ଭୁବନେଶ୍ବର : ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଜମା ପ୍ରସଙ୍ଗରେ ସରକାରଙ୍କ ଉପରେ ଅଭିଯୋଗ ଗଦା କରିଥିଲେ ବିରୋଧୀ ସଦସ୍ୟମାନେ। କିନ୍ତୁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜ‌ାରୀ ଅଭିଯୋଗକୁ ସ୍ବୀକାର କରି ନ ଥିଲେ। ସ୍ବଚ୍ଛ ଉପାୟରେ ଶ୍ରୀମନ୍ଦିର ଟଙ୍କା ବ୍ୟାଙ୍କରେ ଜମା ହୋଇଥିଲା ବୋଲି ଜୋର୍‌ ଦେଇଥିଲେ। ବ୍ୟାଙ୍କିଙ୍ଗ୍ କାରବାର କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ହୋଇଥିବାରୁ ଏଥିରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ ବୋଲି କହିଥିଲେ। ଆତଙ୍କ ସୃଷ୍ଟି ନ କରି ଟଙ୍କା ଆଣିବା ପାଇଁ ମିଳିତ ଉଦ୍ୟମ କରିବାକୁ ସେ ବିରୋଧୀ ଦଳ ସଭ୍ୟମାନଙ୍କୁ ଆହ୍ବାନ ଦେଇଥିଲେ।

Advertisment

ଶ୍ରୀ ପୂଜାରୀ କହିଥିଲେ ଯେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଭାରତୀୟ ସମ୍ବିଧାନରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଷୟ। ତେଣୁ ଏଥିରେ ରାଜ୍ୟ ସରକାରଙ୍କର କିଛି କରିବାର ନାହିଁ।

ୟେସ୍ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ୍ ୧୯୩୪ ଅନୁଯାୟୀ ତାଲିକାଭୁକ୍ତ ହୋଇଛି। ୫/୩/୨୦୨୦ ପୂର୍ବରୁ ୟେସ୍‌ ବ୍ୟାଙ୍କ ସହିତ ଅର୍ଥ କାରବାର ନ କରିବା ପାଇଁ ଆର୍‌ବିଆଇ କୌଣସି ନିର୍ଦ୍ଦେଶନାମା ଜାରି କରି ନ ଥିଲେ। ଯେତେବେଳେ ବି ବ୍ୟାଙ୍କିଙ୍କ୍ ସଂସ୍ଥା ଉପରେ ସରକାର କିଛି ପଦ‌କ୍ଷେପ ନିଅନ୍ତି, ଆର୍‌ବିଆଇ ତାହାକୁ ବାରଣ କରେ। ୨୧/୧୦/୨୦୧୯ରେ ଅର୍ଥ ବିଭାଗ ସମସ୍ତ ବିଭାଗକୁ ସଚେତନ କରାଇଥିଲେ ଯେ ବ୍ୟାଙ୍କରେ ଜମା ଟଙ୍କା ରଖିବା ପୂର୍ବରୁ ବ୍ୟାଙ୍କର ଆର୍ଥିକ ସ୍ଥିତିର ଠିକ୍ ଯାଞ୍ଚ୍ ହେବା ଆବଶ୍ୟକ। କିନ୍ତୁ ଆର୍‌ବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ୨୫/୧୦/୨୦୧୯ରେ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ଯେ ରାଜ୍ୟ ଅର୍ଥ ବିଭାଗ ଏପରି ନିର୍ଦ୍ଦେଶନାମା ଜାରି କରିବା ଉଚିତ ନୁହେଁ। ଆର୍‌ବିଆଇ ଦେଶର ସମସ୍ତ ବ୍ୟାଙ୍କର ଆର୍ଥିକ ବ୍ୟବସ୍ଥା ଉପରେ ତଦାରଖ କରିଥା’ନ୍ତି।

ଶ୍ରୀମନ୍ଦିର ଜମା ପ୍ରସଙ୍ଗରେ ଅର୍ଥ ମନ୍ତ୍ରୀ କହିଥିଲେ ଯେ ଶ୍ରୀଜଗନ୍ନାଥ ମନ୍ଦିରର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ବାରା ପରିଚାଳିତ ହୋଇଥାଏ ଓ ସରକାର ସେଥିରେ ସ୍ତେ‌େକ୍ଷପ କରନ୍ତି ନାହିଁ। ୟେସ୍‌ ବ୍ୟାଙ୍କରେ ଟଙ୍କା ଜମା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ବଚ୍ଛ ବ୍ୟବସ୍ଥା ମାଧ୍ୟମରେ ବ୍ୟାଙ୍କ ଚୟନ କରାଯାଇଥିଲା। ଏଥି ପାଇଁ କୋଟେସନ୍ ମାଧ୍ୟମରେ ସିଡୁଲ୍‌ଡ୍‌ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଠାରୁ ପ୍ରସ୍ତାବ ଆହ୍ବାନ କରାଯାଇଥିଲା। ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ ଓ ଏଥିରେ ‌େୟସ୍‌ ବ୍ୟାଙ୍କ ସର୍ବୋଚ୍ଚ ୮.୬୧ ପ୍ରତିଶତ ବାର୍ଷିକ ସୁଧ ଦେବାକୁ ରାଜି ହୋଇଥିଲା। ସେଥିପାଇଁ ୟେସ୍‌ ବ୍ୟାଙ୍କରେ ଟଙ୍କା ଜମା କରାଯାଇଥିଲା। ୨୦୧୮ ମସିହାରେ ୟେସ୍‌ ବ୍ୟାଙ୍କ ତାଲିକାଭୁକ୍ତ ହୋଇଥିବାରୁ ସେ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲା। ୟେସ୍‌ ବ୍ୟାଙ୍କରେ ଗଚ୍ଛିତ ଏହି ଟଙ୍କାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସ୍ଥାନାନ୍ତର କରିବା ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ଆର୍‌ବିଆଇ ଆଞ୍ଚଳିକ ନି‌େର୍ଦ୍ଦଶକଙ୍କୁ ଚିଠି ଲେଖିଛନ୍ତି। ଅର୍ଥ ମନ୍ତ୍ରୀ ଭାବେ ସେ ନିଜେ ମଧ୍ୟ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଚିଠି ଲେଖି ଟଙ୍କା ସ୍ଥାନାନ୍ତର ପାଇଁ ଅନୁ ରୋଧ କରିଛନ୍ତି। ସମସ୍ତେ ମିଶି ଏହି ଟଙ୍କା କିପରି ଫେରିବ, ସେଥି ପାଇଁ ଉଦ୍ୟମ କରିବା ଉଚିତ।

ଅର୍ଥ ମନ୍ତ୍ରୀ ତାଙ୍କ ଉତ୍ତରରେ ଗୃହ କମିଟି ଗଠନ ଦାବିକୁ ଏଡ଼ାଇ ଯାଇଥିବାରୁ କଂଗ୍ରେସ ଦଳ ପକ୍ଷରୁ ତାହାର ପ୍ରତିବାଦ କରାଯାଇ କକ୍ଷତ୍ୟାଗ କରାଯାଇଥିଲା।