ୟେସ ବ୍ୟାଙ୍କ୍‌ରେ ଶ୍ରୀଜଗନ୍ନାଥଙ୍କ ଟଙ୍କା : ଦାୟୀ ଅଧିକାରୀଙ୍କ ବିରୋଧରେ ସିବିଆଇରେ ଏତଲା

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ, ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେଲେ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ

ଭୁବନେଶ୍ୱର : ୟେସ୍‌ ବ୍ୟାଙ୍କ୍‌ରେ ଥିବା ଶ୍ରୀଜଗନ୍ନାଥଙ୍କ ୬ଶହ କୋଟି ଟଙ୍କା ବୁଡ଼ିଯିବା ନେଇ ଆଶଙ୍କା ପ୍ରକାଶ କରିଛି ପୁରୀର ଶ୍ରୀଜଗନ୍ନାଥ ସେନା। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଶ୍ରୀମନ୍ଦିର ପରିଚାଳନା କମିଟିର ବିନା ଅନୁମୋଦନରେ ଏହି ମୋଟା ଅଙ୍କର ଟଙ୍କା ଘରୋଇ ବ୍ୟାଙ୍କ୍‌ରେ ରଖିଥିବା ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ(ପିକୁ) ଆଜି ଏସ୍‌ପିଙ୍କ ଜରିଆରେ ସିବିଆଇ ନିର୍ଦ୍ଦେଶକଙ୍କୁ ଏତଲା ଦେଇଛନ୍ତି। ବ୍ୟାଙ୍କ୍‌ ଦେବାଳିଆ ହୋଇ ଯିବା ନେଇ ପୂର୍ବରୁ ସୂଚନା ପାଇ ବଡ଼ ବଡ଼ ଅନୁଷ୍ଠାନ ମୋଟା ଅଙ୍କର ଜମା ଉଠାଇ ନେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଉଠାଇ ଆଣି ନ ଥିବାରୁ ସବୁ ସଲାସୁତରାରେ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅଭିଯୋଗ କରି କହିଛନ୍ତି, ଏତେ ଗୁଡ଼ାଏ ଟଙ୍କା ଘରୋଇ ବ୍ୟାଙ୍କ୍‌ରେ ରଖିବା ପାଇଁ ମୋଟା ଅଙ୍କର କମିସନ କାରବାର ହୋଇଛି। ଯେଉଁ ଯେଉଁମାନେ ଏହି କମିସନ ନେଇଛନ୍ତି ସେମାନଙ୍କର ତାଲିକା ସର୍ବସାଧାରଣରେ ପ୍ରକାଶ କରାଯିବା ଉଚିତ। ଠାକୁରଙ୍କ ଟଙ୍କା ସୁରକ୍ଷିତ ଫେରାଇ ଆଣିବା ଦିଗରେ ସିବିଆଇ ତାର ତଦନ୍ତ ଜୋରଦାର କରୁ ବୋଲି ସେ କହିଛନ୍ତି। ଏହି ମୋଟାଅଙ୍କର ଅର୍ଥ ଜମା କରିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା? ଶ୍ରୀମନ୍ଦିର ପରିଚାଳନା କମିଟି ସମସ୍ତ ନିଷ୍ପତ୍ତି ନେଉଥିବା ବେଳେ ଏହି ପ୍ରସଙ୍ଗ କାହିଁକି ପରିଚାଳନା କମିଟିର ସ୍ବୀକୃତି ପାଇ ନ ଥିଲା? ପୂର୍ବରୁ ବିଭିନ୍ନ ବ୍ୟାଙ୍କ୍‌ରେ କେତେ ଟଙ୍କା ରହିଥିଲା? ଅନ୍ୟ ବ୍ୟାଙ୍କ୍‌ ତୁଳନାରେ ୟେସ୍‌ ବ୍ୟାଙ୍କ୍‌ କେତେ ଅଧିକ ସୁଧ ଦେଉଥିଲା? ଏ ସବୁ ପ୍ରଶ୍ନର ଉତ୍ତର ସାଧାରଣରେ ପ୍ରକାଶ ପାଇବା ଉଚିତ।

