ନାଟ ମଣ୍ତପ ମରାମତି ପ୍ରସ˚ଗରେ ଏଏସ୍‌ଆଇର ସତ୍ୟପାଠ ଦାଖଲ : ଲଗାଯାଇଛି ସେନସର କ୍ରାକ୍ ମିଟର

ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲା

କଟକ : ନାଟ ମଣ୍ତପର ସ˚ରକ୍ଷଣ ତଥା ମରାମତି ପ୍ରସ˚ଗରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ସତ୍ୟପାଠରେ ଦର୍ଶାଯାଇଛି ଯେ ୨୦୧୮, ଅଗଷ୍ଟ ୨୦, ୨୧ ଓ ୨୨ ତାରିଖରେ ଏଏସଆଇ ବିଶେଷଜ୍ଞ ଦଳ, କୋର୍ କମିଟି ସଦସ୍ୟ, ମାଡ୍ରାସ ଆଇଆଇଟି ଓ ଖଡଗପୁର ଆଇଆଇଟି ପ୍ରତିନିଧିଙ୍କ ସହିତ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହାୟତାରେ ନାଟ ମଣ୍ଡପର ବୈଷୟିକ ଯାଞ୍ଚ କରାଯାଇଥିଲା। ନାଟ ମଣ୍ଡପ ଢାଞ୍ଚାର ଅନୁଧ୍ୟାନ ପାଇଁ ମନିଟରିଂ ସିଷ୍ଟମ୍ ଲଗାଇବା ପାଇଁ ମାଡ୍ରାସ ଆଇଆଇଟି ପରାମର୍ଶ ଦେଇଥିଲା। ଏଥି ପାଇଁ ଆବଶ୍ୟକ ଉପକରଣ ଅଣାଯାଇ ଲଗାଯାଇଛି। ସେନସର ଥିବା ତିନୋଟି କ୍ରାକ୍ ମିଟର ଓ ଗୋଟିଏ ଟିଲ୍ଟ ମିଟର ଲଗାଯାଇ ନାଟ ମଣ୍ଡପର ସ୍ଥିତି ଅନୁଧ୍ୟାନ କରାଯାଉଛି। ଏଥି ସହିତ ନାଟ ମଣ୍ଡପ ଛାତ ଉପରେ ୱାଟରପ୍ରୁଫିଂ କୋଟ୍ (ଲେପ) ଲାଗି ଆଇଆଇଟି ଖଡଗପୁର ଉପନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ। ଏଥି ପାଇଁ ସାମଗ୍ରୀ ପୁରୀରେ ପହଞ୍ଚିଥିବା ବେଳେ ଖୁବ୍ ଶ୍ରୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କ ପକ୍ଷରୁ ଦାଖଲ ଏହି ସତ୍ୟପାଠରେ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କ ମନ୍ଦିରର ମରାମତିର ସ୍ଥିତି ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଛି। ପରିସରରେ ଥିବା ସୂର୍ଯ୍ୟ ମନ୍ଦିର, ଆଦି ନୃସିଂହ ମନ୍ଦିର, ପାତାଳେଶ୍ବର ମନ୍ଦିର, ମା ସର୍ବ ମଙ୍ଗଳା ମନ୍ଦିର ଓ ମୁକ୍ତି ମଣ୍ଡପର ମରାମତି କାର୍ଯ୍ୟ ସରିଛି। ମହାଲକ୍ଷ୍ମୀ ମନ୍ଦିର, ବୈକୁଣ୍ଠେଶ୍ବର ମନ୍ଦିର ଓ ଜଳକ୍ରୀଡ଼ା ମଣ୍ଡପର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଜାରି ରହିଛି। ସିଂହଦ୍ବାର ଭିତର ଗୁମୁଟ ଓ ପଶ୍ଚିମ ଦ୍ବାର ମରାମତି ପାଇଁ ଆବଶ୍ୟକ ସାମଗ୍ରୀ ଅଣାଯାଇଛି। ଏଥି ସହିତ କୁରୁମିବେଢା, ରାଧାବଲ୍ଲଭ ମନ୍ଦିର, ନବଗ୍ରହ ମନ୍ଦିର ନିକଟରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରର ସଂରକ୍ଷଣ କାର୍ଯ୍ୟ ଜାରି ରହିଛି। ମେଘନାଦ ପାଚେରିର ପୂର୍ବ ଓ ଦକ୍ଷିଣ ପଟ ମରାମତି ଶେଷ ହୋଇଥିବା ବେଳେ ଉତ୍ତର ପାଶ୍ବ ମରାମତି କାର୍ଯ୍ୟ ଆରମ୍ଭ ହୋଇ ପଶ୍ଚିମ ଦ୍ବାର ପର୍ଯ୍ୟନ୍ତ ଜାରି ରଖିବାକୁ ଯୋଜନା ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି।

ଆଜି ଇଂଜିନିୟର ଏନ୍.କେ.ମହାନ୍ତି କମିସନ ମଧ୍ୟ ନାଟମଣ୍ଡପ ଓ ଅନ୍ୟ ପାର୍ଶ୍ବ ଦେବାଦେବୀ ମନ୍ଦିରର ମରାମତିି ପ୍ରସଂଗରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ଶ୍ରୀଜଗନ୍ନାଥ ମନ୍ଦିର ସ˚ପର୍କିତ ଜନସ୍ବାର୍ଥ ମାମଲା‌େର ପରବର୍ତ୍ତୀ ଶୁଣାଣି ସମୟରେ ମରାମତିର ଅଗ୍ରଗତି ସଂପର୍କରେ ଅବଗତ କରିବା ଲାଗି ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ମାର୍ଚ୍ଚ ୨୫ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ, ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଜିଏ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର