ଏଏସ୍ଆଇ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ
ନିର୍ବାହୀ ଯନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା
କଟକ : ମରାମତି କାର୍ଯ୍ୟ ପାଇଁ ପ୍ରବେଶ ବନ୍ଦ ଥିବା ଜଗମୋହନ କେବେ ଖୋଲିବ ଓ ସାଧାରଣ ଭକ୍ତମାନେ ସେହି ରାସ୍ତା ଦେଇ କେବେ ଦର୍ଶନ କରିବେ ସେ ନେଇ ନିର୍ଦ୍ଦିଷ୍ଟ ତାରିଖ ସଂପର୍କରେ ଅବଗତ କରିବା ପାଇଁ ଆଜି ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଅଧିକ ସମୟ ଲୋଡା ଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀମନ୍ଦିର ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା ଯେ ମୁଖ୍ୟ ପ୍ରଶାସକ ଅନୁପସ୍ଥିତ ଥିବାରୁ କେବେ ଜଗମୋହନ ଖୋଲିବ ସେ ପ୍ରସଂଗରେ ଜଣାଇବା ପାଇଁ ଅଧିକ ସମୟ ଆବଶ୍ୟକ। ମାର୍ଚ୍ଚ ୨୨ ତାରିଖ ପୂର୍ବରୁ କେବେ ଜଗମୋହନ ଖୋଲିବ ଖୋଲିବ ସେ ସଂପର୍କରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ମାମଲାର ଶୁଣାଣି ସମୟରେ ମାର୍ଚ୍ଚ ୧୩ର ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିରର ନିର୍ବାହୀ ଯନ୍ତ୍ରୀ(ସିଭିଲ) ବି.ଅଶିଷ କୁମାର ସୁବୁଦ୍ଧି ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଏପରି ଘଟଣାର ପୁନରାବୃତ୍ତି ନ କରିବା ପାଇଁ ସେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ମାର୍ଚ୍ଚ ୧୩ରେ ମାମଲାର ଶୁଣାଣି ସମୟରେ ନିର୍ବାହୀ ଯନ୍ତ୍ରୀ ସତ୍ୟପାଠ ଦାଖଲ କରିଥିଲେ। ସତ୍ୟପାଠରେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ କେବେ ଜଗମୋହନ ଖୋଲିବ ସେ ସଂପର୍କରେ କିଛି ସ୍ପଷ୍ଟ କରାଯାଇ ନଥିବା ବେଳେ ପରିଚାଳନା ପରିଷଦ ସଂପର୍କରେ କେତେକ ଅଯଥା ତଥ୍ୟ ଉଲ୍ଳେଖ କରାଯାଇଥିଲା। ଏହା ପରେ ମାର୍ଚ୍ଚ ୧୫ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ନୀଳଚକ୍ରରେ ଆର୍ଥିଂ ପାଇଁ ରହିଥିବା ବ୍ୟବସ୍ଥାର ମରାମତି ଓ ଅନ୍ୟାନ୍ୟ ମରାମତି ସଂପର୍କରେ ଆଜି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପୃଥକ ସତ୍ୟପାଠ ଦାଖଲ କରାଯାଇଥିଲା। ଏଏସଆଇର ସୁପରିନ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏ.ଏଚ୍.ନାୟକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ନୀଳଚକ୍ରରେ ଲାଗିଥିବା ୧୨ଟି ତମ୍ବା ମୁନିଆ ଦଣ୍ଡ ମଧ୍ୟରୁ କେତେକ ଭାଙ୍ଗି ଯାଇଛି। ଆର୍ଥିଂ ବ୍ୟବସ୍ଥାର ମରାମତି ଆବଶ୍ୟକ ହୋଇଥିବା ବେଳେ ଏଥି ପାଇଁ ଜିଇଡିକୁ କୁହାଯାଇଛି। ଆର୍ଥିଂ ବ୍ୟବସ୍ଥାର ମରାମତି ପୂର୍ବରୁ ଜିଇଡିର ଇଂଜିନିୟର ଓ ଅଧିକାରୀ ମାର୍ଚ୍ଚ ୧୩ରେ ନୀଳଚକ୍ରର ଅନୁଧ୍ୟାନ କରିଛନ୍ତି। ଜିଇଡି ପକ୍ଷରୁ ଏଥି ଲାଗି ବ୍ୟୟ ଅଟକଳ ସଂପର୍କରେ ସୂଚନା ଦିଆଯିବା ପରେ ତୁରନ୍ତ ଅର୍ଥ ମଞ୍ଜୁର ପାଇଁ ବ୍ୟବସ୍ଥା କରାଯିବ। ଏହି ମରାମତି କାର୍ଯ୍ୟ ପାଇଁ ଏକ ମାସ ସମୟ ଲାଗିବ।
ରାଜ୍ୟ ସରକାରଙ୍କ ଆର ଆଣ୍ଡ୍ ବି ଇଲେକ୍ଟ୍ରିକାଲ ଅଧୀକ୍ଷଣ ଯନ୍ତ୍ରୀ ଏସ୍.ଆଚାର୍ଯ୍ୟଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ମଧ୍ୟ ସମାନ ତଥ୍ୟ ରହିଥିବା ବେଳେ ନୀଳଚକ୍ର ଆର୍ଥିଂ ମରାମତି କାମ ଜିଇଡି ପକ୍ଷରୁ ଏପ୍ରିଲ ୧୫ ସୁଦ୍ଧା ସାରିବାକୁ ପ୍ରସ୍ତାବ ରହିଛି ବୋଲି ଦର୍ଶାଯାଇଥିଲା। ମରାମତି କାର୍ଯ୍ୟର ବ୍ୟୟ ଅଟକଳ ମାର୍ଚ୍ଚ ୧୬ ତାରିଖ ଦିନ ଏଏସଆଇ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୨ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ନୀଳଚକ୍ର ମରାମତିର ଅଗ୍ରଗତି ସଂପର୍କରେ ଏଏସଆଇ ଓ ରାଜ୍ୟ ସରକାର ଅବଗତ କରିବେ। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ଚିତ୍ରସେନ ପରିଡା, ତ୍ରିଲୋଚନ ଦାଶ, ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଜିଏ ରମାକାନ୍ତ ମହାପାତ୍ର ଓ ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/jaga-3.jpg)