ଶ୍ରୀଜଗନ୍ନାଥଙ୍କ ବିରୋଧରେ ଷଡ଼୍‍ଯନ୍ତ୍ର ଚାଲିଛି

ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ସରକାରଙ୍କ ବିରୋଧରେ ଗର୍ଜିଲେ ବିଜୟ

ଭୁବନେଶ୍ୱର : ଶ୍ରୀମନ୍ଦିରର ପୂର୍ଣ୍ଣାଙ୍ଗ ସଂସ୍କାର ପାଇଁ ଗଠନ କରାଯାଇଥିବା ଜଷ୍ଟିସ ବିମଳ ଦାସ କମିସନ ସ୍ଥିତି ଏବେ କ’ଣ? ସଂସ୍କାର କମିସନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବଢାଇଛନ୍ତି ନା ବନ୍ଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇସାରିଲେଣି? ଏହା ପଛରେ ସରକାରଙ୍କର କି ଅଭିସନ୍ଧି ରହିଛି? କେବଳ ଏହି କମିସନ ନୁହେଁ, ବିଳମ୍ବରେ କମିଟି ଗଠନ, ନବକଳେବର ବିଭ୍ରାଟ ରିପୋର୍ଟକୁ ଜଉମୁଦ ମଧ୍ୟରେ ଚାପି ଦିଆଯିବା, ଅଡିଟ୍‌ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବା, ସର୍ବୋପରି ବିଧାନସଭାରେ ଶ୍ରୀମନ୍ଦିର ପ୍ରଶାସନ ତାଙ୍କର ବାର୍ଷିକ ରିପୋର୍ଟ ଉପସ୍ଥାପନ ନେବା ପଛରେ କାହାର ଚକ୍ରାନ୍ତ କାମ କରୁଛି?

ଗତକାଲିି ଆଇନ ବିଭାଗ ଗଠନ କରିଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଚୟନକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଏକାଧିକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଆଜି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିରୋଧରେ ବିଧିବଦ୍ଧ ଷଡ଼ଯନ୍ତ୍ର ଚାଲିଛି ବୋଲି ଅଭିଯୋଗ ଆଣି, ରାଜ୍ୟ ସରକାରଙ୍କ ନିଷ୍ଠା ଓ ଆନ୍ତରିକତା ଉପରେ ମଧ୍ୟ ସନ୍ଦେହ ପ୍ରକଟ କରିଛନ୍ତି।

ଆଜି ସାମ୍ବାଦିକମାନଙ୍କୁ ଶ୍ରୀ ମହାପାତ୍ର କହିଛନ୍ତି, କାହିଁକି ଆଠ ମାସ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରାଗଲା, ତାହା ବୁଝାପଡୁନାହିଁ। ଏତେ ବିଳମ୍ବ କରାଯିବା ପଛର କାରଣ ଶ୍ରୀମନ୍ଦିର ପ୍ରତି ଅବହେଳା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି, ରାଜ୍ୟ ସରକାର ଏ ନେଇ ସମସ୍ତଙ୍କୁ କହିବା ଦରକାର। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ଦୈନନ୍ଦିନ ମନ୍ଦିର ପରିଚାଳନା ସଂକ୍ରାନ୍ତରେ ଏକ ବାର୍ଷିକ ରିପୋର୍ଟ ବିଧାନସଭାରେ ନିଶ୍ଚିତ ଭାବେ ଉପସ୍ଥାପନ ହେବ। ମାତ୍ର କାହିଁକି କେଜାଣି, ବାରମ୍ବାର ଏ ନେଇ ସୂଚାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହି ରିପୋର୍ଟ ପ୍ରସ୍ତୁତି ବା ଉପସ୍ଥାପନ ଦିଗରେ ଆଦୌ ଆଗ୍ରହ ଦେଖାଉନାହିଁ। ମନେ ହେଉଛି, ଏହା ପଛରେ କିଛି ଷଡ଼୍‌ଯନ୍ତ୍ର୍‍ ଥାଇପାରେ। ସେହିପରି ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟର ଅଡିଟ୍‌ କରାଗଲା। ଏହି ଅଡିଟ୍‌ ଟିମ୍‌କୁ ପ୍ରଶାସନ ତଥ୍ୟ ଦେଲା ନାହିଁ। ଏହାସତ୍ତ୍ୱେ ଯେତିକି ତଥ୍ୟ ମିଳିଲା, ତାହାକୁ ଆଧାର କରି ଅଡିଟ୍‌ ଟିମ୍‌ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। ଅବ୍ୟବସ୍ଥା, ଅନିୟମିତତାର ଲମ୍ବା ତଥ୍ୟ ଏଥିରେ ରହିଛି। ହେଲେ ସରକାର ଏ ଦିଗରେ ବି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି।

