ମହାପ୍ରଭୁଙ୍କ ପ୍ରତି ଆନ୍ତରିକତା ଏମିତି : ଦରଦ କମ୍‌, ରାଜନୀତି ବେଶି

କେହି ପାପମୁକ୍ତ ନୁହନ୍ତି, ସମସ୍ତଙ୍କ ସମୟରେ ବିଭ୍ରାଟ

ଭୁବନେଶ୍ୱର : ବିଭିନ୍ନ ରାଜନୈତିକ ଦଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିଜ ପଶାପାଲିର ଗୋଟି ଭାବେ ବ୍ୟବହାର କରିବା ଆରମ୍ଭ କରିଦେଲେଣି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡି ଅଳ୍ପବହୁତେ ସରକାରରେ ରହି ଶ୍ରୀମନ୍ଦିର ବ୍ୟବସ୍ଥା ସଜାଡିବା ସୁଯୋଗ ପାଇଥିଲେ। ହେଲେ ଦାୟିତ୍ୱରେ ଥିବା ବେଳେ ଶ୍ରୀମନ୍ଦିରର ଯେଉଁ ସବୁ ଅବ୍ୟବସ୍ଥାକୁ ସଜା଼ଡିବା ଲାଗି ଆଦୌ ଆଗ୍ରହ ଦେଖାଇନଥିଲେ, ବରଂ ସ୍ଥିତି ଅଧିକ ବିଗିଡିଯାଇଥିଲା, ଏବେ ସେସବୁ ପ୍ରସଙ୍ଗରେ ସଂପୃକ୍ତ ରାଜନୈତିକ ଦଳ ନିଜ ଉପରୁ ଦୋଷ ଛଡ଼ାଉଥିବା ଘଟଣା ରାଜ୍ୟବାସୀଙ୍କୁ ବିଚଳିତ କଲାଣି।

ମହାପ୍ରଭୁଙ୍କୁ ଆୟୁଧ କରି ରାଜନୈତିକ ଦଳ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି। ହେଲେ, ଏହା ସେମାନଙ୍କୁ କେତେ ସଫଳତା ଦେଉଛି ତା ଅଲଗା କଥା, ସେମାନଙ୍କର ଦଳ ଭିତରେ କନ୍ଦଳ ପଦାକୁ ଫୁଟି ବାହାରି ଆସୁଛି। ଗତ ନବକଳେବର ସମୟରେ ବିଜେଡି ଏଭଳି ଅ଼଼ଡୁଆ ପରିସ୍ଥିତିରେ ପଡିଥିଲା, ଏବେ ବିଜେପିର ଘର କଳି ଦାଣ୍ଡରେ ପଡି ହାଟରେ ଗ଼ଡୁଛି। କେବଳ ସେତିକି ନୁହେଁ, ମହାପ୍ରଭୁ ଓ ଶ୍ରୀମନ୍ଦିର ପ୍ରତି ଗତ ଦିନରେ ଯେଉଁ ସବୁ ଐତିହାସିକ ଅବହେଳା ହୋଇଥିଲା, ସେସବୁ ମଧ୍ୟ ପୁଣି ଥରେ ଲୋକଙ୍କ ମନରେ ସତେଜ ହୋଇଉଠିଲାଣି।

ଉଲ୍ଲେଖଯୋଗ୍ୟ, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସମଗ୍ର ରାଜ୍ୟର ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। କେଉଁଭଳି ପରିସ୍ଥିତିରେ ମହାପ୍ରଭୁଙ୍କ ଚାବି ହଜିଲା ସେ ସଂପର୍କରେ ତଦନ୍ତ କରିବା ଲାଗି ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ କମିସନ ନିଯୁକ୍ତ କରିଛନ୍ତି।

ପ୍ରକାଶଥାଉକି, ଏହି ପ୍ରସଙ୍ଗକୁ ନେଇ ବିଜେପି ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେଇଛି। ହେଲେ ଏହା ଲୋକଙ୍କୁ କେତେ ଛୁଇଁବ, ତାହା ଅଲଗା କଥା, କିନ୍ତୁ ବିଜେପିର ଆଭ୍ୟନ୍ତରୀଣ ଶୃଙ୍ଖଳା ବିଗିଡି ଗଲାଣି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ବିଜେପି ଯେତେ ଅସ୍ତ୍ର ସବୁ ଫିଙ୍ଗିଛି, ସେସବୁ ଏବେ ନିଜ ଦେହରେ ମଧ୍ୟ ବିଦ୍ଧ ହୋଇଛି।

