ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ନୂଆ ମୋଡ଼ : ମୂଳ ଜନସ୍ୱାର୍ଥ ମାମଲା ଖାରଜ ପାଇଁ ସୁପ୍ରିମ୍‌କୋର୍ଟରେ ପିଟିସନ୍‌

ପୁରୀ : ଶ୍ରୀମନ୍ଦିର ସଂସ୍କାର ଉପରେ ମାନ୍ୟବର ସୁପ୍ରିମ୍‌କୋର୍ଟ ଦେଇଥିବା ଆଦେଶ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସୁପ୍ରିମ୍‌କୋର୍ଟ ୧୨ଟି ଆଦେଶର କାର୍ଯ୍ୟକାରିତା ଉପରେ ଚଳିତ ମାସ ଶେଷ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିବାବେଳେ ଏହାର ପ୍ରସ୍ତୁତିରେ ଶ୍ରୀମନ୍ଦିର ପ୍ରଶାସନ ଲାଗିପଡ଼ିଛି। ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ମାମଲା (୬୪୯/୧୮)ର ବିଚାର କରି ସୁପ୍ରିମ୍‌କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ। ତେବେ ଏହି ଜନସ୍ୱାର୍ଥ ମାମଲା ବିରୋଧରେ ଆଜି ସୁପ୍ରିମ୍‌କୋର୍ଟରେ ଆଉ ଏକ ମାମଲା ଦାୟର ହୋଇଛି। ଆଗତ ଜନସ୍ୱାର୍ଥ ମାମଲାକୁ ଖାରଜ କରିବା ପାଇଁ ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ଲୟର୍ସ ଆସୋସିଏସନ୍‌ର ଚେୟାରମ୍ୟାନ୍‌ ତଥା ସୁପ୍ରିମ୍‌କୋର୍ଟର ବରିଷ୍ଠ ଓଡ଼ିଆ ଆଇନଜୀବୀ ଦେବାଶିଷ ମିଶ୍ର ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ସର୍ବୋଚ୍ଚ ଅଦାଲତରେ ଏକ ରିଟ୍‌ ପିଟିସନ୍‌ (୨୫୩୨୦/୧୮) ଦାଖଲ କରିଛନ୍ତି। ମାନ୍ୟବର ସୁପ୍ରିମ୍‌କୋର୍ଟ ଏହି ପିଟିସନ୍‌କୁ ବିଚାର ପାଇଁ ଗ୍ରହଣ କରିଥିବା ବେଳେ ଆସନ୍ତା ସେପ୍ଟେମ୍ବର ୫ରେ ଏହାର ପରବର୍ତୀ ଶୁଣାଣି କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ଦାନଦକ୍ଷିଣା ଆଦାୟ ବନ୍ଦ, ସେବାୟତଙ୍କ ବଂଶାନୁକ୍ରମିକ ସେବା ବନ୍ଦ, ଅଣହିନ୍ଦୁ ପ୍ରବେଶ, ରୋଷଘର ଓ ଚୁଲା ଶ୍ରୀମନ୍ଦିର ଅଧୀନରେ ରହିବା ଆଦି ୧୨ଟି ବିଷୟ ଉପରେ ବିଚାର କରିବାକୁ ସୁପ୍ରିମ୍‌କୋର୍ଟ ଆଦେଶ ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଏହାର କାର୍ଯ୍ୟକାରିତା ସଂପର୍କରେ ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ନିକଟରେ ବିଭିନ୍ନ ନିଯୋଗକୁ ଡାକି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପ୍ରିମ୍‌କୋର୍ଟଙ୍କ ଆଦେଶର କାର୍ଯ୍ୟକାରିତା ସଂପର୍କରେ ଅବଗତ କରି ସାରିଛନ୍ତି। ରୋଷଘର ଓ ଚୁଲାକୁ ନିଜ କର୍ତୃତ୍ୱକୁ ଆଣିବା ସହ ଦାନଦକ୍ଷିଣା, ଥାଳି, ଗରା, ଅନ୍ନଦାନ ଆଟିକାକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ତେବେ ଯେଉଁ ଜନସ୍ୱାର୍ଥ ମାମଲା ଆଧାରରେ ମାନ୍ୟବର ସୁପ୍ରିମ୍‌କୋର୍ଟ ଏହି ଆଦେଶ ଦେଇଛନ୍ତି ତାକୁ ଖାରଜ ପାଇଁ ସୁପ୍ରିମ୍‌କୋର୍ଟରେ ଆଉ ଏକ ମାମଲା ରୁଜୁ କରାଯିବା ବର୍ତ୍ତମାନ ଘଟଣାକୁ ନୂଆମୋଡ଼ ଦେଇଛି।