ନବକଳେବର ମହାବିଭ୍ରାଟ ସଂପର୍କରେ ଉଲ୍ଲେଖ କରି ଶ୍ରୀ ମହାପାତ୍ର କହିଥିଲେ, ଏହି ଅଭାବନୀୟ ଘଟଣା ଆଜି ବି ସବୁ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରି ରଖିଛି। ଏହି ବିଭ୍ରାଟ ପଛର ମହାନାୟକ ମାନେ କିଏ, ତାହା କିନ୍ତୁ ରାଜ୍ୟ ସରକାର ଆଜି ଯାଏ ଲୋକଙ୍କ ସାମ୍ନାକୁ ଆଣିଲେ ନାହିଁ। ଏ ସଂକ୍ରାନ୍ତ ତଦନ୍ତ ରିପୋର୍ଟ ଜଉମୁଦ ଲଫାଫାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଡିଛି। ବଡ଼ କଥା ହେଲା, ନୀଳାଦ୍ରି ବିଜେ ବିଶୃଙ୍ଖଳା ପରେ ରାଜ୍ୟବାସୀଙ୍କ ମନରେ ଯେଉଁ ଗଭୀର ଆଘାତ ଲାଗିଥିଲା, ତାହାକୁ ଦୂର କରିବା ଲାଗି ଶ୍ରୀମନ୍ଦିରର ପୂର୍ଣ୍ଣାଙ୍ଗ ସଂସ୍କାର ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଜଷ୍ଟିସ ବିମଳ ଦାସ କମିସନ ଗଠନ ହୋଇଥିଲା। ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀଙ୍କୁ ରାଜ୍ୟ ସରକାର କମିସନଙ୍କୁ ସହଯୋଗ କରିବା ଲାଗି କହିଥିଲେ। କମିସନ ତାଙ୍କ କାର୍ଯ୍ୟ ଆରମ୍ଭରେ ରାଜ୍ୟବାସୀଙ୍କ ଠାରୁ ସତ୍ୟପାଠ ମାଗିଥିଲେ। ଗୋଟିଏ କି ଦୁଇଟି ନୁହେଁ, ଶହ ଶହ ସଂଖ୍ୟାରେ ଶ୍ରୀଜଗନ୍ନାଥ ପ୍ରେମୀ ତାଙ୍କ ପ୍ରସ୍ତାବ କମିସନଙ୍କୁ ଦେଇଛନ୍ତି। ଏସବୁ ସତ୍ୟପାଠ ଓ କମିସନଙ୍କ ତଦନ୍ତ ସଂପର୍କିତ ତଥ୍ୟ ଆଦି କମ୍ପ୍ୟୁଟରରେ ରହିଛି। ୨୦ ପାଖାପାଖି କର୍ମଚାରୀ ଓ ଅନ୍ୟ ଆସବାବ ବି କମିସନଙ୍କ କାର୍ଯ୍ୟାଳୟରେ ରହିଛି। ହେଲେ କମିସନ କିନ୍ତୁ କାର୍ଯ୍ୟାଳୟକୁ ଆସୁନାହାନ୍ତି। ଏବେ ଏସବୁ ତଥ୍ୟ ଓ ସତ୍ୟପାଠର ଭାଗ୍ୟ କଣ?

ଶ୍ରୀ ମହାପାତ୍ର କହିଛନ୍ତି ଯେ ସାଧାରଣ ପ୍ରସଙ୍ଗଗୁଡିକରେ ରାଜ୍ୟ ସରକାର ବାରମ୍ବାର କମିସନଙ୍କ କାର୍ଯ୍ୟକାଳ ବଢାଇଛନ୍ତି। ବର୍ଷ ବର୍ଷ ଧରି କମିସନ ବସିଛନ୍ତି। ଶ୍ରୀଜଗନ୍ନାଥମନ୍ଦିର କମିସନଙ୍କ କାର୍ଯ୍ୟକାଳକୁ ଏମିତି ତରବରିଆ ଭାବେ ବନ୍ଦ କରିଦିଆଗଲା କାହିଁକି? କମିସନଙ୍କ କାର୍ଯ୍ୟ ଅବଧି ବୃଦ୍ଧି କରାନଯିବା ପଛରେ କୌଣସି ଗୋଷ୍ଠୀର ଚାପ ନାହିଁ ତ ? ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ ଉଠାଇବା ସହିତ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି। ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଭାବନା ସହିତ ଖେଳ ଖେଳିଲେ, ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଶ୍ରୀ ମହାପାତ୍ର ସରକାରଙ୍କୁ ସତର୍କ କରାଇବା ସହିତ ରାଜ୍ୟବାସୀଙ୍କ ଧୈର୍ଯ୍ୟର ପରୀକ୍ଷା ନ ଦେବା ଲାଗି ପରାମର୍ଶ ଦେଇଛନ୍ତି।

ଆସନ୍ତାକାଲି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ସ୍ୱାଗତ କରି ଶ୍ରୀ ମହାପାତ୍ର କହିଥିଲେ ଯେ ପୂର୍ବରୁ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଥିବା ବେଳେ ପୁରୀରେ ଏଏସ୍‌ଆଇ କାର୍ଯ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେ ସମ୍ମତି ପ୍ରକାଶ କରିଥିଲେ ଓ କେନ୍ଦ୍ରକୁ ଜଣାଇଥିଲେ। ଏବେ ଯାଏ ଏହା ଶୀତଳଭଣ୍ଡାରରେ ରହିଛି। ଆସନ୍ତାକାଲି ରାଷ୍ଟ୍ରପତି ପୁଣି ଆସୁଥିବା ପରିପ୍ରେକ୍ଷୀରେ ଏ ପ୍ରସଙ୍ଗ ସରକାର ତାଙ୍କ ଦୃଷ୍ଟିକୁ ଆଣିବା ଦରକାର।

ସମ୍ବନ୍ଧିତ ଖବର