ପୂର୍ବରୁ ଲାଞ୍ଚ ନେଇ ଧରାପଡ଼ିଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ ମଧ୍ୟ ଉଦ୍ୟାନ କୃଷି ବିଭାଗର ପାଖାପାଖି ୩୦ କୋଟି ଟଙ୍କା ୟେସ୍‌ ବ୍ୟାଙ୍କ୍‌ରେ ରଖିଥିଲେ। ବିଭିନ୍ନ ବ୍ୟାଙ୍କ୍‌ରେ ଥିବା ଉଦ୍ୟାନ କୃଷି ବିଭାଗର ଜମା ଖାତା ବନ୍ଦ କରି ଏହି ଘରୋଇ ବ୍ୟାଙ୍କ୍‌ରେ ୩୦ କୋଟି ଟଙ୍କା ଜମା କରା ଯାଇଥିଲା। ଏଣୁ ସିବିଆଇ ଏହି ୟେସ୍‌ ବ୍ୟାଙ୍କ୍‌ ସହ ଜଡ଼ିତ ସମସ୍ତ ଘଟଣାର ଉପଯୁକ୍ତ ତଦନ୍ତ କଲେ ମହାପ୍ରଭୁଙ୍କ ଟଙ୍କା ଫେରିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀ ଧରାପଡ଼ିବେ ବୋଲି ସେ କହିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ
ନୂଆଦିଲ୍ଲୀ : ୟେସ୍ ବ୍ୟାଙ୍କରେ ଜମାଥିବା ଶ୍ରୀଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ଫେରାଇ ଆଣିବା ଲାଗି ବିଜେଡି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବୁଧବାର ବିଜେଡିର ଏକ ସଂସଦୀୟ ପ୍ରତିନିଧି ଦଳ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଶ୍ରୀଜଗନ୍ନାଥ ମନ୍ଦିରର ଜମା ଟଙ୍କା ଫେରାଇ ଆଣିବା ଲାଗି ଦାବି ଜଣାଇଛନ୍ତି।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏକ ୪ ଜଣିଆ ପ୍ରତିନିଧିଦଳ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଚ୍ୟୁତ ସାମନ୍ତ ପ୍ରତିନିଧିମଣ୍ଡଳୀରେ ସାମିଲ୍‌ ହୋଇଥିଲେ। ସାଂସଦମାନେ ୟେସ୍ ବ୍ୟାଙ୍କରୁ ଶ୍ରୀଜଗନ୍ନାଥଙ୍କ ପାଣ୍ଠି ଫେରାଇବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଯେହେତୁ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ଜମାକାରୀଙ୍କ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛନ୍ତି, ସେ ଦୃଷ୍ଟିରୁ ଶ୍ରୀଜଗନ୍ନାଥ ମନ୍ଦିରର ପାଣ୍ଠି ଉଠାଣକୁ ନେଇ ସଂଶୟ ସୃଷ୍ଟି ହୋଇଛି। ଏଥିସହ ସାଂସଦମାନେ ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ ଲେଖିଥିବା ଚିଠିର ଏକ ନକଲ ସୀତାରମଣଙ୍କୁ ହସ୍ତାନ୍ତର କରିଥିଲେ। ଏହାପରେ ଅର୍ଥମନ୍ତ୍ରୀ ସୀତାରମଣ ବିଜେଡି ସାଂସଦମାନଙ୍କୁ ଆଶ୍ବାସନା ଦେଇ କହିଥିଲେ ଯେ, ୟେସ୍ ବ୍ୟାଙ୍କରେ ଜମାଥିବା ପ୍ରତିଟି ଟଙ୍କା ସୁରକ୍ଷିତ ରହିଛି ଏବଂ ଜମାକାରୀ ଏହା ଫେରିପାଇବେ।

ମାନବାଧିକାର କମିସନଙ୍କ ଦ୍ବାରସ୍ଥ
ଭୁବନେଶ୍ବର : ୟେସ୍ ବ୍ୟାଙ୍କରେ ଜମାଥିବା ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ବୁଡ଼ିଯିବା‌ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଶ୍ରୀଜଗନ୍ନାଥଙ୍କ ସହିତ କୋଟି କୋଟି ଲୋକଙ୍କ ଭାବପ୍ରବଣତା ଜଡ଼ିତ ଥିବାରୁ ଏହି ପ୍ରସଙ୍ଗ ଜଗନ୍ନାଥପ୍ରେମୀଙ୍କୁ ମାନସିକଭାବେ ଆଘାତ ଦେଇଛି। ଏଭଳି ଅଭିଯୋଗ କରି ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ।

ଶ୍ରୀ ନାୟକ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଶ୍ରୀମନ୍ଦିର ଗୋଚରରେ ପରିଚାଳନା କମିଟିର ଅଗୋଚରରେ ଏହି ଅର୍ଥକୁ ଘରୋଇ ବ୍ୟାଙ୍କରେ ଜମା କରାଯାଇଥିଲା। ଯାହାକି ବେଆଇନ। ଗତବର୍ଷ ମନ୍ଦିର ପରିଚାଳନା କମିଟି ବୈଠକରେ ଘଟଣା ସାମ୍ନାକୁ ଆସିଥିଲା। ପରବର୍ତୀ ସମୟରେ ସାଧାରଣ ଲୋକଙ୍କ ଦାନ ଅର୍ଥକୁ କୌଣସି ଏକ ଜାତୀୟ ବ୍ୟାଙ୍କରେ ଜମା କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ତେଣୁ ଘରୋଇ ବ୍ୟାଙ୍କରେ ଏତେ ପରିମାଣର ଟଙ୍କା ଜମା ରଖିବା ନେଇ ମୋଟା ଅଙ୍କର କମିସନ କାରବାର ହୋଇଥିବା ‌ସନ୍ଦେହ କରାଯାଉଛି। ଯଦିଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ଲୋକଙ୍କ ଟଙ୍କା ସୁରକ୍ଷିତ ରହିଥିବା ନେଇ ଆଶ୍ବାସନା ଦେଇଛନ୍ତି, ତଥାପି ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଶ୍ରୀମନ୍ଦିର ପରିଚାଳକ, ଭିଜିଲାନ୍‌ସ ଓ କ୍ରାଇମବ୍ରାଞ୍ଚ ଡିଜି ତୁରନ୍ତ ଏହି ଘଟଣାର ତଦନ୍ତ କରି ୪ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ଲାଗି ନିର୍ଦେଶ ଦେବାକୁ କମିସନଙ୍କୁ ଶ୍ରୀ ନାୟକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର