ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରୁ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଅବ୍ୟାହତି ଦେଇଛନ୍ତି। ତାଙ୍କ ସ୍ଥାନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଆଜି ଶ୍ରୀ ଜେନା ଯେଉଁ ସମୟରେ ପୁରୀରେ ଛତିଶାନିଯୋଗ ବୈଠକରେ ଉପସ୍ଥିତ ଥିଲେ, ଠିକ୍ ସେହି ସମୟରେ ତାଙ୍କୁ ଏହି ଗୁରୁ ଦାୟିତ୍ୱରୁ ବିଦା କରାଯିବା ସଂପର୍କରେ ନିଷ୍ପତ୍ତି ହୋଇଥିଲା। ଛତିଶାନିଯୋଗ ବୈଠକ ସରିବା କ୍ଷଣି ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ପୂର୍ବରୁ ଶ୍ରୀ ମହାପାତ୍ର ପୁରୀ ଜିଲ୍ଲାପାଳ ଥିଲେ ଓ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବେଶ୍ କିଛି ବର୍ଷ ସଫଳତାର ସହିତ କାର୍ଯ୍ୟ କରିଥିଲେ।
ଉଲ୍ଲେଖଯୋଗ୍ୟ, ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଏବେ ସମଗ୍ର ରାଜ୍ୟରେ ବିତର୍କ ଜୋର ଧରିଛି। ବିଜେପି ଏହି ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି। ସରକାର ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ମାତ୍ର ଚାବି ନ ଥିବା ଜାଣି ବି ଶ୍ରୀମନ୍ଦିର ପ୍ରଶାସନ ଏପ୍ରିଲ ୪ ତାରିଖରେ ଯେଉଁଭଳି ରତ୍ନଭଣ୍ଡାର ଖୋଲିବା ପାଇଁ ଅଣ୍ଟାଭିଡ଼ିଲେ, ତାହା ସରକାରଙ୍କୁ ଅସନ୍ତୁଷ୍ଟ କରିଥିଲା।
କେବଳ ସେତିକି ନୁହେଁ, ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ଖୋଦ୍ ସୁପ୍ରିମକୋର୍ଟ ନିକଟରେ ଗଭୀର କ୍ଷୋଭ ପ୍ରକଟ କରିଛନ୍ତି। କାରଣ, ଗତ କିଛି ଦିନ ଧରି ଶ୍ରୀମନ୍ଦିରରେ ବାରମ୍ବାର ଅଘଟଣ ଘଟୁଥିଲା। କେତେବେଳେ ଭକ୍ତଙ୍କୁ ଅସଦାଚରଣ ହେଉଥିଲା ତ ଆଉ କେବେ ମାଡ଼ ମାରିଥିଲେ ସେବାୟତ। ଏକଦା ବ୍ରହ୍ମବିଭ୍ରାଟ, ନୀଳାଦ୍ରି ବିଜେ ଆଦି ଘଟଣାରେ ବିବାଦକୁ ଆସିଥିବା ଶ୍ରୀମନ୍ଦିରରେ ପୁଣି ଏକ ବଡ଼ ସମସ୍ୟା ମୁଣ୍ଡ ଟେକିଥିଲା, ଯେତେବେଳେ ମହାପ୍ରଭୁଙ୍କୁ ସେବାୟତମାନେ ଉପବାସରେ ରଖିଦେଲେ। ଏସବୁକୁ ନେଇ ସରକାରଙ୍କୁ କଠୋର ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।
ଏବେ ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି ରାଜ୍ୟ ସରକାର ଆଜି ଏକ ବ଼଼ଡ଼ ନିଷ୍ପତ୍ତି ନେଇ ଶ୍ରୀ ଜେନାଙ୍କୁ ମୁଖ୍ୟ ପ୍ରଶାସକ ଦାୟିତ୍ୱରୁ ହଟାଇଛନ୍ତି। ଏବେ ସେ ପୂର୍ବଭଳି ଜଳସଂପଦ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/pp-1.jpg)