ଟ୍ରେଜେରିକୁ ଫେରିଲା ରତ୍ନଭଣ୍ଡାର ଚାବି

ପୁରୀ : ବିବାଦୀୟ ରତ୍ନ ଭଣ୍ଡାରର ଡୁପ୍ଲିକେଟ୍‌ ଚାବି ଆଜି ଜିଲ୍ଲା କୋଷାଗାର (ଟ୍ରେଜେରି) ଜିମା ଦିଆଯାଇଛି। ପୁରୀରୁ କଟକ ବଦଳି ହେବା ପରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ରେକର୍ଡ ରୁମ୍‌ରୁ ମିଳିଥିବା ରତ୍ନ ଭଣ୍ଡାରର ଦୁଇ ଚାବିକୁ ଟ୍ରେଜେରି ଜିମା ଦେଇଛନ୍ତି। ଆସିଷ୍ଟାଣ୍ଟ କଲେକ୍ଟର ଓ କିଛି କର୍ମଚାରୀ ଆଜି ଅପରାହ୍ନରେ ଜଉମୁଦ ଲଫାପାରେ ଥିବା ଉକ୍ତ ଚାବିକୁ ଟ୍ରେଜେରିରେ ରଖିଛନ୍ତି। ଫଳରେ ଦୀର୍ଘର୍ ୪୮ ବର୍ଷ ପରେ ରତ୍ନଭଣ୍ଡାର ଚାବି ପୁଣି ଥରେ ଟ୍ରେଜେରିକୁ ଫେରିଛି।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆସନ୍ତାକାଲି ତଦନ୍ତ କମିସନ୍‌ଙ୍କ ଶୁଣାଣି ଥିବା ବେଳେ ଜିଲ୍ଲାପାଳ ଏ ନେଇ ଏକ ସତ୍ୟପାଠ ଦାଖଲ କରିବେ ବୋଲି ଜଣାଯାଇଛି।

ଶ୍ରୀ ଜଗନ୍ନାଥ ମନ୍ଦିରର ଆଇନ ମୁତାବକ ରତ୍ନଭଣ୍ଡାର ଚାବି ଟ୍ରେଜେରିରେ ରହିବା କଥା। ତେବେ ଗତ ୧୯୭୦ ମସିହା ପରଠାରୁ ଟ୍ରେଜେରିକୁ ଆଉ ଚାବି ଫେରିନଥିଲା। ଗତ ଏପ୍ରିଲ ୪ ତାରିଖରେ ଚାବି ନ ମିଳିବାରୁ ଭିତର ରତ୍ନ ଭଣ୍ଡାର ଖୋଲା ଯାଇପାରିନଥିଲା। ଏହାକୁ ନେଇ ପରିଚାଳନା କମିଟିରେ ଆଲୋଚନା ହେବା ସହ ରାଜ୍ୟବ୍ୟାପୀ ତମ୍ବିତୋଫାନ ହୋଇଥିଲା। ଚାବି ନଥାଇ କାହିଁକି ରତ୍ନ ଭଣ୍ଡାର ଖୋଲାଗଲା ବୋଲି ପ୍ରଶ୍ନ ଉଠିଥିଲା। ପରେ ଭଣ୍ଡାର ଗୃହର ଡୁପ୍ଲିକେଟ୍‌ ଚାବି ମିଳିଥିବା ନେଇ ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଥିଲେ। କିନ୍ତୁ ଏହାକୁ ନେଇ ବିବାଦ ଆହୁରି ତୀବ୍ର ହୋଇଥିଲା। ବିରୋଧୀମାନେ ଏହାକୁ ଗଣ୍ଠି କରି ସରକାରଙ୍କୁ ଘେରିଥିଲେ। ଶେଷରେ ରାଜ୍ୟ ସରକାର ଚାବି ହଜିବା ପ୍ରସଙ୍ଗରେ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରିଥିଲେ। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିସନ ଭାବେ ନିଯୁକ୍ତି ଦିଆଯାଇଛି। ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲଙ୍କର କଟକ ବଦଳି ହୋଇଛି।

ସମ୍ବନ୍ଧିତ ଖବର