ଚାବି ହଜିବା ପ୍ରସଙ୍ଗରେ ରାଜନୀତି ନ କରିବା ଲାଗି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେବା ସହିତ ଭାଗୁଆଳି ସରକାରରେ ଥିବାବେଳେ ବିଜେପି କି ଆଭିମୁଖ୍ୟ ନେଇଥିଲା, ସେ ସଂକ୍ରାନ୍ତରେ ପ୍ରଶ୍ନ ଉଠାଇଥିଲେ। ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ପରୋକ୍ଷରେ ତତ୍କାଳୀନ ବିଜେପି ହାତରେ ଥିବା ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିବାଦକୁ ଟାଣିଥିଲେ। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ପ୍ରତି ୬ମାସରେ ରତ୍ନଭଣ୍ଡାର ଖୋଲିବା ଲାଗି ଥିବା ବ୍ୟବସ୍ଥା ସଂପର୍କରେ ରଖିଥିବା ବକ୍ତବ୍ୟ ମଧ୍ୟ ପରୋକ୍ଷରେ ବିଶ୍ୱଭୂଷଣଙ୍କ ଦକ୍ଷତାକୁ ପଦାରେ ପକାଇଛି। ସ୍ୱାଭାବିକ ଭାବେ ଏହି ତଥ୍ୟକୁ ଆଧାର କରି ବିଜେପି ନେତା ବିଜୟ ମହାପାତ୍ର ବିଶ୍ୱଭୂଷଣଙ୍କ ସମୟରେ ୧୮ ଥର ରତ୍ନଭଣ୍ଡାର ଖୋଲିଥିଲା କି ବୋଲି ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ, ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆସୁଥିବା ସୁନା ବ୍ୟାଙ୍କ ଲକରରେ କାହିଁକି? ବୋଲି ବିଜେପି ଯେଉଁ ପ୍ରଶ୍ନ ଉଠାଇଥିଲା, ତାହା ମଧ୍ୟ ଦଳ ପାଇଁ ବୁମେରାଂ ହୋଇଛି। କାରଣ, ବିଜେପି ନେତା ଆଇନ ମନ୍ତ୍ରୀ ଥିବା ସମୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓ ସେ ସମୟରେ ସାଢେ ତିନି କେଜିରୁ ଅଧିକ ସୁନା ବ୍ୟାଙ୍କରେ ରଖାଯାଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରୀ ହରିଚନ୍ଦନ ଆଇନ ମନ୍ତ୍ରୀ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଅଣାଯାଇଥିଲା। ହେଲେ ଦୁର୍ଭାଗ୍ୟର ବିଷୟ ହେଉଛି, ସେବେଠାରୁ ଆଜିଯାଏ କେବେ ବି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କୌଣସି ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତି ଦିଆଯାଇନାହିଁ। କାର୍ଯ୍ୟକାରୀ ଅଧ୍ୟକ୍ଷ ପଦବିର ଅବସ୍ଥା ମଧ୍ୟ ତଦ୍ରୁପ। ସେ ସମୟରେ ଯେଉଁ କା’ ବ୍ୟବସ୍ଥା ଆରମ୍ଭ କରାଯାଇଛି, ତାହା ଏବେ ବି ଜାରି ରହିଛି। ପରିଣାମ ହେଲା, ରଥଯାତ୍ରା ବା ନୀତିକାନ୍ତି ବ୍ୟତୀତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକମାନେ ଆଉ ବିଶେଷ କୌଣସି ଦାୟିତ୍ୱ ତୁଲାଉନାହାନ୍ତି। ଶ୍ରୀମନ୍ଦିର ସୁରକ୍ଷା ଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ନୀତି ଯାଏ ସବୁ କ୍ଷେତ୍ରରେ ବିଭ୍ରାଟର ଏହାକୁ ଏକ ମୁଖ୍ୟ କାରଣ ଭାବେ ବିଚାର କରାଯାଉଛି।

