ଶ୍ରୀଜଗନ୍ନାଥ ମନ୍ଦିର ଟଙ୍କା ସୁରକ୍ଷିତ: ଆଇନ ମନ୍ତ୍ରୀ

ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାକୁ ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ବର : ସଙ୍କଟରେ ପଡ଼ିଥିବା ୟେସ୍‌ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଟଙ୍କାର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ଆଇନ ମନ୍ତ୍ରୀ ପ୍ରତାପ ଜେନା ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, କୌଣସି ପରିସ୍ଥିତିରେ ଶ୍ରୀମନ୍ଦିର ଟଙ୍କା ବୁଡ଼ିବାର ଆଶଙ୍କା ନାହିଁ। ସେଠାରେ ଥିବା ଫିକ୍ସଡ୍‌ ଡିପୋଜିଟ୍‌ର ଅବଧି ଆସନ୍ତା ୧୬ ଓ ୨୯ ତାରିଖରେ ସରୁଛି। ତାହା ପରେ ସେଠାରୁ ଟଙ୍କା ଉଠାଇ ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ସେହିପରି ଶ୍ରୀମନ୍ଦିରର ସମସ୍ତ ଟଙ୍କା ଜାତୀୟକରଣ ବ୍ୟାଙ୍କରେ ରଖିବାକୁ ମ୍ୟାନେଜିଂ କମିଟି ନିଷ୍ପତ୍ତି ନେଇସାରିଛି। ସୂଚନାଯୋଗ୍ୟ ଯେ ବିଧାନସଭା ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ ଆଇନ୍ ମନ୍ତ୍ରୀ ଦର୍ଶାଇଥିଲେ ଯେ ଶ୍ରୀମନ୍ଦିରର ୫୯୨ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରହିଛି। ତାହା ମଧ୍ୟରୁ ୫୪୫ କୋଟି ଟଙ୍କା ଫିକ୍ସଡ୍‌ ଡିପୋଜିଟ୍‌ ରହିଛି।

ଆଜି ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଥିଲେ, ଜାତୀୟକରଣ ବ୍ୟାଙ୍କରେ ଟଙ୍କା ରଖା ନ ଯାଇ କାହିଁକି ଘରୋଇ ବ୍ୟାଙ୍କରେ ରଖାଗଲା ? ଏହା ପଛରେ କେଉଁ ଉଦ୍ଦେଶ୍ୟ ରହିଛି ? ଏହାର ଏକ ନିରପେକ୍ଷ ତଦନ୍ତ ହେଉ। ଜଗନ୍ନାଥଙ୍କ ଟଙ୍କାକୁ ଏମିତି ହେରଫେର କରାଗଲେ ରାଜରାସ୍ତାରେ ଜୋର୍‌ଦାର ଆନ୍ଦୋଳନ ହେବ। ସେହିପରି ବିଜେପି ବିଧାୟକ କେ ନାରାୟଣ ରାଓ କହିଥିଲେ, କେନ୍ଦ୍ର ସରକାର ଜାତୀୟକରଣ ବ୍ୟାଙ୍କରେ ଟଙ୍କା ରଖିବାକୁ ସବୁବେଳେ କହୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏତେ ପରିମାଣର ଟଙ୍କା ଘରୋଇ ବ୍ୟାଙ୍କରେ କାହିଁକି ରଖିଥିଲେ ? ଏହା ପଛରେ ବଡ଼ ଘୋଟାଲା ହୋଇଥିବାର ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର