇ ନଥିଲା। ଏପରି ପରିସ୍ଥିତିରେ ମାର୍ଚ୍ଚ ୧୫ରେ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ଚିତ୍ରସେନ ପରିଡା, ତ୍ରିଲୋଚନ ଦାଶ, ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଜିଏ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।

ବିଜୁଳି ପ୍ରତିରୋଧକ ବ୍ୟବସ୍ଥା ଯାଞ୍ଚ, ୧୦ ଦିନରେ ହେବ ମରାମତି

ପୁରୀ : ଶ୍ରୀମନ୍ଦିର ମୂଳରୁ ଚୁଳ ପର୍ଯ୍ୟନ୍ତ ଲାଗିଥିବା ବିଜୁଳି ପ୍ରତିରୋଧକ (ଲାଇଟିନିଂ ଆରେଷ୍ଟର)କୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ଏଏସ୍‌ଆଇ ପକ୍ଷରୁ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ (ଇଲେକ୍ଟ୍ରିକାଲ)ଙ୍କୁ ଚିଠି ଲେଖାଯିବା ପରେ ଆଜି ଇଂ ସୁବାସ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ଅଧିକାରୀ ଓ ପୂର୍ତ୍ତ ବିଭାଗ ପକ୍ଷରୁ ମରାମତି କରିବାକୁ ସ୍ୱୀକୃତିପ୍ରାପ୍ତ ଏବିବିର ଜେନେରାଲ ମ୍ୟାନେଜର ପ୍ରଶାନ୍ତ ଚୌଧୁରୀ ପ୍ରମୁଖ ଶ୍ରୀମନ୍ଦିର ଶିଖରକୁ ଚଢ଼ି ଏହି ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି। ନୀଳଚକ୍ରରୁ ମାଟିରେ ପୋତା ଯାଇଥିବା ପାଖାପାଖି ୩୬୦ ଫୁଟ ତାରକୁ ଦୀର୍ଘ ଦେଢ଼ଘଣ୍ଟା ଧରି ଯାଞ୍ଚ କରାଯାଇଛି। ଅଁଳା ବେଢ଼ାରେ ଲାଗିଥିବା ୧୨ଟି ବିଜୁଳି ପ୍ରତିରୋଧକ (ଲାଇଟିନିଂ ଆରେଷ୍ଟର) ଆଣ୍ଟିନାରୁ ୮ଟି ଭାଙ୍ଗି ଯାଇଥିବା ବେଳେ ୪ଟି ଠିକ୍‌ ରହିଛି। କିନ୍ତୁ ଠିକ୍‌ ଥିବା ୪ଟି ଆଣ୍ଟିନା ପରବର୍ତ୍ତୀ ସମୟରେ ଖରାପ ହୋଇଯିବା ସମ୍ଭାବନା ଥିବାରୁ ଏହାକୁ ମଧ୍ୟ ମଜବୁତ କରାଯିବା ପାଇଁ ସ୍ଥିର ହୋଇଛି। ମା’ ବିମଳାଙ୍କ ମନ୍ଦିର ପାଖରେ ଏହାକୁ ପୋତା ଯାଇଛି। ପୋତାଯାଇଥିବା ସ୍ଥାନରେ ମାଟି ତଳେ ଏହାର କଣ ଅବସ୍ଥା ରହିଛି ତାହା ମଧ୍ୟ ମେସିନ୍‌ ସହାୟତାରେ ଯାଞ୍ଚ କରାଯାଇଛି। ଏ ସବୁକୁ ନେଇ ପୂର୍ତ୍ତ ବିଭାଗ ବ୍ୟୟ ଅଟକଳ ପ୍ରସ୍ତୁତ କରିବ। ଏଏସ୍‌ଆଇ ଡିଜିଙ୍କ ମୋହର ବାଜିବା ପରେ ଏହାର ମରାମତି ଆରମ୍ଭ ହେବ। ପାଖାପାଖି ୧୦ ଦିନ ମଧ୍ୟରେ ଏବିବି(ଏସିଆ ବ୍ରାଉନ୍‌ ବୋଭରୀ) ସଂସ୍ଥା ଏହାର ମରାମତି ଆରମ୍ଭ କରିବ। ୨୦୧୨ ମସିହାରେ ଉକ୍ତ ସଂସ୍ଥା ଜଗମୋହନରେ ଏହି ବିଜୁଳି ପ୍ରତିରୋଧକ ବ୍ୟବସ୍ଥା ସ୍ଥାପନ କରିଥିଲା।

ସମ୍ବନ୍ଧିତ ଖବର