ପୁରୀ : ଗତ ତିନି ଦିନ ଧରି ଲାଗି ରହିଥିବା ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ସାରା ରାଜ୍ୟ ପଡୁଛି ଉଠୁଛି। ଠିକ୍ ଏତିକି ବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିବୃତି ଆଜି ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି। ମନ୍ତ୍ରୀ ମହାପ୍ରଭୁଙ୍କ ନାମରେ ଡାହା ମିଛ କହିଥିବା ନେଇ ଭକ୍ତ ଓ ସେବକଗଣ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମନ୍ଦିର ନୀତି ରେକର୍ଡ ଅନୁସାରେ, ମହାପ୍ରଭୁ ୧୬ ତାରିଖ ସକାଳ ଧୂପ ସମୟ ଅପରାହ୍ନ ୪ଟା ୪୦ ପରଠାରୁ ୧୯ ତାରିଖ ରାତି ଗୋଟାଏ ପର୍ଯ୍ୟନ୍ତ ଖାଡା ଉପାସରେ ରହିଥିଲେ। ଏହା ଶ୍ରୀମନ୍ଦିର ନୀତି ରେକର୍ଡରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିବା ବେଳେ କେଉଁ ସୂଚନା ଓ ସୂତ୍ରକୁ ଆଧାର କରି ମନ୍ତ୍ରୀ ଗୃହରେ ଏପ୍ରକାର ବିବୃତି ରଖିଲେ ତାକୁ ନେଇ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିର ନୀତି ସୂଚନା ମୁତାବକ, ମହାପ୍ରଭୁ ପ୍ରାୟ ୩୨ ଘଣ୍ଟା ଉପବାସରେ ରହିଥିଲେ। ୧୬ ତାରିଖ ଜଗମୋହନ ଦର୍ଶନ ଆରମ୍ଭ ଦିନ ଅପରାହ୍ନ ୪ଟା ୪୦ରେ ସକାଳ ଧୂପ ଉଠିଥିଲା। ନୀତି ବିଳମ୍ବ କାରଣରୁ ସୁଆରଙ୍କ ଅସହଯୋଗ ହୋଇଥିଲା। ସେମାନେ କ୍ଷତିପୂରଣ ବି ଦାବି କରିଥିଲେ। ଏହା ପରେ ନୀତି ବିଭ୍ରାଟ ଉପୁଜିଥିଲା। ପରେ ମଇଲମ ଓ ବେଶଲାଗି ହୋଇଥିଲା। ରାତିରେ ଅନ୍ୟ କୌଣସି ନୀତି, ଏମିତିକି ମଧ୍ୟାହ୍ନ ଧୂପ, ସନ୍ଧ୍ୟାଧୂପ ମଧ୍ୟ ହୋଇନଥିଲା। ୧୭ ତାରିଖ ଦିନତମାମ ମହାପ୍ରଭୁ ଉପବାସରେ ରହିଥିଲେ। ମହାପ୍ରଭୁଙ୍କ ଅବକାଶ ନୀତି (ଦାନ୍ତଘଷା) ସକାଳ ୮ଟାରେ ଅନୁଷ୍ଠିତ ହେବା ପରେ ମଧ୍ୟ ମହାପ୍ରଭୁ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ପୂର୍ବ ଦିନ ଅପରାହ୍ନ ୫ଟାରୁ ଭୋକିଲା ଥିବା ମହାପ୍ରଭୁଙ୍କ ନିକଟରେ ବଲ୍ଲଭ କି ସକାଳଧୂପ ନୀତି କିଛି ବି ଲାଗି ହୋଇ ପାରିନଥିଲା। ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଲ୍ଲଭ ଓ ସକାଳଧୂପ ନୀତି ୧୭ ତାରିଖ ରାତି ପ୍ରାୟ ଗୋଟାଏରେ ବଢିଥିଲା। ଅର୍ଥାତ ୧୬ ତାରିଖ ଅପରାହ୍ନ ୫ଟାରୁ ୧୭ ତାରିଖ ରାତି ଗୋଟାଏରୁ ସକାଳ ପର୍ଯ୍ୟନ୍ତ ପ୍ରାୟ ୩୨ ଘଣ୍ଟା ମହାପ୍ରଭୁ ଉପବାସରେ ରହିବା କଥା ଶ୍ରୀମନ୍ଦିର ନୀତି ରେକର୍ଡ ବୟାନ କରୁଥିବା ବେଳେ ବେଳେ ମନ୍ତ୍ରୀ ଶ୍ରୀ ଜେନା ମହାପ୍ରଭୁ ଉପବାସ ଖବରକୁ ମିଛ ବୋଲି କେମିତି କହିଲେ ତାର ତଥ୍ୟ ପ୍ରମାଣ ରଖିବାକୁ ଜଗନ୍ନାଥପ୍ରେମୀ ଭକ୍ତ ଓ ସେବକ ପ୍ରଶ୍ନ କରିଛନ୍ତି।