ଆଇନ ମନ୍ତ୍ରୀ ଭାବେ କଂଗ୍ରେସ ଥାଉ କି ବିଜେପି ଅବା ବିଜେଡି, ଶ୍ରୀମନ୍ଦିରରେ କିନ୍ତୁ ଦୁର୍ଘଟଣାର ଅନ୍ତ ନାହିଁ। ଜନତାଦଳ ସରକାରରେ ନାଗାର୍ଜୁନ ବେଶ ଦଳାଚକଟା ଘଟଣା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ଆଇନମନ୍ତ୍ରୀ ଭାବେ ବିଶ୍ୱଭୂଷଣ ହରିଚନ୍ଦନ ଦାୟିତ୍ୱ ତୁଲାଉଥିବା ବେଳେ ଶ୍ରୀମନ୍ଦିରରୁ ଶ୍ରୀ ମଦନମୋହନ ପ୍ରମୁଖଙ୍କ ମୂର୍ତି ଚୋରି ଘଟଣା ସମଗ୍ର ଦେଶରେ ଆଲୋ଼ଡନ ସୃଷ୍ଟି କରିଥିଲା। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଭିତରେ ଦୁର୍ଘଟଣା ହେଉ କି ରଥଯାତ୍ରା ସମୟରେ ଦଳାଚକଟା ଘଟଣା ଏହାର ଅଂଶବିଶେଷ। ସବୁଠାରୁ ବଡ଼ କଥା ହେଲା, ଉଭୟ ଆଇନ ଓ ରାଜସ୍ୱ ବିଭାଗରେ ଶ୍ରୀ ହରିଚନ୍ଦନ ଥିବା ବେଳେ ମହାପ୍ରଭୁଙ୍କ ଅମୃତମଣୋହୀ ଜମିକୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ୨୦୦୬-୦୭ ମସିହାରେ ଟେକି ଦିଆଗଲା, ତାହା ପୁଣି ଶାଗ ମାଛ ଦରରେ। ଯଦିଓ ବଜାର ଦର ପାଖାପାଖି ୧୫ ଗୁଣ ଅଧିକ ଥିଲା, ପୁରୀର ସମଗରା ସମେତ ପାଖାପାଖି ୧୫ଟି ମୌଜାର ୧୩୫୧ ଏକର ଜମିକୁ ୮ କୋଟି ୮୦ଲକ୍ଷ ଟଙ୍କାରେ ଶ୍ରୀମନ୍ଦିର ଟେକିଦେବା ଘଟଣା ଆଜି ବି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମନରେ ସତେଜ ରହିଛି।

ସେହିପରି ବିଜେପି ହାତ ଛାଡିବା ପରେ ବି ଯେ ଶ୍ରୀମନ୍ଦିର ଭାଗ୍ୟ ବଦଳିଛି ତା ନୁହେଁ। ଗତ ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟ ଘଟଣା ଆଜି ବି ଚର୍ଚ୍ଚାରେ ରହିଛି ଓ ମୁଷ୍ଟିମେୟ ସେବାୟତ ନିଳାଦ୍ରୀ ବିଜେ ଦିନ ମହାପ୍ରଭୁ ସୁଦର୍ଶନକୁ ରଥ ଉପରେ ଅଟକାଇ ଦେବାର ଦୁଃସାହସ କରିଛନ୍ତି। ସେହିଭଳି ରତ୍ନଭଣ୍ଡାର ଚାବି ହଜିବା ଘଟଣା, ମହାପ୍ରଭୁଙ୍କୁ ସେବାୟତ ଉପବାସରେ ରଖିବା ଭଳି ଅଭାବନୀୟ ଘଟଣା ବି ଘଟିଚାଲିଛି।

ସରକାର ଯେତେ ସବୁ ଶୃଙ୍ଖଳା ଲାଗି ପଦକ୍ଷେପ ନେଇଛନ୍ତି, ତାହାକୁ ତାଙ୍କରି କର୍ମଚାରୀ ହିଁ ଉଲ୍ଲଂଘନ କରିଥିବା ନଜିର ରହିଛି। ଏଇ ଯେମିତି ରାଜ୍ୟର ସବୁଠାରୁ ବଡ଼ ଥାନା ଭାବେ ସିଂହଦ୍ୱାର ଥାନାକୁ ମାନ୍ୟତା ମିଳିଛି। ହେଲେ ନା ସେଠାରେ ଆବଶ୍ୟକ କର୍ମଚାରୀ ଅଛନ୍ତି ନା ସ୍ୱତନ୍ତ୍ର ଭାବେ ଶ୍ରୀମନ୍ଦିରରେ ଜଣେ ଅତିରିକ୍ତ ଏସ୍‌ପି ପାହ୍ୟା ଅଧିକାରୀ ସୁରକ୍ଷା ଦାୟିତ୍ୱରେ ଥିଲେ ହେଁ, ଭକ୍ତଙ୍କ ଦୁର୍ଦଶା କମୁଛି। ସବୁଠାରୁ ସାଂଘାତିକ କଥା ହେଉଛି, ଫି ବର୍ଷ ବିଧାନସଭା ଶ୍ରୀମନ୍ଦିର ଲାଗି ସ୍ୱତନ୍ତ୍ର ବଜେଟ୍‌ ବ୍ୟବସ୍ଥା କରୁଛନ୍ତି। ନିୟମତଃ, ଏହାର ଏକ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବା କଥା। ମାତ୍ର ଏହାକୁ ମଧ୍ୟ କେହି ମାନୁନାହାନ୍ତି।

ସମ୍ବନ୍ଧିତ ଖବର