ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲା : ଜୟ ବିଜୟ ଦ୍ୱାର ମରାମତି ଶେଷ

ଗୁଣ୍ଡିଚା ମନ୍ଦିରର ଯାଞ୍ଚ ରିପୋର୍ଟ ଦାଖଲ, ସତ୍ୟପାଠ ଦାଖଲ କଲା ଏଏସ୍‌ଆଇ

କଟକ : ଜୟବିଜୟ ଦ୍ୱାର ମରାମତି କାର୍ଯ୍ୟ ଶେଷ ହୋଇଛି। ଆଜି ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଏ ନେଇ ଦାଖଲ ସତ୍ୟପାଠ ଦାଖଲ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏଚ୍‌.ଏ.ନାୟକଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ କୁହାଯାଇଛି, ରଥଯାତ୍ରା ସମୟରେ ଜୟବିଜୟ ଦ୍ୱାର ମରାମତି, ନାଟମଣ୍ଡପ ଅନୁଧ୍ୟାନ, ଭୋଗମଣ୍ଡପ ଓ ରୋଷଘର ମରାମତି ଉପରେ ଏଏସଆଇ ଗୁରୁତ୍ୱ ଦେଇଥିଲା। ତେବେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିର ଗୁଡିକର ମରାମତି ଆଗେଇ ପାରି ନଥିଲା। ରଥଯାତ୍ରା ପରେ ପୁଣି ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିରଗୁଡିକର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ନାଟମଣ୍ଡପର ପ୍ରସ୍ତାବିତ ମରାମତି ପାଇଁ ଯୋଜନା, ଡ୍ରଇଂ, ଡିଜାଇନ୍‌ ଓ ଅନ୍ୟାନ୍ୟ ଆବଶ୍ୟକ ମଞ୍ଜୁରି ପାଇଁ ଏଏସଆଇ ମୁଖ୍ୟାଳୟକୁ ପଠାଯାଇଛି। ଜଗମୋହନ ପୋର୍ଟାଲ ଫ୍ରେମରେ ସିବିଆରଆଇ ଲୋଡ୍‌ ସେଲ୍‌ ସ୍ଥାପନ କରିଛି। ମାଉସୀ ମା’ ଓ ଗୁଣ୍ଡିଚା ମନ୍ଦିର ସ୍ଥିତି ଏଏସ୍‌ଆଇ ବିଶେଷଜ୍ଞଙ୍କ ସହିତ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଉପସ୍ଥିତିରେ ଜୁଲାଇ ୨୪ ଦିନ ଅନୁଧ୍ୟାନ କରାଯାଇଥିଲା। ଗୁଣ୍ଡିଚା ମନ୍ଦିରର ଢାଞ୍ଚା ଅବସ୍ଥା ଠିକ୍‌ ଥିବା ବେଳେ ଶେଷ ଥର ୧୯୯୪ ମସିହାରେ ସଂରକ୍ଷଣ କାମ କରାଯାଇଥିଲା। ଭୋଗମଣ୍ଡପ (ତୃତୀୟ ଚାମ୍ବର), ନାଟମଣ୍ଡପ(ତୃତୀୟ ଚାମ୍ବର) ଓ ଗୁମୁଟ ପ୍ରବେଶ ଦ୍ୱାର ନିକଟରେ ପାଣି ଗଳୁଥିବା ଚିହ୍ନ ରହିଛି। ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଚାମ୍ବର ଛାତ ଓ କାନ୍ଥର ପଲସ୍ତରା ଦୁର୍ବଳ ହୋଇ ପଡିଛି। ଛାତର ଜଏଣ୍ଟ ସ୍ଥାନ ଗୁଡିକରେ ଫାଟ ଦେଖା ଦେଇଛି ବୋଲି ଏଏସଆଇ ପକ୍ଷରୁ ଦାଖଲ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

୨୦୧୫ରେ ପ୍ରଥମ ଚାମ୍ବର ବାହାରକୁ ଦେଖାଯାଉଥିବା ପଥରର ରାସାୟନିକ ସଂରକ୍ଷଣ କାର୍ଯ୍ୟ କରାଯାଇଥିବା ବେଳେ ଏହି କାର୍ଯ୍ୟ ୨୦୨୩ରେ ପୁଣି କରାଯିବାର ସମ୍ଭାବନା ରହିଛି। ଭବିଷ୍ୟତରେ ସଂରକ୍ଷଣ କାର୍ଯ୍ୟ ପାଇଁ ଗୁଣ୍ଡିଚା ମନ୍ଦିରର ସବିଶେଷ ଡିଜାଇନ୍‌, ଡ୍ରଇଂ ଓ ସ୍ଥିତିର ରିପୋର୍ଟ ପ୍ରସ୍ତୁତ ପାଇଁ ପରାମର୍ଶ ଦିଆଯାଇଛି ବୋଲି ଏଏସଆଇ ଦର୍ଶାଇଛି। ସେହିପରି ମାଉସୀ ମା’ ମନ୍ଦିରର ୪ ଓ ୫ନମ୍ବର ଚାମ୍ବର ସିଲିଂରୁ ପାଣି ଗଳୁଥିବା ବେଳେ ଏହା ଏତେ ଗୁରୁତର ସମସ୍ୟା ନୁହେଁ। ଏହି ମନ୍ଦିରର ଭଲ ଅବସ୍ଥା ରହିଛି ବୋଲି ଏଏସଆଇ ସତ୍ୟପାଠରେ ଉଲ୍ଲେଖ କରିଛି। ଏଥି ସହିତ ମାମଲାର ଶୁଣାଣି ସମୟରେ ଆମିକସ୍‌ କ୍ୟୁରି ଇଂଜିନିୟର ଏନ୍‌.କେ.ମହାନ୍ତି କମିସନ୍‌ ମଧ୍ୟ ମରାମତିର ସାନି ସ୍ଥିତି ସଂପର୍କରେ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ନାଟମଣ୍ଡପ ମରାମତି ଓ ଅନ୍ୟ ପାଶ୍ୱ ଦେବାଦେବୀଙ୍କ ମନ୍ଦିରର ମରାମତିର ସ୍ଥିତି ଓ ଅଗ୍ରଗତି ସଂପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବା ପାଇଁ ଖଣ୍ଡପୀଠ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ, ସରକାରଙ୍କ ତରଫରୁ ଜିଏ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର