ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠି : ନିରାପତ୍ତା ପଛ, ସୁଧ ଆଗ!

ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଦାବି କଲେ କେନ୍ଦ୍ରମନ୍ତ୍ରୀ

ପୁରୀ : ମନ୍ଦିର ପ୍ରଶାସନ ଜାତୀୟକରଣ ବ୍ୟାଙ୍କକୁ ଭରସା ନ କରି ମାତ୍ର ୧୬ ବର୍ଷ ତଳେ ଅର୍ଥାତ ୨୦୦୪ରେ ପ୍ରତିଷ୍ଠା ହୋଇଥିବା ଏକ ଘରୋଇ ବ୍ୟାଙ୍କକୁ ଭରସିଲେ କେମିତି? ଅଧିକ ସୁଧ ଲୋଭରେ ପ୍ରଶାସନ ମହାପ୍ରଭୁଙ୍କ ସମସ୍ତ ପାଣ୍ଠିର ନିରାପତ୍ତାକୁ ଗୁରୁତ୍ବ ନ ଦେଇ ବାଜିରେ ଲଗାଇଲେ କେମିତି? ବର୍ତ୍ତମାନ ବ୍ୟାଙ୍କଗୁଡିକର ଅବସ୍ଥା ଯାହା, କେଉଁ ଆଧାରରେ ଏତେ ବଡ଼ ନିଷ୍ପତ୍ତି ନେଲେ? ଏମିତି କେତେ ସୁଧ ଅଧିକ ପାଇବେ ‌ଯେ ମହାପ୍ରଭୁଙ୍କ ଟଙ୍କାକୁ ଟେକିଦେଲେ? ଯଦି ଘରୋଇ ବ୍ୟାଙ୍କ ଅଧିକ ସୁଧ ଦେଉଛି, ତେବେ ପରିଚାଳନା କମିଟିରେ ଅଭିଯୋଗ ହେବା ପରେ ପୁଣି ୨୪ ତାରିଖରେ କାହିଁକି ସାନି ଟେଣ୍ଡର ଆହ୍ବାନ କରାଗଲା, ଆର୍ଥିକ ବ‌ର୍ଷ ପୂର୍ବରୁ ଜମା ବା ଫିକ୍ସ ଡିପଜିଟ ଭାଂଗିଲେ ଯେଉଁ ସୁଧ ହାନି ହେବ ତାକୁ କିଏ ଭରଣା କରିବ? ‘ ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠି’ ଖବର ପ୍ରକାଶ ପାଇବା ପରେ ଏହିଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି। ଏଥିସହିତ, ଜଗନ୍ନାଥ ମହାପ୍ରଭୁଙ୍କ କର୍ପସ ପାଣ୍ଠି ଓ ଫାଉଣ୍ଡେସନ୍ ପାଣ୍ଠିକୁ ଶ୍ରୀମନ୍ଦିର ପ୍ରଶାସନ ଏକ ନିର୍ଦିଷ୍ଟ ଘରୋଇ ବ୍ୟାଙ୍କରେ ଜମା କରିବା ଘଟଣାକୁ ନେଇ ଜୋର୍‌ଦାର୍‌ ତନାଘନା ହୋଇଛି। ପରିଚାଳନା କମିଟି ଓ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ସବ୍ କମିଟିକୁ ଅନ୍ଧାର‌ରେ ରଖି ହୋଇଥିବା ଏଭଳି ଏକ ନିଷ୍ପତ୍ତି ବିରୋଧରେ ପରିଚାଳନା କମିଟି ସଦସ୍ୟମାନେ ବି ମୁହଁ ଖୋଲିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ପୁରୀ ଗସ୍ତକୁ ଆସିଥିବାବେଳେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେବା ସହିତ ରାଜ୍ୟ ସରକାରଙ୍କ ନିକଟରୁ ସ୍ପଷ୍ଟୀକରଣ ଦାବି କରିଛନ୍ତି।

ସାମାନ୍ୟ କେଇ ଟଙ୍କାର ସୁଧପାଇଁ ମନ୍ଦିର ପ୍ରଶାସନ କାହାର ଅନୁମତି ନ ନେଇ ସରକାରଙ୍କ ପାନେଲ ବ୍ୟାଙ୍କ୍ ଥିବା ମହାପ୍ରଭୁଙ୍କ ଏତେ ଗୁଡା ଟଙ୍କା ଟେକି ଦେଇଥିବାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ମତ ରଖି ପୁରୀ ଜିଲ୍ଲା ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ବ୍ରଜ କିଶୋର ମହାନ୍ତି କହିଛନ୍ତି ଯେ, ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍(ଏସ୍‌ବିଆଇ), ୟୁକୋ ବ୍ୟାଙ୍କ ଭଳି ଜାତୀୟକରଣ ବ୍ୟାଙ୍କରେ ଟଙ୍କା ରଖାଯାଉଥିବାବେଳେ ଏଥର ଏସ୍‌ ବ୍ୟାଙ୍କ ନାମ‌କ ଏକ ଘରୋଇ ବ୍ୟାଙ୍କରେ ଏତେ ଟଙ୍କା କାହିଁକି ରଖାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ। ଯଦି ସୁଧ ଓ ଲାଭ ଲୋଭରେ ମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥା’ନ୍ତି, ତାହା ମଧ୍ୟ ଠିକ୍ ନୁହେଁ । ପୁରୀ ଜିଲ୍ଲାରେ ଏସ୍ ବ୍ୟାଙ୍କର ଭଲ ପ୍ରଦର୍ଶନ ନାହିଁ, କି ବ୍ୟାଙ୍କର ସେଭଳି ଅଗ୍ରଗତି ମଧ୍ୟ ନାହିଁ। ସରକାରଙ୍କ ଗାଇଡଲାଇନ ମୁତାବକ ଯାହା କରିବା କଥା ଏସ୍ ବ୍ୟାଙ୍କ ତାହା କରୁନାହିଁ, ବ୍ୟାଙ୍କ ପୁରୀ ଜିଲ୍ଲାରୁ କେବଳ ଜମା ଅଧିକ ମାତ୍ରାରେ ନେଉଛନ୍ତି, ଯେଉଁ କାମ କରିବା କଥା ତାହା କରୁନାହାନ୍ତି ବୋଲି ମତ ଶ୍ରୀ ମହାନ୍ତି ରଖିଛନ୍ତି।

ଆଜି ପୁରୀ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି। ମହାପ୍ରଭୁଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା କରିବା ସରକାର ଓ ପ୍ରଶାସନର ଦାୟିତ୍ବ । ଦେଶରେ ଏତେଗୁଡାଏ ଜାତୀୟକରଣ ବ୍ୟାଙ୍କ ଥାଉ ଥାଉ ମହାପ୍ରଭୁଙ୍କ ପାଣ୍ଠି ଟଙ୍କାକୁ କାହିଁକି ଏକ ଘରୋଇ ବ୍ୟାଙ୍କରେ ରଖିଛନ୍ତି ସରକାର ତା’ର ସ୍ପଷ୍ଟୀକରଣ ଦେବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୦ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ଏ ନେଇ ଆପତ୍ତି ଉଠିବା ପରେ ଏବେ ପୁନର୍ବାର ଏହି ଟଙ୍କାକୁ ଫେରାଇ ଆଣିବାକୁ ଟେଣ୍ଡର ଆହ୍ବାନ କରାଯାଇଛି। ପୁନର୍ବାର ଜାତୀୟକରଣ ବ୍ୟାଙ୍କରେ ରଖିବାକୁ ଟେଣ୍ଡର କରାଯାଇଛି। ଏଥିରେ ୧୭ଟି ଜାତୀୟକରଣ ବ୍ୟାଙ୍କକୁ ଆମନ୍ତ୍ରଣ କରାଯାଇଛି, ଏଥିରେ କିନ୍ତୁ ଏସ୍‌ ବ୍ୟାଙ୍କର ନାମ ନାହିଁ। ପୁଣିଥରେ ମନ୍ଦିର ପ୍ରଶାସନ ‌ଯେଉଁ ନିଷ୍ପତ୍ତି ନେଇଛି, ତାହା ମଧ୍ୟ ନିଜ ଗୋଡକୁ କୁରାଢି ମାରିଲା ଭଳି! ‌ଅବଧି ପୂର୍ବରୁ ଜମା ଭାଂଗିଲେ ମନ୍ଦିରର ଅତିକମରେ ସୁଧ ବାବଦରେ ୫ କୋଟିରୁ ଅଧିକ ଟଙ୍କା କ୍ଷତି ହେବ ବୋଲି ଜଣେ ପରିଚାଳନା କମିଟିର ସଭ୍ୟ କହିଛନ୍ତି। ଏହାର ଭରଣା କିଏ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର