ମହାପ୍ରଭୁଙ୍କୁ ନିର୍ଯାତନା ପ୍ରସଙ୍ଗ : ନାଲିଆଖି ଦେଖାଇଲା ଶ୍ରୀମନ୍ଦିର ପ୍ରଶାସନ

ଗାରଦକୁ ମାଗିଲେ ରିପୋର୍ଟ, ଶୃଙ୍ଖଳିତ ହେଲା ମହାପ୍ରଭୁଙ୍କ ନୀତି, ଶ୍ରୀମନ୍ଦିର ପରିଚାଳନାକୁ ସରକାର ପ୍ରାଥମିକତା ଦିଅନ୍ତୁ : ଗଜପତି

ପୁରୀ : ନିଜ ନିଜ ଜିଦରେ ଅଟଳ ରହି‌ଲେ ସେବକ ଓ ପ୍ରଶାସନ। ୧୪ ଘଣ୍ଟା ମହାପ୍ରଭୁଙ୍କୁ ନିର୍ଯାତନା ଦେଲେ ଓ ଭକ୍ତଙ୍କ ଭାବାବେଗ ସହ ଖେଳିଲେ। ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା ବେଳେ ଆଜି ଶ୍ରୀମନ୍ଦିର ପ୍ରଶାସନ ସେବକଙ୍କୁ ନାଲିଆଖି ଦେଖାଇଛି। କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏହାକୁ ନେଇ ସେବାୟତ-ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ପୁଣି ନୀତି ବିଭ୍ରାଟ ପାଇଁ ସେବକମାନେ ବି ଦୁଇ ଫାଳ ହୋଇଛନ୍ତି।

ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଆଜି କହିଛନ୍ତି, ଶ୍ରୀମନ୍ଦିରରେ ପୂଜା ପାଉଥିବା ଶ୍ରୀଜିଉମାନଙ୍କ ଉର୍ଦ୍ଧ୍ବରେ କେହି ନୁହନ୍ତି। ଶ୍ୁକ୍ରବାର ଠାକୁରଙ୍କୁ ଓପାସ ରଖି ସେବାୟତମାନେ ଯେପରି ବିଭ୍ରାଟ କଲେ ତାହା ଅତ୍ୟନ୍ତ ଦୁଃଖଦାୟକ। ଏହି ଘଟଣା ବିଶ୍ବ ଦରବାରରେ ଜଗନ୍ନାଥ ଓ ଶ୍ରୀମନ୍ଦିରର ପ୍ରତିଛବି ଉପରେ ନକାରାତ୍ମକ ପ୍ରଭାବ ପକାଇଛି। ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବାପୂଜା ନିୟମାନୁଯାୟୀ କରିବା ସେବାୟତଙ୍କ ଦାୟିତ୍ବ। ଏଥିରେ ପ୍ରଶାସନର କିଛି ଦାୟିତ୍ବ ନାହିଁ। ସେବାୟତମାନ ତାଙ୍କ ଦାୟିତ୍ବ ପ୍ରତି ଯତ୍ନବାନ ହେବା ଦରକାର। ଶୁକ୍ରବାରର ଘଟଣା ପାଇଁ ତଦନ୍ତ ହେବ। ତଦନ୍ତରେ ଯିଏ କେହି ବି ଦୋଷୀ ମିଳିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗୁରୁବାର ରାତିରେ ଘଟିଥିବା ଘଟଣାର ସମାଧାନ ପାଇଁ ସେବାୟତମାନେ ଯେପରି ସର୍ତ୍ତ ରଖୁଛନ୍ତି ତା ଆଦୌ ପ୍ରଶାସନ ଗ୍ରହଣ କରିପାରିବ ନାହିଁ। ଏଭଳି ଘଟଣା ଘଟାଇ ସେବାୟତମାନେ ପ୍ରଶାସନକୁ ଏକ ପ୍ରକାର ବ୍ଲାକମେଲ କରିବା ଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି।

ଗଜପତି ମହାରାଜ ଦିବ୍ୟସିଂହ ଦେବ ଏହି ପ୍ରସଙ୍ଗରେ ପୁଣି ନିଜର ଅସନ୍ତୋଷ ଜାହିର କରିବା ସହ କହିଛନ୍ତି, ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରସଙ୍ଗଠାରୁ ବଡ଼ ପ୍ରସଙ୍ଗ କିଛି ନାହିଁ। ଗତକାଲିର ବିଶୃଙ୍ଖଳା ଆଦୌ ଗ୍ରହଣୀୟ ନୁହେଁ। ସରକାର ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କୁ ପ୍ରାଥମିକତା ଦିଅନ୍ତୁ, ଯୋଜନାରେ ଶୀର୍ଷରେ ରଖନ୍ତୁ। ଭକ୍ତଙ୍କୁ ଭଗବ‌ାନଙ୍କ ଦର୍ଶନରୁ ବଂଚିତ କରାନଯାଉ। ସ୍ବାଧୀନ ଭାରତରେ ମଧ୍ୟ ଧର୍ମ ଓ ଠାକୁରଙ୍କ ଉପାସନାକୁ ପ୍ରାଥମିକତା ଦିଆଯାଇଛି। ଏହା ନ ହେଲେ ଧର୍ମର ଅବକ୍ଷୟ ହେବ।

ମନ୍ଦିର ଦ୍ବାର ଖୋଲି ନଥିବା ସଂପୃକ୍ତ ସେବକଙ୍କ ବିରୋଧରେ ଶ୍ରୀମନ୍ଦିର ସ୍ବତ୍ବଲିପି ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରସଙ୍ଗ ଉପରେ ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକ ଡକାଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଗତକାଲିର ବିଭ୍ରାଟ ଘଟଣାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଗାରଦକୁ ରିପୋର୍ଟ ମଗାଯାଇଛି। କିଏ, କାହିଁକି ଓ କେଉଁ ପରିସ୍ଥିତିରେ ନୀତି ବିଳମ୍ବ କରିଥିଲେ, ବିଭ୍ରାଟ ପାଇଁ ଦାୟୀ କିଏ ତାର ବିସ୍ତୃତ ବିବରଣୀ ବି ଗାରଦ ପ୍ରଦାନ କରିଥିବା ଜଣାପଡିଛି। ଗାରଦ ରିପୋର୍ଟ ଆଧାରରେ ମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁ‌ଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏବେ ସେବକଙ୍କ ମଧ୍ୟରେ ଛନକା ପଶିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତଥା ଶୁକ୍ରବାର ଦ୍ବାର ଖୋଲିନଥିବା ଭିତରଛଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶଙ୍କା କରାଯାଉଛି।

ଏପଟେ ‌କାର୍ଯ୍ୟାନୁଷ୍ଠାନ ଭୟରେ ସେବାୟତମ‌ାନେ ମଧ୍ୟ ମେଳି ବାନ୍ଧିଛନ୍ତି। ଯାହାକୁ ନେଇ ସେବାୟତ-ପ୍ରଶାସନ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ସୂଚନାଯୋଗ୍ୟ, ପହିଲ ଭୋଗ ନୀତି ଚାଲିଥିବା ବେଳେ ଗତକାଲି ଶ୍ରୀମନ୍ଦିର ଜୟବିଜୟ ଦ୍ବାର ଫିଟିନଥିବାରୁ ମହାପ୍ରଭୁ ୧୪ ଘଣ୍ଟା କାଳ ଅପୂଜା, ଅଖିଆ ରହିଥିଲେ। ଶ୍ରୀମନ୍ଦିର ଇତିହାସରେ ଯାହା କେବେ ଘଟିନଥିଲା ଗତକାଲିର ନୀତି ବିଭ୍ରାଟ ସବୁ ସୀମା ଟପିଯାଇଥିଲା। ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇ ଫେରି ଯାଇଥିଲେ। ଶୁକ୍ରବାର ଅପରାହ୍ନ ୫ଟାରେ ଦ୍ବାର ଫିଟିବା ପରେ ଅନ୍ୟ ସବୁ ନୀତି ବଢିଥିଲା। ରାତି ପ୍ରାୟ ୩.୧୫ଟାରେ ମହାପ୍ରଭୁଙ୍କ ପହୁଡ ନୀତି ହୋଇଥିଲା। ମାତ୍ର ଦୁଇ ଘଣ୍ଟା ପହୁଡ ପ‌ରେ ଆଜି ଭୋର ୫.୪୫ ଅର୍ଥାତ ଦୁଇଘଣ୍ଟା ବିଳମ୍ବରେ ଦ୍ବାର ଫିଟା ହୋଇଥିଲା। ଶନିବାର ସକାଳ ୬ଟା ୪୦ରେ ମଙ୍ଗଳ ଆଳତି, ସକାଳ ୮ଟାରେ ଅବକାଶ ହେବା ପରେ ପହିଲି ଭୋଗ ନୀତି ଅନୁଷ୍ଠିତ ହୋଇଥିଲା। ଆଜି ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଗତକାଲି ବିନା ସର୍ତ୍ତରେ ଦ୍ବାର ଖୋଲିଥିବା ସେବକ ଆଜି ବିଶୃଙ୍ଖଳା ସୃଷ୍ଟି କରିବେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଗତକାଲି ନୀତି ବନ୍ଦ କରିବା ଘଟଣାକୁ ନେଇ ସେବକ ସମାଜ ଦୁଇ ଭାଗ ‌ହୋଇଛି। ବ୍ୟକ୍ତିଗତ ଗଣ୍ଡଗୋଳକୁ ନେଇ ମହାପ୍ରଭୁଙ୍କ ଦ୍ବାର ଖୋଲାଗଲାନି। ଯାହା ଫଳରେ ଭକ୍ତଙ୍କ ପାଖରେ ସେବକମାନେ ବଦନାମ୍‌ ହୋଇଛନ୍ତି ବୋଲି କିଛି ସେବକ ପ୍ରକାଶ କରି ଏଭଳି ବିଶୃଙ୍ଖଳାକୁ ଗ୍ରହଣ କରିନାହାନ୍ତି।

ସମ୍ବନ୍ଧିତ ଖବର