ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଆଜି: ସୁପ୍ରିମକୋର୍ଟରେ ଶହେ ପୃଷ୍ଠାର ରିପୋର୍ଟ ଦାଖଲ

ରୀତିନୀତିର ତଦାରଖ ପାଇଁ କମିଟି ଗଠିତ

ନୂଆଦିଲ୍ଲୀ: ଆସନ୍ତାକାଲି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ପ୍ରଧାନବିଚାରପତି ଏସ୍‌. ଏ. ବୋବଡେ, ବିଚାରପତି ବି. ଆର ଗାଭାଇ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯିବ। ଦିନକ ପୂର୍ବରୁ ଆଜି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗତ ନଭେମ୍ବର ୪ରେ ଶ୍ରୀମନ୍ଦିର ସଂସ୍କାରକୁ ନେଇ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶନାମାର ଶହେ ପୃଷ୍ଠା ସମ୍ବଳିତ କାର୍ଯ୍ୟାନୁଷ୍ଠାନ (ଆକ୍ସନ ଟେକେନ୍) ରିପୋର୍ଟ ଦାଖଲ କରିଛନ୍ତି। ମହାପ୍ରଭୁଙ୍କର ଦ୍ବାର ଖୋଲା ନୀତିର ଅବରୋଧକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ। ଏଥିରେ କୁହାଯାଇଛି, ମହାପ୍ରଭୁଙ୍କର ଦ୍ବାର ଖୋଲା ନୀତି ଅବରୋଧ ଘଟଣାର ୨୦୧୮ ଡିସେମ୍ବର ୨୮ରେ ତଦନ୍ତ କରାଯାଇଥିଲା। ପ୍ରାଥମିକ ତଦନ୍ତ ପରେ ଭବାନୀ ଶଙ୍କର ମହାପାତ୍ର, (ଭିତରଛ ମହାପାତ୍ର), କାହ୍ନୁ ପୁଜାପଣ୍ଡା, ମହାବୀର ଖୁଣ୍ଟିଆ, ନରସିଂହ ଖୁଣ୍ଟିଆ ଏବଂ ମଧୁସୂଦନ ଖୁଣ୍ଟିଆ ସେବକମାନଙ୍କ ବିରୋଧରେ ଚାର୍ଜଫ୍ରେମ୍ କରାଯାଇଛି। କାହ୍ନୁ ପୂଜାପଣ୍ଡା ଓ ମହାବୀର ଖୁଣ୍ଟିଆ ଅଭିଯୋଗ ସମ୍ପର୍କରେ ସେମାନଙ୍କର ଜବାବ ଦାଖଲ କରିଛନ୍ତି।

ଅନ୍ୟମାନଙ୍କୁ ଜବାବ ଦାଖଲ ପାଇଁ ମନେପକାଯାଇଛି। ତଦନ୍ତ ସରିବା ପରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଜଗନ୍ନାଥ ମନ୍ଦିର ଆଇନ ୧୯୫୪ର ସେକ୍ସନ ୨୧ (କ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏତଦ୍‌ବ୍ୟତୀତ ରିପୋର୍ଟରେ ସେବାପୂଜାରେ ଶୃଙ୍ଖଳା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଠାକୁରଙ୍କ ନୀତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ କୁହାଯାଇଛି, ଶ୍ରୀମନ୍ଦିର ପରିଚାଳନା କମିଟି ପାଖରେ ମହାପ୍ରଭୁଙ୍କର ଦୈନନ୍ଦିନ ରୀତିନୀତି ଓ ପର୍ବାପର୍ବାଣୀ ପରିଚାଳନା ଦାୟିତ୍ବ ରହିଛି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ଦିର ପରିଚାଳନା କମିଟି ବୈଠକରେ ସେବାପୂଜା ତଥା ପର୍ବାପର୍ବାଣୀ ପାଳନ ସମ୍ପର୍କରେ ସମୀକ୍ଷା ହୋଇଥାଏ। ରୀତିନୀତିର ତଦାରଖ ପାଇଁ ସବ୍‌ କମିଟି ଗଠନ କରାଯାଇଛି। ରଥ ଉପରେ ଭକ୍ତମାନଙ୍କର ଚଢ଼ିବା ସମ୍ପର୍କରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତକୁ ଲୋଡ଼ାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଦର୍ଶାଯାଇଛି, ମୁକ୍ତିମଣ୍ଡପର ସ୍ଥାୟୀ ସଭାପତି ରୂପେ ଶଙ୍କରାଚାର୍ଯ୍ୟ ତଥା ମୁକ୍ତିମଣ୍ଡପର ପଣ୍ଡିତମାନଙ୍କ ସହିତ ପରିଚାଳନା କମିଟି ଓ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବିଭିନ୍ନ ଧାର୍ମିକ ପ୍ରସଙ୍ଗରେ ସମୟ ସମୟରେ ବିଚାରବିମର୍ଷ କରିଥାନ୍ତି। ପରିଚାଳନା କମିଟି ଦ୍ବାରା ଶ୍ରୀ ଗୋବର୍ଦ୍ଧନ ମଠକୁ ୨୦୨୦ ଜାନୁଆରି ୬ରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କର ମନ୍ଦିରର ସେବାପୂଜାର ସୁପରିଚାଳନା ନିମନ୍ତେ ତାଙ୍କର ଉପଦେଶ, ପରାମର୍ଶ ଓ ଆଶୀର୍ବାଦ ନେବା ପାଇଁ ଗୋବର୍ଦ୍ଧନ ପୀଠ ଗସ୍ତ କରିବାର ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନର ମନ୍ଦିରରେ ଥିବା ଶାଖା କାର୍ଯ୍ୟାଳୟକୁ ଉନ୍ନତୀକରଣ କରାଯିବ ତଥା ପ୍ରଶାସକ (ନୀତି) ପ୍ରତ୍ୟକ କାର୍ଯ୍ୟ ଦିବସରେ ଶାଖା କାର୍ଯ୍ୟାଳୟରେ କାର୍ଯ୍ୟ କରିବେ। ସମୟାନୁଯାୟୀ ରୀତିନୀତି ଓ ପୂଜା ପରିଚାଳନା କରିବା ସମ୍ପର୍କିତ ପ୍ରସଙ୍ଗ ଗୁଡ଼ିକର ସମାଧାନ କରିବେ। ପ୍ରସ୍ତାବିତ ୱେବ୍‌ ପୋର୍ଟାଲରେ ଦୈନନ୍ଦିନ ପାଳନ କରାଯାଉଥିବା ନୀତି, ପୂଜାର ବିବରଣୀ ସମାହିତ କରାଯିବ। ପ୍ରଶାସକ (ନୀତି)ଙ୍କ ଦ୍ବାରା ସାପ୍ତାହିକ ସମୀକ୍ଷା ହେବ। ସେବକଙ୍କ ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟର ସଂପର୍କରେ କମିଟି କହିଛି, ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳମ୍ ପ୍ରତିଷ୍ଠା ପାଇଁ ନିଷ୍ପତି ନିଆଯାଇଛି। ପୁରୀ ସହରର ମାଟିତୋଟା ମୌଜାର ୧୫ ଏକର ମନ୍ଦିର ଜମି ଚିହ୍ନଟ ହୋଇଛି। ଦାନ, ସିଏସଆର ଦାନ, ଅନ୍ୟାନ୍ୟ ସହାୟତା ଗ୍ରହଣ ପାଇଁ ‘ଗୁରୁକୂଳ ଉନ୍ନୟନ ଓ ପରିଚାଳନା ପାଣ୍ଠି’ ପ୍ରତିଷ୍ଠା କରାଯିବ। ଏନେଇ ଏକ ଅଲଗା ବ୍ୟାଙ୍କ ଖାତା ଖୋଲାଯିବ। ଗୁରୁକୂଳ ଉନ୍ନୟନ ଓ ପରିଚାଳନା ପାଣ୍ଠିରେ କିମ୍‌ସର ୫ କୋଟି ଟଙ୍କା, ଯାହା କୋର୍ଟଙ୍କ ନିକଟରେ ମହଜୁଦ ଅଛି ତାହାକୁ ଆଣିବା ପାଇଁ ନିଷ୍ପତି ନିଆଯାଇଛି। ରାଜ୍ୟ ସରକାରଙ୍କର ପୂର୍ତ୍ତ ବିଭାଗକୁ ଗୁରୁକୂଳ ପ୍ରକଳ୍ପର ଡିଜାଇନ୍ ଓ ନିର୍ମାଣ ପାଇଁ ଅନୁରୋଧ କରାଯିବ।

ମାଟିତୋଟା ଅଞ୍ଚଳରେ ହେବ ଆଦର୍ଶ ଗୁରୁକୁଳମ୍
୬୦ ହଜାରରୁ ୩୪ ହଜାର ଏକର ଜମି ରେକର୍ଡ ହୋଇଛି
ଜଗନ୍ନାଥ ମନ୍ଦିର ପ୍ରଶାସନର ନିୟନ୍ତ୍ରଣରେ ୯୯ କ୍ବାରି
୨୦୨୦ ଏପ୍ରିଲ ପହିଲା ସୁଦ୍ଧା ନୂଆ େଵବ୍ ପୋର୍ଟାଲ

ଜମି ସଂପର୍କରେ କମିଟି ଦର୍ଶାଇଛି, ୬୦ ହଜାର ଏକରରୁ ଅଧିକ ଜମି ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ନାମରେ ଥିବାର ଚିହ୍ନଟ କରାଯାଇଛି। ଆଜି ପର୍ଯ୍ୟନ୍ତ ୩୪ ହଜାର ଏକର ଅଧିକ ଜମିର ମାଲିକାନା ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାକି ଜମିର ସ୍ବତ୍ତଲିପି ହାସଲ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଛି। ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ସମ୍ପତ୍ତିର ରେକର୍ଡ ତଥା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯିବାକୁ ଅନୁରୋଧ କରାଯାଇଛି। ଆମିକସ୍‌ କ୍ୟୁରୀ ରିପୋର୍ଟରେ ଶ୍ରୀ ଜଗନ୍ନାଥଙ୍କ ନାମରେ ଖଣି ଓ କ୍ବାରି ରହିଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ। କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ୯୯ କ୍ବାରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନିୟନ୍ତ୍ରଣରେ ଥିବାର କୁହାଯାଇଛି। ଏଥିମଧ୍ୟରୁ ୯ଟି କାର୍ଯ୍ୟକ୍ରମ ଥିବାବେଳେ ସେମାନଙ୍କର ଲିଜ୍ ଅବଧି ୩୧ ମାର୍ଚ୍ଚ, ୨୦୨୦ ଯାଏ ବୈଧଥିବା କୁହାଯାଇଛି। ୪୮ କ୍ବାରିର ଇ-ଅକ୍ସନ ଦ୍ବାରା ୨୦୧୯-୨୦୨୦ ମଧ୍ୟରେ ଫଇସଲା ହୋଇଯାଇଛି। ହେଲେ ପରିବେଶ ମଞ୍ଜୁରି ପାଇନଥିବାରୁ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିପାରିନାହାନ୍ତି। ମନ୍ଦିର ପ୍ରଶାସନ ଦ୍ବାରା କ୍ବାରି ଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଜିଓ କନସଲଟାଣ୍ଟ ପ୍ରାଇଭେଟ୍ ଲିମିଟେଡକୁ ନିଯୁକ୍ତ କରାଯାଇଛି। ମନ୍ଦିର ଜମିରେ ଦୁଇଟି ଖଣ୍ଡୋଲାଇଟ୍ କ୍ବାରି ରହିଛି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ବାରା ଶ୍ରୀମନ୍ଦିରରେ ଦୈନିକ ଭକ୍ତମାନଙ୍କର ରହିବା ୪ଟି ଭକ୍ତ ନିବାସ ଓ ଗୋଟିଏ ଯାତ୍ରୀ ନିବାସ ପୁରୁଣା ଜେଲ୍ ପାଖରେ ନିର୍ମାଣାଧୀନ ଅଛି। ଏହି ଦୁଇଟିର କ୍ଷମତା ରହିଛି ୩୭୮ କୋଠରୀ। ନରେନ୍ଦ୍ରକୋଣ ପାଖରେ ରାଜ୍ୟ ସରକାରଙ୍କ ଦ୍ବାରା ବିଧବା ମାନଙ୍କର ରହଣି ପାଇଁ ନିର୍ମାଣ ବ୍ୟବସ୍ଥା କରାଯାଉଛି। ଏହାର ନିର୍ମାଣ କାର୍ଯ୍ୟ ୨୦୨୦ ସୁଦ୍ଧା ସରିବ। ଏଥିରେ ୩ ହଜାର ଲୋକଙ୍କ ରହିବା ବ୍ୟବସ୍ଥା ହେବ। ମନ୍ଦିର ପ୍ରଶାସନ ଦ୍ବାରା ବିଭିନ୍ନ ସଂସ୍ଥାମାନଙ୍କ ସହଯୋଗରେ ୫ଟି ନିବାସ ନିର୍ମାଣ କରାଯିବ। ଯେଉଁଥିରେ ୧ ହଜାରୁ ଅଧିକ କୋଠରୀ ରହିବ।
ସେବକ ମାନଙ୍କର ଅର୍ଥନୈତିକ ସ୍ଥିତି ସମ୍ପର୍କରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ କୁହାଯାଇଛି। ଦର୍ଶାଯାଇଛି, ସେମାନଙ୍କ ପାଇଁ ପେନସନ୍, ସ୍ବାସ୍ଥ୍ୟ ବୀମା, ଛାତ୍ରବୃତ୍ତି, ଆର୍ଥିକ ସହାୟତା, ଦୂର୍ଘଟଣାଜନିତ ବୀମା ତଥା ଗୁରୁତର ଭାବେ ସ୍ଥିତିରେ ଥିବା ସେବକଙ୍କ ପାଇଁ ବଜେଟ୍‌ରେ ୫୦ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଛି। ମହାପ୍ରଭୁ ଭକ୍ତମାନେ ଦେଉଥିବା ସୁନା ଅଳଙ୍କାର ସଂପର୍କରେ ରିପୋର୍ଟରେ କୁହାଯାଇଛି, ମେ’୧୩, ୧୯୭୮ରୁ ଜୁଲାଇ ୨୩, ୧୯୭୮ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଆଦେଶ ଅନୁସାରେ ଶ୍ରୀ ଜଗନ୍ନାଥଙ୍କ ସୁନା, ରୁପା ଅନ୍ୟାନ୍ୟ ସାମଗ୍ରୀର ତାଲିକା ପ୍ରସ୍ତୁତ କରାଯାଇଥିଲା। ସେହି ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ଗୁଡ଼ିକ ଶ୍ରୀଜଗନ୍ନାଥଙ୍କ ଭିତର ଓ ବାହାର ରତ୍ନ ଭଣ୍ଡାରରେ ଚାବି ଦ୍ବାରା ବନ୍ଦ କରାଯାଇ ରଖାଯାଇଛି। ମନ୍ଦିରର ନାଟ ମଣ୍ଡପ ନିକଟସ୍ଥ ହୁଣ୍ଡିରୁ ସଂଗୃହୀତ ଦାନ ପ୍ରତ୍ୟେକ ଦିନ ନାଜିର ପାଖରେ ଜମା କରାଯାଇଥାଏ, ଯିଏ ତାହାକୁ ଡବଲ ଲକ୍ କରି ରଖୁଛନ୍ତି। ପରିଚାଳନା କମିଟି ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଶ୍ରୀମନ୍ଦିର ସମ୍ପର୍କିତ ଅନେକ ରିପୋର୍ଟ ଗୁଡ଼ିକୁ ଅଧ୍ୟୟନ କରି ଆଜିର ସମୟରେ ଯେଉଁ ପ୍ରକାର ଆକ୍ସନ ପ୍ଲାନର ଆବଶ୍ୟକତା ଅଛି ସେନେଇ ଅନୁଧ୍ୟାନ କରିବ। କମିଟି ତିନି ମାସ ଭିତରେ ପରିଚାଳନା କମିଟିକୁ ମଞ୍ଜୁରୀ ପାଇଁ ରିପୋର୍ଟ ପ୍ରଦାନ କରିବ। ଶ୍ରୀ ଜଗନ୍ନାଥ ମନ୍ଦିର ପୋର୍ଟାଲକୁ ଏପ୍ରିଲ ୧, ୨୦୨୦ ସୁଦ୍ଧା ଉନ୍ମୋଚନ କରାଯିବ ବୋଲି କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର